ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ନିଶା ବୋରା। ସୋସିଆଲ ମିଡିଆରେ ଲେଖିଲେ ପୂରା କହାଣୀ।

ଓଡ଼ିଶାକୁ ଡେଇଁଲା ‘ମି ଠୁ’ ଆନ୍ଦୋଳନ। ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ପରେ ପରିବେଶବିତ୍ ନିଶା ବୋରା ଆଣିଛନ୍ତି ସଙ୍ଗିନ ଅଭିଯୋଗ। ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ନିଶା। ଏହି ଘଟଣାଟି ୧୪ ବର୍ଷ ତଳର ପୁରୁଣା ହୋଇଥିଲେ ମଧ୍ୟ ‘ମି ଠୁ’ ଆନ୍ଦୋଳନ ଜରିଆରେ ସୋସିଆଲ ମିଡିଆରେ ପୂରା କହାଣୀ ବଖାଣିଛନ୍ତି ନିଶା। କେମିତି ଯୌନ ଶୋଷଣର ଶିକାର ହୋଇଥିଲେ ତାହା ସେ ବର୍ଣ୍ଣନା କରିଛନ୍ତି। ଏହାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି।

ଟୁଇଟରରେ ନିଶା ବୋରା ଲେଖିଛନ୍ତି, “୨୦୦୪ରେ ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ସହ ମୋର ସାକ୍ଷାତ ହୋଇଥିଲା। ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଡିନର ଟେୁବଲରେ ଯତୀନଙ୍କୁ ମୁଁ ଭେଟିଥିଲି। ସେତେବେଳେ ମତେ ୨୮ ବର୍ଷ ହୋଇଥିଲା। ସେତେବେଳେ ସେ ଏକ ପ୍ରୋଜେକ୍ଟ ହାତକୁ ନେଇଥିଲେ। ଏହି କାମରେ ସହଯୋଗ କରିବା ପାଇଁ ସେ ମୋର ସହଯୋଗ ଲୋଡ଼ିଥିଲେ। ଏଥିରେ ମୁଁ ରାଜି ହୋଇ ତାଙ୍କୁ ତାଙ୍କ ପ୍ରୋଜେକ୍ଟ କାମରେ ସହଯୋଗ କରୁଥିଲି। ଏହି ପ୍ରୋଜେକ୍ଟ ଶେଷ ହେବା ପରେ ସେ ମତେ ଗୋଟିଏ ବହି ଉପହାର ଦେଇଥିଲେ। ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ସହ କାମ କରି ମୁଁ ବହୁତ ଖୁସି ଅନୁଭବ କରିଥିଲି।”

କିନ୍ତୁ ଏହାର କିଛିଦିନ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ବୋଲି ନିଶା କହିଛନ୍ତି।

“ହଠାତ୍ ଦିନେ ଯତୀନ ଦାସ ତାଙ୍କ ଷ୍ଟୁଡିଓକୁ ମତେ ଡାକିଥିଲେ। ଖିଡ୍‌କି ଗାଁରେ ଥିବା ଷ୍ଟୁଡିଓ ମୁଁ ପହଞ୍ଚିଥିଲି। ସେତେବେଳେକୁ ସେ ଷ୍ଟୁଡିଓରେ ମଦ୍ୟପାନ କରୁଥିଲେ। ମତେ ମଧ୍ୟ ମଦ୍ୟପାନ କରିବାକୁ କହିଥିଲେ। ହେଲେ ମୁଁ ମନା କରିଥିଲି। ଏହାପରେ ସେ ମୋ’ ସହ ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ। ମତେ କିସ୍‌ କରିବା ସହ ଅସଦାଚରଣ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେତେବେଳେ ମୁଁ ତାଙ୍କୁ ପଛକୁ ଠେଲିଦେଇ ଘରକୁ ଚାଲି ଆସିଥିଲି। ଏହି ଘଟଣା କାହା ଆଗରେ ଆଜିଯାଏଁ ପ୍ରକାଶ କରିପାରି ନଥିଲି”, ଟୁଇଟର୍‌ରେ ପୋଷ୍ଟ କରିଛନ୍ତି ନିଶା।

ନିଶା ଆହୁରି କହିଛନ୍ତି ଯେ ୨୦୧୩ରେ ସେ ଆଉ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲେ। ୨୦୧୮ ଅକ୍ଟୋବର ୧୫ରେ ଇନଷ୍ଟାଗ୍ରାମରେ ଏହି ଅଭିଯୋଗ ଆସିଥିଲା।

“ଏହି ଘଟଣା ବିଷୟରେ ମୁଁ ଅତୀତରେ ଚିତ୍ରକଳା ଜଗତ ସହ ଜଡ଼ିତ ଲୋକଙ୍କ ସହ କଥା ହୋଇଥିଲି। ମୋ’ଠାରୁ ଏହା ଶୁଣିବା ପରେ ଏହା ତାଙ୍କର ଅଭ୍ୟାସ ବୋଲି ସମସ୍ତେ କହିଥିଲେ”, ଏହା କହି ଯତୀନଙ୍କୁ ଗାଠଗଡ଼ାରେ ଛିଡ଼ା କରିଛନ୍ତି ନିଶା।

ଯତୀନ କହିଲେ ଡାହା ମିଛ

ନିଶା ବୋରା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯତୀନ ଦାସ। ସେ କହିଛନ୍ତି ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ।

“ଯିଏ ମୋ’ ନାଁରେ ଏମିତି ଅଭିଯୋଗ ଆଣିଛନ୍ତି ମୁଁ ତାଙ୍କୁ ଠିକ୍‌ରେ ମନେପକାଇ ପାରୁ ନାହିଁ। ସେ ଯାହା କହିଛନ୍ତି ତାହା ପୂରା ଶସ୍ତା ମନ୍ତବ୍ୟ। ଏମିତି ମନ୍ତବ୍ୟ ଦେଇ ନିଜର ସମ୍ମାନକୁ କ୍ଷୁର୍ଣ୍ଣ କରିବା ଠିକ୍ ନୁହେଁ। ଏମିତି କଦର୍ଯ୍ୟ କାମ କରି ମୁଁ କେବେ ତଳକୁ ଖସି ପାରିବିନି”, କହିଛନ୍ତି ଯତୀନ ଦାସ।

Comment