ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୨୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ‘ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ-୨୦୧୮’ ସମ୍ମାନ ପ୍ରଦାନ କରାଯାଇଛି। ଗତ ୧୫ ତାରିଖରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

ଓଡ଼ିଶାରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସ୍ୱସ୍ତି ଗ୍ରୁପ୍‌ ଅଫ୍ ହୋଟେଲ୍‌ସର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଜିତେନ୍ଦ୍ର କୁମାର ମହାନ୍ତି ଓଡ଼ିଶାରେ ହୋଟେଲ ଶିଳ୍ପ, ହସ୍ପିଟାଲିଟି, ପର୍ଯ୍ୟଟନର ବିକାଶ ପାଇଁ ଗତ କିଛି ବର୍ଷ ହେଲା ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶା ହୋଟେଲ୍‌ ଏବଂ ରେସ୍ତୋରାଁ ଆସୋସିଏସନ (ଏଚ୍‌ଆର୍‌ଏଓ)ର ସଭାପତି ଏବଂ ଫିକି ଓଡ଼ିଶା ଚାପ୍ଟରର ଟୁରିଜିମ ପ୍ୟାନେଲ ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି ଶ୍ରୀ ମହାନ୍ତି।

ଓଡ଼ିଶାରେ ହୋଟେଲ ଶିଳ୍ପକୁ ଆଗକୁ ନେବା ପାଇଁ ଶ୍ରୀ ମହାନ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱର ଜୟଦେବବିହାରସ୍ଥିତ ସ୍ୱସ୍ତି ପ୍ରିମିୟମ୍, ମାଷ୍ଟର କ୍ୟାଣ୍ଟିନସ୍ଥିତ ସ୍ୱସ୍ତି ଗ୍ରାଣ୍ଡ, ଗୋପାଳପୁରର ସ୍ୱସ୍ତି ପାମ୍ ରିସର୍ଟ, ଚିଲିକା ନିକଟରେ ସ୍ୱସ୍ତି ଚିଲିକା ରିସର୍ଟ ଖୋଲି ଅନେକ ପ୍ରଶଂସା ପାଇଛନ୍ତି ଶ୍ରୀ ମହାନ୍ତି। ଏହିସବୁ ହୋଟେଲ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ହସ୍ପିଟାଲିଟି କ୍ଷେତ୍ରରେ ଯୁବ ଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ତାଙ୍କର ଉଦ୍ୟମ ଜାରି ରହିଛି। ସିମ୍‌ସ ପରି ଶିକ୍ଷାନୁଷ୍ଠାନ ଗଢ଼ି ଓଡ଼ିଶାରେ ହସ୍ପିଟାଲିଟି କ୍ଷେତ୍ର ସହ ଦେଶବିଦେଶର ଅନେକ ସ୍ଥାନରେ କୃତୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

Comment