ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୦ ଦିନ ହେଲା ଚାଲିଥିଲା ଏହି ପାଶବିକ ଅତ୍ୟାଚାର
  • କୋଣାର୍କ ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ଘଟଣା
  • ଅଭିଯୁକ୍ତଙ୍କ ପତ୍ତା ପାଇନି ପୋଲିସ
  • ଘର ମାଲିକକୁ ଗିରଫ କରି ତନାଘନା
  • ପୀଡ଼ିତା ଗୁରୁତର, ମେଡିକାଲରେ ଭର୍ତ୍ତି

କୋଣାର୍କରୁ ଆସିଲା ବଡ଼ ଖବର। ପରିତ୍ୟକ୍ତ ବନ୍ଦ ଘରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ୧୦ ଦିନ ହେଲା ୧୨ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ବୟାନ ଦେବା ପରେ ଆରମ୍ଭ ହୋଇଛି ତନାଘନା। କେଉଁମାନେ ଏହି ପାଶବିକ ଅତ୍ୟାଚାରରେ ସାମିଲ ଥିଲେ ତା’ ଉପରୁ ଉଠିନି ପରଦା।

ଘର ମାଲିକକୁ କୋଣାର୍କ ଥାନା ପୋଲିସ ଆଜି ରାତିରେ ଗିରଫ କରି ପଚରା ଉଚରା କରୁଛି। ହେଲେ ଅଭିଯୁକ୍ତଙ୍କ ଟେର୍ ପାଉନି। ଏହି ବଙ୍ଗୀୟ ଯୁବତୀ ଜଣକ କେମିତି କୋଣାର୍କ ଆସିଲେ ଏବଂ ତାଙ୍କୁ କିଏ ଆଣିଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିଲୋମିଟର ଦୂରରେ ଘଟିଛି ଏହି ଘଟଣା। କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ଏକ ପରିତ୍ୟକ୍ତ ଘରେ ଚାଲିଥିଲା ଏହି ପାଶବିକ ଅତ୍ୟାଚାର। ଗତ ୧୦ ଦିନ ହେଲା ଚାଲିଥିଲା ଏହି କାଣ୍ଡ। ଏହି ପରିତ୍ୟକ୍ତ ଘର ଭିତରୁ ୧୦ ଦିନ ହେଲା ବିଭିନ୍ନ ଲୋକ ଆସି ଯୁବତୀଙ୍କ ସହ ଦୁଷ୍କର୍ମ କରି ଛୁ ମାରୁଥିଲେ।

ଯୁବତୀଙ୍କୁ ସେହି ଘର ଭିତରେ ବନ୍ଦ କରି ରଖାଯାଇଥିଲା। କିନ୍ତୁ ଆଜି ସେହି ଘରେ କେହି ନଥିବା ବେଳେ କୌଶଳକ୍ରମେ ଯୁବତୀ ଜଣକ ଛାତ ଉପରୁ ଚାଲିଯାଇ ପାଟି କରିଥିଲା।

ଯୁବତୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଆସିଥିଲା। ଯୁବତୀଙ୍କୁ ପରିତ୍ୟକ୍ତ ଘରର ଛାତ ଉପରୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ିଥିଲା ପୋଲିସ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଯୁବତୀ ଗଣଦୁଷ୍କର୍ମ କଥା କହିଥିଲେ।

ପୀଡ଼ିତା କହିଥିଲେ ଯେ କୋଲକାତାରୁ ତାଙ୍କୁ ଜଣେ ମହିଳା ଏଠାକୁ ଆଣିଥିଲେ। ଚାକିରିର ପ୍ରଲୋଭନ ଦେଖାଇଥିଲେ ସେ ମହିଳା। କିନ୍ତୁ ସେ ମହିଳା ଜଣକ କିଏ ତାହା ରହସ୍ୟଘେରରେ।

ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ପରୀକ୍ଷା କରାଯାଇଛି। ହେଲେ ସେ ଏପର୍ଯ୍ୟନ୍ତ ଠିକ୍ ଭାବେ ସୁସ୍ଥ ନଥିବାରୁ ତାଙ୍କର ବୟାନ ରେକର୍ଡ କରିପାରିନି ପୋଲିସ।

ଏହି ଲୋମଟାଙ୍କୁରା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ମାତ୍ର ୨ କିଲୋମିଟର ଏବଂ କୋଣାର୍କ ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ଏହି ପାଶବିକ କାଣ୍ଡ। ହେଲେ କେହି କେମିତି କିଛି ଜାଣି ପାରିଲେନି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Comment