ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୟାଦଶମୀ ଭଳି ଖୁସିର ଅବସରରେ ଅମୃତସରରେ ଖେଳିଯାଇଛି ଦୁଃଖର ଲହରୀ ଟ୍ରେନ ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି।

ପଞ୍ଜାବର ଅମୃତସରରେ ଘଟିଯାଇଛି ଅଭାବନୀୟ କାଣ୍ଡ। ଶୁକ୍ରବାର ରାତିରେ ଅମୃତସରରେ ବିଜୟାଦଶମୀ ଭଳି ଖୁସିର ଅବସରରେ ଚାରିଆଡ଼େ ଖେଳିଯାଇଛି ଦୁଃଖର ଛାୟା। ରେଳଧାରଣରେ ରାବଣ ପୋଡ଼ି ଦେଖୁଥିବା ସମୟରେ  ଶହ ଶହ ଲୋକଙ୍କ ଉପରକୁ ଚଢିଯାଇଥିଲା ଟ୍ରେନ୍। ଯେଉଁ କାରଣରୁ ଏବେ ମୃତ୍ୟୁ ସଂଖ୍ୟା ୬୦ରେ ଆସି ପହଞ୍ଚିଥିବା ବେଳେ ୫୧ଜଣ ଏବେ ଗୁରୁତର ଅବସ୍ଥାରେ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ବି କରାଯାଉଛି।

କେବେ, କେଉଁଠି ଏବଂ କିପରି ଘଟିଥିଲା ଦୁର୍ଘଟଣା

ସୂଚନାଅନୁଯାୟୀ ଶୁକ୍ରବାର ସଂନ୍ଧ୍ୟା ୭ଟା ବେଳକୁ ଅମୃତସରର ଯୋଡ଼ା ଲେବୁଲ କ୍ରସିଂ ନିକଟରେ ରେଳ ଟ୍ରାକକୁ ଲାଗି ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖିବା ପାଇଁ ସେଠାରେ ଶହଶହ ଜନସମାଗମ ହୋଇଥିଲା। ରାବଣର ପୁତଳାରେ ବାଣ ଖଞ୍ଜା ଯାଇଥିବାରୁ କାଳେ କୌଣସି ବିସ୍ଫୋରଣ ଘଟିବ ସେହି କାରଣରୁ ରାବଣ ପୋଡ଼ି ଆୟୋଜକମାନେ ଅଗ୍ନି ସଂଯୋଗ ହେବା ପୂର୍ବରୁ ଦର୍ଶକମାନଙ୍କୁ ଘଟଣାସ୍ଥଳରୁ ୧୦୦ଫୁଟ ପଛକୁ ଫେରିଯିବାକୁ କହିଥିଲେ। ବିସ୍ଫୋରଣରୁ ରକ୍ଷା ପାଇବା ପାଇଁ ଲୋକେ ରେଳ ଟ୍ରାକ୍ ଉପରକୁ ଚାଲିଯାଇଥିଲେ ।

ସେହି ସମୟରେ ଜଳନ୍ଧରରୁ ଅମୃତସର ଯାଉଥିବା ଡିଏମୟୁ ଟ୍ରେନ୍ ନମ୍ବର ୭୪୯୪୩ ଗତିକରୁଥିଲା। ଯାତ୍ରା ସମୟରେ ଟ୍ରେନଟିର ବେଗ ଘଣ୍ଟା ପ୍ରତି ୧୦୦ କିମି ଥିଲା। ଖୁବ୍ ଜୋରରେ ଆସୁଥିବା କାରଣରୁ ଟେନ୍ ଟ୍ରାକ୍ ଉପରେ ଚଢିଥିବା ଦର୍ଶକମାନଙ୍କ ଉପରେ ଚଢିଯାଇଥିଲା। ମାତ୍ର କିଛି କ୍ଷଣିକ ମଧ୍ୟରେ ହିଁ ୬୦ ଲୋକଙ୍କର ଜୀବନ ଚାଲିଗଲା। ସୁଚନାମୁତାବକ ୪୦ଟି ଶବ ସିଭିଲ ହସ୍ପିଟାଲରେ ଥିବାବେଳେ ବାକି ୨୦ଟି ଶବ ଗୁରୁ ନାନକ ହସ୍ପିଟାଲରେ ରଖାଯାଇଛି ।

ଅର୍ଥରାଶି ଘୋଷଣା କଲେ ସରକାର

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିଭଳି ଆହତମାନଙ୍କ ଚିକିତ୍ସା ରାଜ୍ୟ ସରକାର କରିବେ ବୋଲି ସେ ଘୋଷଣା କରିଛନ୍ତି। ଦୁର୍ଘଟଣାରେ ୬୦ଲୋକଙ୍କର ଜୀବନ ଯାଇଥିବା ବେଳେ ୫୧ଜଣ ଏବେ ବି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ରେଳବାଇକୁ ଦିଆଯାଇନଥିଲା ପୂର୍ବରୁ ସୂଚନା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ରେଳବାଇ ମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଦିନ ରାତିରେ ଘଟଣା ସ୍ଥଳରେ ହିଁ ପହଞ୍ଚିଥିଲେ। ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି, “ଏଠାରେ ରାବଣ ପୋଡି ଅନୁଷ୍ଠିତ ହେବାର ଅଛି ବୋଲି ପୂର୍ବରୁ କୌଣସି ସୁଚନା ରେଳବାଇକୁ ଦିଆଯାଇ ନାହିଁ। ଯେଉଁ କାରଣରୁ ରେଳବାଇ ପୂର୍ବ ସତର୍କ ହୋଇପାରିନଥିଲା।”

ଘଟଣା ପରେ ୮ଟି ଟ୍ରେନ୍ ରଦ୍ଦ କରି ଦିଆଯାଇଛି ଏବଂ ୫ଟି ଟ୍ରେନର ଗତିକୁ ଡାଇଭର୍ଟ କରିଦିଆଯାଇଛି। ଏହି ଘଟଣାପରେ ରେଳମନ୍ତ୍ରୀ ନିଜ ଆମେରିକା ଗ୍ରସ୍ତକୁ ସ୍ତଗିତ କରି ଦେଇଛନ୍ତି।

“ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୬୧ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଶହରୁ ଉର୍ଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଉଥିବା ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି,” କହିଛନ୍ତି ଅମୃତସର ପୋଲିସ୍ କମିସନର ଏସ ଏସ ଶ୍ରୀବାସ୍ତବ ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ରେଳମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

Comment