ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାମୁ କେଡ଼େ ନିର୍ଦ୍ଦୟ! ତନ୍ତ୍ର ସାଧନା ପାଇଁ ୮ ବର୍ଷର ଭଣଜାକୁ ବଳି ଦେବାକୁ ପଛାଇ ନାହିଁ। ନଦୀ ପଠାରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ପରେ ପୋଲିସ ଆଜି ଘଟଣା ଉପରୁ ପରଦା ହଟାଇଛି।

ଯାହା ସନ୍ଦେହ କରାଯାଉଥିଲା ତାହା ସତ। ତନ୍ତ୍ର ସାଧନା ପାଇଁ ନାବଳକ ଭଣଜାକୁ ବଳି ଦେଇଥିଲା ମାମୁ। ଏମିତି ଏକ ଛାତିଥରା ଘଟଣାର ପରଦାଫାଶ କରିଛି ଆଜି ବଲାଙ୍ଗିର ପୋଲିସ। ଏହି ନୃଶଂସ ହତ୍ୟାକାଣ୍ଡ ପଛରେ କେବଳ ମାମୁ ନୁହନ୍ତି, ସମ୍ପର୍କୀୟ ଭାଇଙ୍କର ବି ହାତ ରହିଛି। ମାମୁ କୁଞ୍ଜ ରଣା ଏବଂ ସମ୍ପର୍କୀୟ ଭାଇ ଶୋଭାବନ ରଣାକୁ ପୋଲିସ ଗିରଫ କରିଛି।

୧୬ ତାରିଖର ଘଟଣା। ଏହିଦିନ ରାଜ୍ୟବାସୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜାରେ ମସଗୁଲ୍ ଥିଲେ। କିନ୍ତୁ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଉନ୍ଦେଇ ନଦୀପଠାରୁ ମୁଣ୍ଡ ବିହୀନ ଶିଶୁର ମୃତଦେହ ଉଦ୍ଧାର କରିଥିଲା ପୋଲିସ। ପୋଲିସ ସେହିଦିନ ହିଁ ଏହି ଘଟଣା ଉପରେ ସନ୍ଦେହ କରିଥିଲେ। ଏହି ଶିଶୁକୁ କେହି ମାରି ପୋତିଦେଇଥିବା ସନ୍ଦେହରେ ପୋଲିସ ଖୋଳତାଡ଼ କରିଥିଲା। ଏଥିରେ ଆଜି ବଲାଙ୍ଗିର ପୋଲିସକୁ ବଡ଼ ସଫଳତା ମିଳିଛି।

ଅଭିଯୁକ୍ତ କୁଞ୍ଜ ଏବଂ ଶୋଭାବନ ନୂଆ ନୂଆ ତନ୍ତ୍ର ଶିଖୁଛନ୍ତି। ଏହାସହ ମୃତ ନାବାଳକର ବାପା ମଧ୍ୟ ତନ୍ତ୍ରମନ୍ତ୍ର କରୁଥିବା ଜଣାପଡ଼ିଛି। ଏଣୁ ଏହି ତିନି ଜଣଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା। ଖାଲି ସେତିକି ନୁହେଁ, ମୃତ ନାବାଳକର ନିଜ ମାମୁ ହେଉଛି କୁଞ୍ଜ ଏବଂ ଶୋଭାବନ ହେଉଛି ପୀୟୁଷିଙ୍କ ପୁଅ ଭାଇ। ତନ୍ତ୍ର ସାଧନାକୁ ଆହୁରି ସୁଦୃଢ଼ କରିବା ପାଇଁ କୁଞ୍ଜ ଏବଂ ଶୋଭାବନ ମହାସପ୍ତମୀରେ ଶିଶୁବଳି ଦେବାକୁ ଯୋଜନା କରିଥିଲେ। ଏହାର ଶିକାର ହୋଇଥିଲେ ନାବାଳକ।

୧୩ ତାରିଖରୁ ମୃତ ନାବାଳକ ଜଣକ ନିଖୋଜ ଥିଲେ। ଘର ଲୋକ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ପତ୍ତା ପାଇ ନଥିଲେ। ତିନି ଦିନ ପରେ ଶୁଣ୍ଡିସଣ୍ଡା ନିକଟସ୍ଥ ଉନ୍ଦେଇ ନଦୀ ପଠାରେ ମୁଣ୍ଡ ବିହୀନ ଶିଶୁର ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ ଜାଗାରୁ ଶିଶୁର ମୁଣ୍ଡ ଉଦ୍ଧାର କରିବା ସହ ଅନ୍ୟ ଜାଗାରୁ ଗଣ୍ଡି ପାଇଥିଲା। ଏନେଇ ମୃତ ଶିଶୁର ଘରକୁ ଖବର ଦେଇଥିଲା ପୋଲିସ। ଘର ଲୋକ ଆସି ଶିଶୁପୂତ୍ରକୁ ଚିହ୍ନଟ କରିବା ପରେ ପୋଲିସ ଆରମ୍ଭ କରିଥିଲା ତନାଘନା।

ଘର ଲୋକଙ୍କୁ ପଚରା ଉଚୁରା କରିବା ପରେ ପୋଲିସ ଶୋଭାବନ ରଣାକୁ ପ୍ରଥମେ କାବୁ କରିଥିଲା। ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣରେ ପୋଲିସ ଶୋଭାବନକୁ ଛନ୍ଦି କଥା ଆଦାୟ କରିଥିଲା। ଭୟରେ ଶୋଭାବନ ସବୁ ସତ ମାନିଯିବା ପରେ ପୋଲିସ କୁଞ୍ଜ ପାଖରେ ପହଞ୍ଚିଥିଲା। ଆଜି ଉଭୟଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଛି।

Comment