ଓଡ଼ିଶାଲାଇଭ୍ ବ୍ୟୁରୋ

- କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ବୈଠକ
- ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅନୁପସ୍ଥିତ
- ସ୍ୱାମୀଙ୍କ ଉପସ୍ଥିତକୁ ନେଇ ଚର୍ଚ୍ଚା
- ଜିଲ୍ଲାପରିଷଦ ଅଧ୍ୟକ୍ଷ କହିଲେ, “ଏମିତି ଭୁଲ୍ ଆଉ ହେବ ନାହିଁ”
- ନିର୍ମାଣ ହେବ ୩୪୪୭.୫୮ କିଲୋମିଟର ରାସ୍ତା
କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଆଜି ଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଜିଲ୍ଲାରେ ୭୮୨ଟି ରାସ୍ତାର ନବୀକରଣ ଯୋଜନାରେ ୩୪୪୭.୫୮ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହେବାକୁଥିବା ଏହି ପ୍ରକଳ୍ପଗୁଡ଼ିକୁ ଆଜି ଜିଲ୍ଲାର ୫ମ ଜିଲାପରିଷଦର ସ୍ୱତନ୍ତ୍ର ବୈଠକ ଅନୁମୋଦନ କରିଛି।
ହେଲେ ଏହି ବୈଠକରେ ୧୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟାଙ୍କ ବଦଳରେ ତାଙ୍କ ସ୍ୱାମୀ ଉପସ୍ଥିତ ରହିବାକୁ ନେଇ ଚର୍ଚ୍ଚା ବଢ଼ିଛି। ତାଙ୍କୁ ବୈଠକକୁ ଆସିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ଅଜାଣତରେ ମନଇଛା ତିଆରି କରାଯାଇଥିବା ପ୍ରକଳ୍ପ ତାଲିକାକୁ ପ୍ରତିବାଦ କରିଥିଲେ ୨୬ ନମ୍ବର ଜୋନର ସଦସ୍ୟ। ତାଲିକାକୁ ବିରୋଧ କରିବା ସହ ସଭାଗୃହ ଛାଡ଼ି ପଳାଇଥିଲେ।
୨୦୦୦ ମସିହାରୁ ଆରମ୍ଭ ହୋଇଥିବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀଗ୍ରାମ ସଡ଼କ ଯୋଜନା ପ୍ରଥମ ଦଫାର କାର୍ଯ୍ୟ ଆସନ୍ତା ୨୦୧୯ ମାର୍ଚ୍ଚ ମାସରେ ଶେଷ ହେବାକୁ ଯାଉଛି। ଏହି ଯୋଜନାରେ ଗ୍ରାମାଞ୍ଚଳର ପ୍ରମୁଖ ରାସ୍ତାଗୁଡ଼ିକର କାର୍ଯ୍ୟ ପ୍ରାୟ ଶେଷ ହେବାକୁ ଯାଉଛି।
ସାରା ଦେଶରେ ଏହି ପ୍ରକଳ୍ପର ମିଆଦି ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଦ୍ୱିତୀୟ ଦଫା କାର୍ଯ୍ୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରାଯିବ। ଏଣୁ ତୃଣମୂଳ ସ୍ତରରୁ ଲୋକ ପ୍ରତିନିଧିମାନଙ୍କ ସହମତିରେ ନୂତନ ପ୍ରକଳ୍ପମାନ କାରାଯିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ୩୨ଟି ଜିଲ୍ଲାପରିଷଦ ଜୋନରେ ଏହି ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରଣ କରାଯିବା କଥା। କିନ୍ତୁ ଜିଲ୍ଲାପରିଷଦ ସଦସ୍ୟମାନଙ୍କ ଅଗୋଚରରେ ସାରା ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକୁ ସ୍ଥିର କରାଯାଇଥିବାରୁ ଏହର ପ୍ରତିବାଦ କରିଛନ୍ତି ଉପସ୍ଥିତ ସଦସ୍ୟମାନେ।
୨୬ ନମ୍ବର ଜିଲ୍ଲାପରିଷଦ ଜୋନର ସଦସ୍ୟ ଗଣେଶ ଚନ୍ଦ୍ର ସାମଲ ଏହାର ପ୍ରତିବାଦରେ ବୈଠକ ଛାଡ଼ି ଚାଲି ଯାଇଥିଲେ।
ଏହାଛଡ଼ା ଜିଲ୍ଲାପରିଷଦ ପରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୮ ନମ୍ବର ଜୋନର ନିର୍ବାଚିତ ସଦସ୍ୟା ସାରଥୀ ଦାଶଙ୍କ ଅନୁପସ୍ତିତରେ ତାଙ୍କ ସ୍ୱାମୀ ସୁବାସ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗୃହରେ କରାଯାଉଥିବା ଆଲୋଚନାରେ ସୁବାସ ଦାଶ ଭାଗ ନେଇଥିବାରୁ ସଦସ୍ୟମାନେ ଏହାର ପ୍ରତିବାଦ କରିଛନ୍ତି।
ଜିଲ୍ଲାପରିଷଦଙ୍କ ସ୍ୱାମୀ କିପରି ଭାବରେ ଜିଲାପରିଷଦ ବୈଠକ ଗୃହକୁ ପ୍ରବେଶ କଲେ ଏବଂ ଆଲୋଚନାରେ ଅଂଶ ଗ୍ରହଣ କଲେ ତାହା ଏବେ ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।
ଏ ସମ୍ପର୍କରେ ଜିଲ୍ଲାପରିଷଦର ସଭାପତି ମାନସ କୁମାର ପରିଡ଼ା କହିଛନ୍ତି, “୧୮ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟାଙ୍କ ଦେହ ଖରାପ ଥିଲା। ଏଣୁ ତାଙ୍କ ସ୍ୱାମୀ ବୈଠକ ଗୃହକୁ ଚାଲି ଆସିଥିଲେ। ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ।” କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ୭୮୨ଟି ନବୀକରଣ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ମୋଟ ୩୪୪୭.୫୮ କିଲୋମିଟର ରାସ୍ତା ନବୀକରଣ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇବେ।
ଏହି ପ୍ରକଳ୍ପ ମଧ୍ୟରେ ରହିଛି କେନ୍ଦ୍ରାପଡ଼ା ବ୍ଲକର ୮୮ଟି ପ୍ରକଳ୍ପର ୩୩୪.୧ କିଲୋମିଟର ରାସ୍ତା। ଡେରାବିଶ ବ୍ଲକର ୮୫ଟି ପ୍ରକଳ୍ପରେ ୩୧୨.୯୫ କିଲୋମିଟର ରାସ୍ତା, ଗରଦପୁର ବ୍ଲକର ୭୩ଟି ପ୍ରକଳ୍ପର ୩୧୭.୯୭ କିଲୋମିଟର ରାସ୍ତା। ମାର୍ଶାଘାଇ ବ୍ଲକର ୭୭ଟି ପ୍ରକଳ୍ପର ୨୩୪.୮୭ କିଲୋମିଟର ରାସ୍ତା, ମହାକାଳପଡ଼ା ବ୍ଲକର ୮୩ଟି ପ୍ରକଳ୍ପର ୩୨୨.୩୭ କିଲୋମିଟର ରାସ୍ତା, ରାଜନଗର ବ୍ଲକର ୧୩୨ଟି ପ୍ରକଳ୍ପର ୬୯୪.୨୨ କିଲୋମିଟର ରାସ୍ତା, ପଟ୍ଟାମୁଣ୍ଡାଇ ବ୍ଲକର ୧୦୧ଟି ପ୍ରକଳ୍ପର ୫୦୫.୮୨ କିଲୋମିଟର ରାସ୍ତା। ରାଜକନିକା ବ୍ଲକର ୭୨ଟି ପ୍ରକଳ୍ପର ୪୧୦.୧୫ କିଲୋମିଟର ରାସ୍ତା ଓ ଆଳି ବ୍ଲକର ୭୧ଟି ପ୍ରକଳ୍ପର ୩୧୫.୧୦ କିଲୋମିଟର ରାସ୍ତା।
କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ମାନସ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ଜିଲ୍ଲାପରିଷଦର ଏହି ସ୍ୱତନ୍ତ୍ର ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନେ, ଜିଲ୍ଲାପରିଷଦର ସଦସ୍ୟ ଓ ସଦସ୍ୟାମାନେ ଯୋଗ ଦେଇଥିଲେ।


















