ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପ୍ରଚାରର ଗୋଟିଏ ବଡ଼ କଥା ହେଲା ସରକାରମାନଙ୍କ ପାରଦର୍ଶିତାକୁ ମାପିବା। ଭୋଟରମାନଙ୍କୁ ଏହା ଏକ ସୁଯୋଗ ବି ଦେଇଥାଏ। ତାହା ହେଉଛି ରାଜନୀତିକ ଦଳମାନେ କେତେ ଦୂର ସେମାନଙ୍କ ପ୍ରତିଶୃତି ରକ୍ଷା କରିପାରିଛନ୍ତି। ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଦଳମାନେ ପରସ୍ପର ବିରୋଧରେ ବୟାନମାନ ଦେଇଥାନ୍ତି, ଯାହା ଅନେକ ସମୟରେ ଅରୁଚିକର ହୋଇଥାଏ।

ଦଳର ନେତାମାନେ ଭାବିଥାନ୍ତି ଯେ, ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯେତେ ରକମ ସମ୍ଭବ ବିରୋଧୀମାନଙ୍କୁ ଉଲଗ୍ନ କରାଯାଇପାରେ। ବିଗତ କିଛି ଦିନ ଧରି ଏହା ହିଁ ଅଧିକରୁ ଅଧିକ ଆଖିରେ ପଡ଼ୁଛି।

ଆଗାମୀ କିଛି ସପ୍ତାହ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଓ ଭୋଟରମାନେ ସେମାନଙ୍କ ପସନ୍ଦର ସରକାର ବାଛିବେ। କିନ୍ତୁ ସୋମବାର ଦିନ ଯେଉଁ ସବୁ ବୟାନବାଜି ଚାଲିଲା ସେଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ରାଜନୀତିକ ଦଳମାନଙ୍କ ଠାରୁ କିଛି ଭଲ କଥା ଆଶା କରିବା ବୃଥା। ଆପଣ କେବଳ ମନ୍ଦ କଥା ହିଁ ରାଜନେତାଙ୍କ ଠାରୁ ଏଣିକି ଶୁଣିବେ।

ନିଜ ମନ୍ଦିର ବୁଲା କାର୍ଯ୍ୟକ୍ରମକୁ ଆଗେଇ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସୋମବାର ଦିନ ମଧ୍ୟପ୍ରଦେଶର ମହାକାଳ ମନ୍ଦିର ପରିଦର୍ଶନରେ ଯାଇଥିଲେ। ରାହୁଲଙ୍କ ଏହି ମହାକାଳ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମର ଅସଲ ଉଦେଶ୍ୟ ହେଉଛି ଭୋଟରମାନଙ୍କୁ ଜଣେଇ ଦେବା ଯେ, ସେ ମଧ୍ୟ ଭଗବାନ ଶିବଙ୍କର ଜଣେ ବଡ଼ ଭକ୍ତ। ଏଥି ସହିତ ସେ କିଛି ଦିନ ତଳେ ମାନସରୋବର ବି ଯାଇଥିଲେ। ଏପ୍ରିଲ ମାସ ସାରା ତ ସେ କର୍ଣ୍ଣାଟକର ବିଭିନ୍ନ ମନ୍ଦିର ବୁଲିବାରେ ସମୟ କଟାଇ ଦେଇଥିଲେ।

ବିଗତ କିଛି ଦିନ ହେବ ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ଗୋଟିଏ କଥା ସମସ୍ତଙ୍କୁ ଜଣାଇବା ପାଇଁ ସ୍ଥିର କରିଛନ୍ତି: ତାହା ହେଉଛି ଯେ କଂଗ୍ରେସ ମଧ୍ୟ ଏକ ହିନ୍ଦୁ ସପକ୍ଷବାଦୀ ଦଳ ଓ ହିନ୍ଦୁତ୍ୱର ଦୌଡ଼ରେ ଏହା ଆଦୌ ପଛରେ ପଡ଼ିନାହିଁ।

ରାହୁଲଙ୍କ ଠାକୁର ଦେଖା ପଛରେ ଆଉ ଏକ ଉଦ୍ଦେଶ୍ୟ ହେଉଛି କଂଗ୍ରେସ ସମ୍ପର୍କରେ ଥିବା ଲୋକଙ୍କ ଧାରଣାକୁ ହଟେଇବା। କଂଗ୍ରେସ ନେତାମାନେ ଚିନ୍ତା କରି ଦେଖିଛନ୍ତି ଯେ, ହିନ୍ଦୁ-ବିରୋଧୀ ଦଳ ଭାବରେ ଆମକୁ ଲୋକେ ବିଚାର କରୁଛନ୍ତି ଓ ସେଥିରେ ଦଳକୁ କ୍ଷତି ପହଞ୍ଚୁଛି।

ଜବାହରଲାଲ ନେହରୁଙ୍କ ଉତ୍ତରାଧିକାରୀ ଭାବରେ ଏବଂ ଏକ ଧର୍ମନିରପେକ୍ଷ ଓ ଉଦାରବାଦୀ ଦଳ ହିସାବରେ ଏତେ ବର୍ଷ ଧରି କଂଗ୍ରେସ ଯେଉଁ ପରିଚୟ ସୃଷ୍ଟି କରିପାରିଥିଲା, ତାହା ଏବେ ଆଉ କାମ ଦେଉନାହିଁ ବୋଲି ବର୍ତ୍ତମାନର କଂଗ୍ରେସ ନେତାମାନେ ବୁଝି ସାରିଲେଣି।

ରାହୁଲ ଗାନ୍ଧି ଗତ ଡିସେମ୍ବର ମାସରେ କଂଗ୍ରେସ ଦାୟିତ୍ୱ ନେବା ପରେ ଦଳର ଚିନ୍ତାଧାରା ଓ ରଣନୀତିର ଏକ ବଡ଼ ପରିବର୍ତ୍ତନ ଆସିଛି। କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ପୂର୍ବରୁ କଂଗ୍ରେସ ଲୋକେ ପ୍ରଚାର କରିଥିଲେ ଯେ, ରାହୁଲ ପଇତାଧାରୀ ବ୍ରାହ୍ମଣ ବା ସେ ଉଚ୍ଚ କୁଳରେ ଜନ୍ମଗ୍ରହଣ କରିଛନ୍ତି।

ଏଣେ ରାହୁଲ ନିଜକୁ କଡ଼ା ହିନ୍ଦୁ ବୋଲି ପ୍ରଚାର କରୁଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ଏ ଦିଗରେ କୌଣସି ପ୍ରକାର ଢ଼ିଲା ଦିଆ ଯାଉନାହିଁ। ବରଂ କଂଗ୍ରେସକୁ ପଛରେ ପକାଇବା ପାଇଁ ଦଳ ଅଣ୍ଟା ଭିଡ଼ିଛି। ସେହି ସୋମବାର ଦିନ ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ଟିଭି ଚ୍ୟାନେଲ ଆଲୋଚନାରେ ଭାଗ ନେଇ ପ୍ରଶ୍ନ କରିଥିଲେ ରାହୁଲଙ୍କ ଗୋତ୍ର କ’ଣ?

ବିଜେପି ଚାହୁଁଛି ରାହୁଲଙ୍କ ଜନ୍ମ କାହାଣୀ ଲୋକଙ୍କ ସାମ୍ନାରେ ଥୋଇବା ପାଇଁ। ରାହୁଲଙ୍କ ମା’ ଖ୍ରୀଷ୍ଟିଆନ ଓ ଜେଜେ ବାପା ପାର୍ସୀ ଥିଲେ, ଏଣୁ ରାହୁଲ ବ୍ରାହ୍ମଣ ପରିବାରରେ କେମିତି ଜନ୍ମଗ୍ରହଣ କରିଥିଲେ ବୋଲି ବିଜେପି ପ୍ରଶ୍ନ କରିଛି। କଂଗ୍ରେସର ତଥାକଥିତ ଧର୍ମନିରପେକ୍ଷତା ଓ ବିଜେପିର ଉଗ୍ର ହିନ୍ଦୁତ୍ୱ ଦେଶ ପାଇଁ କ୍ଷତିକାରକ ହୋଇଥିବା ବେଳେ ଏଥିରୁ ଉଭୟ ଦଳର ନେତାମାନେ ତିଳେ ବି ହଟିବା ପାଇଁ ଚାହୁଁନାହାନ୍ତି।

ଧର୍ମ ଓ ଜାତିକୁ ନେଇ ଏହି ସବୁ କଥା କଟାକଟି ଓ ଆକ୍ଷେପ ପ୍ରତି-ଆକ୍ଷେପ କେବଳ ଦେଶର ମର୍ଯ୍ୟାଦା ହାନି କରୁଛି ବିଶ୍ୱ ଦରବାରରେ ଆମେ ନିନ୍ଦିତ ଓ ଲଜ୍ଜିତ ହେଉଛେ ଏକଥା ନିଃସନ୍ଦେହରେ କୁହାଯାଇପାରେ।

Comment