ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୧୧ ଦିନ ଧରି ବରଗଡ଼ରେ ଚାଲିବ କଂସ ରାଜାଙ୍କ ରାଜୁତି।

  • ଜାନୁଆରୀ ୧୧ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
  • ବରଗଡ଼ରେ ଦେଖିବାକୁ ମିଳିବ କଂସ ରାଜୁତି
  • ୧୧ ଦିନ ଧରି ଚାଲିବ ଧନୁଯାତ୍ରା

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହା ପାଇଁ ଘୋଷଣା କରାଗଲା ତାରିଖ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟି ଏହି ତାରିଖ ଚୟନ କରିଛନ୍ତି। ଜାନୁଆରୀ ୧୧ ରୁ ୨୧ ଯାଏଁ ଚାଲିବ କଂସ ଦରବାର।

ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ କରାଯାଇଛି।  ଯେଉଁଥିରେ ସଭାପତି ଭାବେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଉପସଭାପତି ଭାବେ ଏଡିଏମ୍ ତକିରାମ ମାଝି, ସଂପାଦକ ଭାବେ ଏସପି ମୁକେଶ କୁମାର ଭାମୁ ଏବଂ ଆବାହକ ଭାବେ ସୁରେଶ୍ୱର ଶତପଥୀଙ୍କୁ ଚୟନ କରାଯାଇଛି।

ମଥୁରା ନଗରୀ ପାଲଟିଯିବ ବରଗଡ଼ ଜିଲ୍ଲା। ସହରର ପଶ୍ଚିମରେ ବହି ଯାଉଥିବା ଜୀରା ନଦୀ ଯମୁନା ନଈ ସାଜୁଥିବା ବେଳେ ଅମାପାଲି ଗାଁ ପାଲଟିଯିବ ଗୋପପୁର। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମଥୁରା ନରେଶ କଂସ ମହାରାଜ। ମୁକ୍ତ ମଞ୍ଚରେ କଂସଙ୍କ ଅଭିନୟକୁ ଦର୍ଶକ ଉପଭୋଗ କରିବେ। ୧୧ ଦିନ ଧରି ତାଙ୍କ ଆଦେଶରେ ବରଗଡ଼ରେ ଚାଲେ ଶାସନ।

ପ୍ରତିଦିନ ଅପରାହ୍ନ ତିନିଟାରେ ରଙ୍ଗମହଲ ଛାଡ଼ି କଂସ ହାତୀପିଠିରେ ବସି ସହର ଭ୍ରମଣ କରିଥାନ୍ତି। ଏହି ସମୟରେ ତାଙ୍କ ଆଖିରେ ଯିଏ ଅପରାଧୀ ସାବ୍ୟସ୍ତ ହୁଅନ୍ତି ତାଙ୍କୁ ସେହିଠାରେ ହିଁ କଂସ ମହାରାଜ ଦଣ୍ଡବିଧାନ କରନ୍ତି, ଯାହାକୁ ‘ଜୋରିମାନା’ ବୋଲି କୁହାଯାଇଥାଏ। ‘କଂସ’ଙ୍କ  ‘ଜୋରିମାନା’ ପ୍ରସଙ୍ଗକୁ ସମସ୍ତେ ସହୃଦୟତାର ସହ ଗ୍ରହଣ କରିନେଇଥାନ୍ତି।

Comment