ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକରେ ତିନିଟି ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ବିପୁଳ ବିଜୟ ମିଳିବା ପରେ ଦେଶରେ ବିରୋଧୀ  ରାଜନୀତି ଏବେ  ଜୋର ଧରିଛି। ଏହା ପରେ ଏକ ବଡ଼ ପ୍ରଶ୍ନ ଉଠୁଛି ବିଜେପି ବିରୁଦ୍ଧରେ ଯେଉଁ ମହାମେଣ୍ଟ କଥା କୁହାଯାଉଥିଲା ତାହା ଏବେ ଜୋର ଧରିବକି? ସତ କଥା ହେଉଛି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏ ସରକାର ବିରୁଦ୍ଧରେ ସବୁ ବିରୋଧୀ ଦଳର ନେତାମାନଙ୍କ ପକ୍ଷରୁ  ଏକାଠି ହୋଇ ଏକ ମେଣ୍ଟ ଗଠନ ପାଇଁ ଉଦ୍ୟମ ଚାଲି ଆସିଛି ଓ କଂଗ୍ରେସ ଦଳ ଏହାର ନେତୃତ୍ୱ ନେବା କଥା ଚିନ୍ତା କରାଯିବ ବୋଲି ମଧ୍ୟ କୁହାଯାଇଛି।

ରାଜନୀତିକ ବିଶେଷଜ୍ଞଙ୍କ ମତରେ ଉପନିର୍ବାଚନ ଫଳ ପରେ ଆଞ୍ଚଳିକ ଦଳ ମାନେ ସେମାନଙ୍କ ଭେଦ ଭାବ ଭୁଲି ଗୋଟିଏ ଛତା ତଳେ ଠିଆ ହେବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ବିଜେପି ବିରୁଦ୍ଧରେ ସବୁ ବିରୋଧୀ ଦଳ ଖୁବ ଶୀଘ୍ର ଏକଜୁଟ ହେବାର  ସମ୍ଭାବନା ରହିଛି ବୋଲି ଅଭିଜ୍ଞ ଲୋକେ  କହିଛନ୍ତି। ମନେ ପକାଇ ଦିଆଯାଇପାରେ ଯେ ନଭେମ୍ବର ୩ ତାରିଖରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ଦୁଇଟି ଲୋକସଭା ଓ ଦୁଇଟି ବିଧାନସଭା ଆସନ ମିଳିଛି। ସବୁଠାରୁ ବଡ଼ କଥା ହେଉଛି ବେଲାରି ଲୋକସଭା ଆସନକୁ କଂଗ୍ରେସର କବ୍‌ଜା କରିବା। ବିଗତ ୧୪ ବର୍ଷ ଧରି ବିଜେପି ପାଖରେ ଏହି ଆସନଟି ରହି ଆସିଥିଲା।

କିନ୍ତୁ ବିରୋଧୀଙ୍କ ମହାମେଣ୍ଟରେ ଅନେକ ସମସ୍ୟା ବି ରହିଛି। ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏହି ମେଣ୍ଟରୁ ନିଜକୁ ଦୂରେଇ ରଖିବା ସହ ନିଜ ଦମରେ ନିର୍ବାଚନ ଲଢ଼ିବ ବୋଲି କହୁଛି। ସେହିଭଳି ଆସନ ବୁଝାମଣ।କୁ ନେଇ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ଭିତରେ ମତଭେଦ ଯୋଗୁଁ ମେଣ୍ଟକୁ ଧକ୍କା ଲାଗିଛି। କଂଗ୍ରେସ ସହିତ ପଟୁ ନଥିବା ଅରବିନ୍ଦ କେଜରିବାଲଙ୍କ ଆମ ଆଦମୀ ପାର୍ଟି  ଦିଲ୍ଲୀରେ କଂଗ୍ରେସ ସହିତ କୌଣସି ମେଣ୍ଟ କରିବ ନାହିଁ ଓ ଏକଲା ନିର୍ବାଚନ ଲଢ଼ିବାକୁ ପସନ୍ଦ କରିବ ବୋଲି ଆଗରୁ ଘୋଷଣା କରିସାରିଛି।ଏହି ସବୁ ଘଟଣା ପରେ ଜାତୀୟ ସ୍ତରରେ ଏକ ବିରୋଧୀ ମେଣ୍ଟ ତିଆରି ହୋଇପାରିବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଆଉ କିଛି ଲୋକଙ୍କ କହିବା ଅନୁଯାୟୀ ୨୦୧୯ ପୂର୍ବରୁ ଆଞ୍ଚଳିକ ଦଳମାନେ ଏକାଠି ନ ହେବା ଛଡ଼ା ଅନ୍ୟ ଉପାୟ ନାହିଁ।

ଆଉ ଏକ ଖବର ଆସୁଛି ଯେ ୨୦୧୯ ସାଧାରଣ ନିର୍ବାଚନର ପୂର୍ବରୁ ବିରୋଧୀ ଦଳ ଗୁଡ଼ିକୁ ଏକତ୍ର କରିବା ପାଇଁ ହେଲେ ପୂର୍ବ ପ୍ରଧାନମନ୍ତ୍ରୀ ଦେବେ ଗୌଡା ଆଗେଇ ଆସିବା ଦରକାର। ତେବେ ଉପନିର୍ବାଚନ ଫଳ ଦେଖିବା ପରେ ଯେ ବିଜେପି ବିରୋଧୀ ଦଳ ମାନେ ଆପେଆପେ ଏକାଠି ହୋଇଯିବେ ତାହା କହିବା କଷ୍ଟ। ଏଥିପାଇଁ ଆଞ୍ଚଳିକ ଦଳ ସବୁ  ନିଜ ନିଜ ମନୋଭାବ ଓ ସଂକୀର୍ଣ୍ଣତାକୁ ପରିହାର କରିବା ଦରକାର।

Comment