ଓଡ଼ିଶାଲାଇଭ୍ ବ୍ୟୁରୋ
ଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଜଣେ ରୋଗୀର ଜୀବନ ଚାଲିଯାଇଛି। ମୃତଦେହ ରଖି ଲୋକେ କଲେ ରାସ୍ତାରୋକ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଠିକ୍ ସମୟରେ ୧୦୮ ଆମ୍ବୁଲାନ୍ସ ନଆସିବାରୁ ଜଣେ ରୋଗୀର ଜୀବନ ଚାଲି ଯାଇଛି। ରୋଗୀଙ୍କ ମୃତ୍ୟୁ ପରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାର ନଗଡ଼ା କୁହାଯାଉଥିବା ମହାକାଳପଡ଼ା ବ୍ଲକର ପେଟଛେଲା ପଞ୍ଚାୟତର ଶବରପଡା ଗାଁ। ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳର ଅବସ୍ଥା ଶୋଚନୀୟ। ଏହି ଗାଁରେ ବାସ କରନ୍ତି ଆଦିବାସୀ, ଶବର ଓ ହରିଜନ ସମ୍ପ୍ରଦାୟର ଲୋକେ।
ଗାଁର ଭୁତ ମଳିକଙ୍କ ପୁଅ ନଖିଆ ମଳିକ (୩୩) ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ଗତ ଶୁକ୍ରବାର ଦିନ ନଖିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇପଡ଼ିବାରୁ ନିକଟସ୍ଥ ରାମନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ନଖିଆଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନକୁ ନେବା ପାଇଁ ପରାମର୍ଶ ଦେଇଥିଲେ। କଟକ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ଶେଷରେ ନଖିଆର ଶନିବାର ସକାଳେ ଜୀବନ ଚାଲିଯାଇଥିଲା।
ମୃତ୍ୟୁ ହେବାର ଘଣ୍ଟାଏ ପରେ ଆଜି ୧୦୮ ଆମ୍ବୁଲାନ୍ସ ଶବରପଡା ଗାଁରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଆଗରେ ନଖିଆଙ୍କ ଶବକୁ ରଖି ପ୍ରତିବାଦ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଜମ୍ବୁ ଥାନା ପୋଲିସ ପହଞ୍ଚି ଅଟକ ଥିବା ଆମ୍ବୁଲାନ୍ସକୁ ମୁକାଳିଥିଲେ। ଶେଷରେ ଲୋକେ ରାମନଗର- ଛପାଲି ମୁଖ୍ୟ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡ଼ିମଟର ଚଳାଚଳ ବନ୍ଦ ହୋଇଯାଇଥିଲା।
ମହାକାଳପଡ଼ା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ଓ ପୋଲିସ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଅପରାହ୍ନରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା।
ପ୍ରଶାସନ ମୃତ ନଖିଆଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି। ୧୦୮ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ସମ୍ପର୍କରେ ତଦନ୍ତ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି।








ଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଜଣେ ରୋଗୀର ଜୀବନ ଚାଲିଯାଇଛି। ମୃତଦେହ ରଖି ଲୋକେ କଲେ ରାସ୍ତାରୋକ।









