ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିମରେ ଆରମ୍ଭ ହେବାକୁ ଯାଉଛି ହକି ପୁରୁଷ ବିଶ୍ୱ କପ। ଏଥିପାଇଁ ଭୁବନେଶ୍ୱରରେ ଜୋରସୋର ପ୍ରସ୍ତୁତି ଚାଲିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ହକି ବିଶ୍ୱ କପକୁ ବାହାରେ ପରିଚିତ କରାଇବା ପାଇଁ ପାରମ୍ପରିକ ଗଣମାଧ୍ୟମ ବ୍ୟତୀତ ଆଧୁନିକ ମାଧ୍ୟମର ସାହାଯ୍ୟ ମଧ୍ୟ ନିଆଯାଉଛି।

ଏହାକୁ ଏବେ ଆଗେଇ ନେଇଛନ୍ତି ଜଣେ ଓଡ଼ିଆ କାର୍ଟୁନିଷ୍ଟ ବିଜୟ ବିଶ୍ୱାଳ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂରା ଖେଳୁଆଡ଼ ଢ଼ଙ୍ଗରେ ଆଙ୍କିଛନ୍ତି। ନବୀନ ହାତରେ ଗୋଟିଏ ହକି ଷ୍ଟିକ ଧରିଛନ୍ତି ଓ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି – ଏହିଭଳି ଏକ ରୋଚକ କାର୍ଟୁନ ସେ ମିଡିଆରେ ଛାଡ଼ିଛନ୍ତି।

ଏହି କାର୍ଟୁନର ପଞ୍ଚ ଲାଇନ ହେଉଛି, “ଆସ ଓଡ଼ିଶାରେ ଖେଳିବା।” କାର୍ଟୁନର ପୃଷ୍ଠଭୂମିରେ କୋଣାର୍କ ମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଛବି ଦେଖିବାକୁ ମିଳୁଛି। ଏହି କାର୍ଟୁନଟି ଆସିବା ପରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ନାକ ଟେକିଛନ୍ତି।

ନାଗପୁରରେ ରହୁଥିବା ବିଜୟ ବିଶ୍ୱାଳ ସାମ୍ପ୍ରତିକ ବିଷୟକୁ ନେଇ କାର୍ଟୁନ କରିଥାନ୍ତି। ଓଡ଼ିଶାରେ ବିଶ୍ୱ କପ ଭଳି ଏକ ଆନ୍ତର୍ଜାତିକ ଇଭେଣ୍ଟ ହେଉଥିବାରୁ ଜଣେ ଓଡ଼ିଆ ହିସାବରେ ଏହା ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ବୋଲି କହିଛନ୍ତି କାର୍ଟୁନିଷ୍ଟ ବିଶ୍ୱାଳ।

Comment