ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଡିସେମ୍ବର ୭ରେ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ୍ ମାଗୁଛନ୍ତି। ଭୋଟ୍ ହାତେଇବା ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ରଣକୌଶଳ ଆପଣାଉଛନ୍ତି। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କୋରାତଲାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଅଭିଯାନରେ ଭୋଟରମାନଙ୍କୁ ଚପଲ ବାଣ୍ଟି କହୁଛନ୍ତି କି, ଯଦି ସେ ବିଜୟୀ ହେବେ ଏବଂ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରନ୍ତି, ତେବେ ତାଙ୍କୁ ଚପଲରେ ପିଟିବେ।

ଏହି ସ୍ୱାଧୀନ ପ୍ରାର୍ଥୀଙ୍କ ନାମ ଆକୁଳ ହନୁମନ୍ତ। ପ୍ରଚାର ଅଭିଯାନରେ ଚପଲ ଧରି ସେ କହୁଛନ୍ତି, ଜିତିବା ପରେ ଯଦି କାମ ନ କରେ ମୋତେ ଚପଲରେ ପିଟିବ।

ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ଥିବା ୧୩ଟି ନିର୍ବାଚନ ମଣ୍ଡଳୀରୁ କୋରାତଲା ଅନ୍ୟତମ। ହନୁମନ୍ତଙ୍କ ପ୍ରଚାର ଅଭିଯାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ପ୍ରଚାର ଅଭିଯାନରେ ଆସୁଥିବା ଅନ୍ୟ ନେତାମାନଙ୍କୁ କେତେକ ଲୋକ ହନୁମନ୍ତଙ୍କୁ ଅନୁସରଣ କରିବାକୁ କହୁଛନ୍ତି। ହନୁମନ୍ତ ମେଟ୍ଟୁପଲ୍ଲୀ ସହରରେ ଦୁଆର ଦୁଆର ବୁଲି ପ୍ରଚାର କରୁଥିବା ବେଳେ ଏହି ଭିଡିଓ ସୁଟିଙ୍ଗ୍ କରାଯାଇଥିଲା। ସେଥିରେ ସେ ଭୋଟରମାନଙ୍କୁ କହିଛନ୍ତି ଯେ, ଯଦି ବିକାଶ ନ କରାଇ ପାରନ୍ତି ସେ ଇସ୍ତଫା ଦେବେ। ତା’ପରେ ସେ ଭୋଟରମାନଙ୍କୁ କହୁଛନ୍ତି କି, ଯଦି ସେ ଠିକ୍ ଭାବେ କାର୍ଯ୍ୟ ନ କରନ୍ତି। ତେବେ ତାଙ୍କୁ ସର୍ବସାଧାରଣରେ ଚପଲରେ ପିଟିବାର ଅଧିକାର ଅଛି।

Comment