ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ୮ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇ ଥିବାବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ସାକ୍‌ଲିର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳି ବିନିମୟ ରବିବାର ରାତିରୁ ଜାରି ରହିଛି। ଏହି ଗୁଳି ବିନିମୟରେ ଏବେ ସୁଦ୍ଧା ୮ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି।

ସୁକ୍‌ମା ଏସପି ଅଭିଷେକ ମୀନା କହିଛନ୍ତି, “ସୁକ୍‌ମା ଜିଲ୍ଲାର ସାକଲିର ଜଙ୍ଗଲରେ କେତେକ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ସିଆରପିଏଫ, ଡିଆରଜି ଓ ଏସପିଏଫର ମିଳିତ ଫୋର୍ସକୁ ନେଇ ଗଠିତ ଟିକ୍‌ ସାକଲିର ଜଙ୍ଗଲରେ କମ୍ବିଂ ଅପରେସନ୍‌ ଚଳାଇଥିଲେ। ଏଥିସହ ରବିବାର ରାତିରେ ଆରମ୍ଭ ହୋଇଥିବା ଏହି କମ୍ବିଂ ଅପରେସନ୍‌ ସମୟରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମାଓବାଦୀଙ୍କ ଗୁଳିରେ୨ ଜଣ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି।”

ଅପରପକ୍ଷରେ ଏପର୍ଯ୍ୟନ୍ତ ସାକଲିର ଜଙ୍ଗଲରେ ଏନ୍‌କାଉଣ୍ଟର ଜାରି ରହିଛି। ଏଥିସହ ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ଘଟଣାସ୍ଥଳକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ସୁକ୍‌ମା ଏସପି ଅଭିଷେକ ମୀନା।

Comment