ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଚକ୍ ଦେ ଇଣ୍ଡିଆ’ – ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବରେ ଏହି ଡାଇଲଗ୍ କହି ହକି ପ୍ରେମୀ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍।

ମନର କଥା କହିଲେ ଶାହରୁଖ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ପୁରୁଷ ବିଶ୍ୱକପ୍‌ – ୨୦୧୮କୁ ଉଦଘାଟନ କରିବା ପରେ ମଞ୍ଚକୁ ଆସିଥିଲେ କିଙ୍ଗ୍ ଖାନ୍। ହାତରେ ହକି ଷ୍ଟିକ୍ ଧରି ମଞ୍ଚକୁ ଆସିବା ବେଳେ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ଷ୍ଟାଡିୟମ। ଶାହରୁଖ ହାତ ହଲାଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଶାହରୁଖ ୭୦ ମିନିଟ୍ ଧରି ନିଜ ମନର କଥା କହିଥିଲେ।

“ପିଲାଟି ଦିନରୁ ମୁଁ ହକି ଖେଳୁଥିଲି। ହକି ଖେଳିବା ପାଇଁ ମୋ’ ବାପା ମତେ ପ୍ରେରଣା ଦେଇଥିଲେ। ମତେ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା ସେତେବେଳେ ମୁଁ ଆମ ସ୍କୁଲରେ ହକି ଟିମ୍‌ର ଅଧିନାୟକ ଥିଲି। ଏବେ ମୁଁ ମୋ ପୁଅକୁ ହକି ଖେଳିବା ପାଇଁ ଉତ୍ସାହିତ କରୁଛି”, କହିଥିଲେ ଶାହରୁଖ।

ଶାହରୁଖ ଏହି ଅବସରରେ ଓଡ଼ିଶାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବହୁତ ଦିନ ପରେ ହକି ବିଶ୍ଵକପ୍ ଆୟୋଜନ କରାଯାଇଥିବାରୁ ଖୁସି ଲାଗୁଛି। ହକି ବିଶ୍ଵକପ୍ ଉଦଘାଟନୀ ସମାରୋହକୁ ଆମନ୍ତ୍ରିତ କରାଯାଇଥିବାରୁ ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ଶାହରୁଖ।

“ଭାରତୀୟ ହକି ଟିମ୍‌କୁ ଓଡ଼ିଶାର ଅବଦାନ ବହୁତ। ଭାରତୀୟ ଟିମ୍‌କୁ ଓଡ଼ିଶା ସବୁଠୁ ଅଧିକ ହକି ଖେଳାଳି ଦେଇଛି। ଏଥିପାଇଁ ଓଡ଼ିଶା ପ୍ରଶଂସାଯୋଗ୍ୟ”, କହିଥିଲେ ଶାହରୁଖ।

ଶହରୁଖ ହକି ଟିମ୍‌ର ଅଧିନାୟକମାନଙ୍କ ସହ ମଞ୍ଚରେ କରମର୍ଦ୍ଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ହାତ ମିଳାଇଥିଲେ ବଲିଉଡ ବାଦଶାହ। ଶାହରୁଖଙ୍କ ମଧ୍ୟ ନବୀନ ସ୍ୱାଗତ କରିଥିଲେ।

ମାଧୁରୀଙ୍କ ଜଲୱା

ହକି ବିଶ୍ଵକପ୍‌ର ପ୍ରମୁଖ ଆକର୍ଷଣ ସାଜିଛନ୍ତି ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ। ସେ ୪୦ ମିନିଟ ଧରି କଳିଙ୍ଗ ଷ୍ଟାଡିୟମ ମଞ୍ଚରେ ଜଲୱା ଦେଖାଇଛନ୍ତି। ମାଧୁରୀଙ୍କ ନୃତ୍ୟରେ ଦର୍ଶକ ବିଭୋର ହୋଇଛନ୍ତି। ଆର୍ଥ ଥିମ୍‌କୁ ନେଇ ସେ ନୃତ୍ୟ ପରିବେଷଣ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ନୁପରୁ ମହାଜନ। ମାଧୁରୀଙ୍କ ଚିତ୍ତାକର୍ଷକ ନୃତ୍ୟରେ ଦର୍ଶକ, ହକି ପ୍ରେମୀ ଝୁମିଛନ୍ତି। ୧୧୦୦ କଳାକାରଙ୍କ ମଧ୍ୟରେ ମାଧୁରୀ ମଦର ଆର୍ଥ ଭୂମିକାରେ ନଜର ଆସିଥିଲେ।

 

ରେହମାନଙ୍କ ‘ଦିଲ୍‌ ସେ’ ଗୀତରେ ମତୁଆଲା

ଶୀତୁଆ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଓସ୍କାର ବିଜେତା ଏ ଆର ରେହମାନଙ୍କ ସଙ୍ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ହକି ବିଶ୍ଵକପ୍‌ ଉଦଘାଟନୀ ମଞ୍ଚରେ ରେହମାନ ‘ ଦିଲ୍‌ ସେ’, ‘ଚକ୍‌ ଦେ ଇଣ୍ଡିଆ’ ଗୀତ ପରିବେଷଣ କରିଥିଲେ। ଏହି ଗୀତରେ ଝୁମିଥିଲେ ଦର୍ଶକ। ଏହାସହ ରେହମାନ ହବି ବିଶ୍ଵକପ୍‌ର ସ୍ୱାଗତ ସଙ୍ଗୀତ ‘ଜୟ ହିନ୍ଦ ଜୟ ଇଣ୍ଡିଆ’ ଗାଇଛନ୍ତି। ଏହା ସମସ୍ତ ହକି ପ୍ରେମୀଙ୍କ ମନକୁ ଛୁଇଁଛି। ୨୮ ତାରିଖରେ ରେହମାନ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବେ। ଗୀତ ଗାଇ ରେହମାନ ଷ୍ଟେଜ ଉପରେ ନାଚୁଥିବା ବେଳେ ଗୀତର ତାଳେ ତାଳେ ଗ୍ୟାଲେରୀରେ ଦର୍ଶକମାନେ ମଧ୍ୟ ନାଚୁଥିଲେ।

ସବ୍ୟସାଚୀ, ଅର୍ଚ୍ଚିତା ଝୁମାଇଲେ

ଓଲିଉଡର ସଫଳ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ଓଡ଼ିଆ ଗୀତରେ ସେ ଦର୍ଶକଙ୍କୁ ଝୁମାଇଛନ୍ତି। ଏହି ଅବସରରେ ଉଭୟ ଓଡ଼ିଶାରୁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଖେଳାଳିମାନଙ୍କ ନାମକୁ ମନେପକାଇଥିଲେ। ଓଡ଼ିଶା ସାରା ବିଶ୍ୱରେ ହକି ପାଇଁ ବର୍ତ୍ତମାନ କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି କହିଥିଲେ।

ହକି ବିଶ୍ଵକପ୍‌ ପାଇଁ ରଙ୍ଗିନ ଆଲୋକମାଳାରେ ଝଲସୁଛି କଳିଙ୍ଗ ଷ୍ଟାଡିୟମ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ହକି ପ୍ରତିନିଧି ଓଡ଼ିଶାରେ ଏକାଠି ହୋଇଛନ୍ତି। ସାରା ବିଶ୍ୱର ୧୬ଟି ଟିମ୍‌ ମଧ୍ୟରେ ହେବ ଘମାଘୋଟ ଲଢ଼େଇ। ଏଥିପାଇଁ ଓଡ଼ିଶା ସରକାର ସଫଳତାର ସହ ଆୟୋଜନ କରିଛନ୍ତି ବିଶ୍ଵକପ୍‌। ଉଦଘାଟନୀ ସମାରୋହ ପୂରା ଚମକ ସୃଷ୍ଟି କରିଛି।

Comment