ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦୁଇ ହଜାର ଉଣେଇଶିରେ ଅପରାଜିତା ଓଡ଼ିଶାରେ ବିଜେପିର ମୁହଁ ଭାବରେ ସାମ୍ନାକୁ ଆସିବେ? ଅନ୍ୟ ଭାବରେ କହିଲେ ଅପରାଜିତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ? ଏହି ପ୍ରଶ୍ନକୁ ନେଇ ଏବେ ଜୋର୍‌ ଚର୍ଚ୍ଚା ଚାଲିଛି।

ମଙ୍ଗଳବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ଜୁଏଲ ଓରାମ ଏକ ବିବୃତି ଦେଇ କହିଲେ ଯେ, ଅନ୍ୟ କେହି ନୁହନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଏହି ବିବୃତିର ସମୟକୁ ଆପଣ ଲକ୍ଷ୍ୟ କରନ୍ତୁ। ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ଅପରାଜିତା ଦଳରେ ଯୋଗ ଦେବା ପରେ ପରେ ଜୁଏଲ ଏଠି ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ସପକ୍ଷରେ କଥାଟି କହିଲେ। କଣ ହୋଇପାରେ ଏହି ବିବୃତିର ଉଦ୍ଦେଶ୍ୟ? କାଳେ ଲୋକେ ଧରିନେବେ ଯେ ଅପରାଜିତା ଦଳ ଭିତରକୁ ଆସିବା ପରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଆଉ ସୁରକ୍ଷିତ ନୁହେଁ?

ଅବଶ୍ୟ ଏବେ ନୁହେଁ ଢେର ଆଗରୁ ଓ ଅନେକ ଥର ଜୁଏଲ ଏହି କଥା  କହିଆସିଛନ୍ତି ଯେ ଯଦି ତାଙ୍କ ଦଳ କ୍ଷମତାକୁ ଆସେ ଧର୍ମେନ୍ଦ୍ର ପ୍ରଧାନ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। ତେବେ ପୁଣିଥରେ ତାଙ୍କ ମୁହଁରୁ ଏହି କଥାଟି କାହିଁକି ବାହାରିଲା? କିଏ ତାଙ୍କୁ ବାଧ୍ୟ କରିଥିଲା ନା ସେ ସ୍ୱତଃପ୍ରବୃତ୍ତ ଭାବେ କଥାଟିକୁ ଦୋହରାଇଲେ? କଣ ହୋଇପାରେ ଏହି ବିବୃତିର ଅଭିଲକ୍ଷ୍ୟ?

ଏଥିରେ ଆଦୌ ସନ୍ଦେହ ନାହିଁ ଯେ, ଓଡ଼ିଶା ବିଜେପିର ନେତା ଓ କର୍ମୀଙ୍କ ଭିତରେ ଏହି କଥାଟି ବେଶ୍ ଚାଲିଛି। ଦୀର୍ଘ ୨୦ ବର୍ଷ ଧରି ଚାରି ଚାରିଟି ନିର୍ବାଚନରେ ବିଜୟ ଲାଭ କରି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଅପରାଜିତାଙ୍କୁ ଠିଆ କରାଯିବାର ଢେର ସମ୍ଭାବନା ରହିଛି ବୋଲି ବିଜେପିର କର୍ମୀମାନେ ବେଶ୍ ଅନୁଭବ କରୁଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ଯଦିଓ ବିଜେପି ଉତ୍ତମ ପ୍ରଦର୍ଶନ କରିଥିଲା ତା’ ପରଠାରୁ କିନ୍ତୁ ଓଡ଼ିଶାରେ ଦଳ ବିଶେଷ ପ୍ରଭାବ ସୃଷ୍ଟି କରିପାରି ନାହିଁ। ବିଜେପୁର ଉପନିର୍ବାଚନ ସମେତ ଯେତେ ଯେତେ ନିର୍ବାଚନ ହୋଇଛି ବିଜେପିର ପ୍ରଦର୍ଶନ ସେତେ ପ୍ରଭାବଶାଳୀ ହୋଇପାରିନାହିଁ। ଏ କଥା ସତ ଯେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ କତ୍ତର ସମାଲୋଚକ ଓ ସେ ବରାବର ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷି ଆସିଛନ୍ତି। ତା ସତ୍ତ୍ୱେ ବିଜେଡି ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଧର୍ମେନ୍ଦ୍ର ବିଫଳ ହୋଇଛନ୍ତି।

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଅପରାଜିତାଙ୍କୁ ପରିଗଣିତ କରିବା ପଛରେ ତାଙ୍କ ଉଗ୍ର ସ୍ଵଭାବ ଗୋଟିଏ ବଡ଼ କାରଣ। ଜଣେ ଉତ୍ତମ ପ୍ରଶାସକ ଭାବେ ସେ ତାଙ୍କର କାମ ଦେଖାଇବା ବ୍ୟତୀତ ଯେଉଁଥିରେ ସେ ହାତ ଦେଇଛନ୍ତି ସେଥିରେ ସଫଳ ହୋଇଛନ୍ତି। ସମ୍ଭବତଃ ତାଙ୍କର ଏହି ଗୁଣଟି ହିଁ ବିଜେପି ନେତୃବର୍ଗଙ୍କୁ ପ୍ରଭାବିତ କରିଛି। ତା ଛଡ଼ା ଦେଖାଯାଉଛି ଧର୍ମେନ୍ଦ୍ରଙ୍କ ପରେ ଅପରାଜିତା ହିଁ ଦ୍ୱିତୀୟ ବ୍ୟକ୍ତି ଯାହାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସହ ସିଧାସଳଖ ସମ୍ପର୍କ ରହିଛି।

ଶୁଣିଲେ ଆପଣଙ୍କୁ କଥାଟା ମଜା ଲାଗିବ ଯେ ଜୁଏଲ ଓରାମ ଯଦିଓ କେନ୍ଦ୍ରମନ୍ତ୍ରୀ ଅଛନ୍ତି ତାଙ୍କ ବିବୃତିକୁ ଦଳରେ ଅଥବା ସରକାରରେ ଏତେ ବେଶୀ ଗୁରୁତ୍ୱ ଦିଆଯାଏ ନାହିଁ। ଏହି କାରଣରୁ ମୋଦି ସରକାରଙ୍କ ଯାବତୀୟ କାର୍ଯ୍ୟକ୍ରମର ସମ୍ପାଦନା, ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଧର୍ମେନ୍ଦ୍ରଙ୍କୁ ରଖାଯାଇଛି। ଏବେ ଅପରାଜିତା ଦଳରେ ଯୋଗ ଦେବା ପରେ ତାଙ୍କ ଜରିଆରେ ଦଳ ଓ ସରକାରର କାମ ଆଗକୁ ନିଆଯିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଅପାତତଃ ସ୍ଥିର କରିଛନ୍ତି।

କୁହାଯାଉଛି ମୋଦି ଓ ଶାହ ଅପରାଜିତାଙ୍କ ପାଖରେ କିଛି ଭଲ କଥା ଦେଖିଛନ୍ତି। ଏକେ ତ ସେ ବୁଦ୍ଧିମତୀ, କୁହାଳିଆ ଓ ଚଟାପଟ କଥାକୁ ଧରି ନିଅନ୍ତି, ଯାହାକି ଜଣେ ସଫଳ ରାଜନେତା ପାଇଁ ନିତ୍ୟାନ୍ତ ଆବଶ୍ୟକ। ଅଧିକନ୍ତୁ, କାମ ହାସଲ କରିବାରେ ଅପରାଜିତା ମାହିର ଯେଉଁଥିପାଇଁ ଦଳୀୟ ସମର୍ଥନ ତାଙ୍କ ସପକ୍ଷରେ ଯାଉଛି। ତେବେ ଅପରାଜିତାଙ୍କୁ ଓଡ଼ିଶା ବିଜେପିର ମୁହଁ କରାଯିବା ପଛରେ ସବୁଠାରୁ  ବଡ଼ କାରଣ ହେଉଛି ସେ ଜଣେ ମହିଳା ଓ ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇ ପାରିବେ। ଏଥି ସହ ବିଜେଡିର ୭୦ ଲକ୍ଷ ମହିଳା ଭୋଟବ୍ୟାଙ୍କକୁ ମଧ୍ୟ ସେ କାବୁ କରିପାରିବେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଅନୁଭବ କରିଛି ଯେ ବିଜେଡିର ମହିଳା ଭୋଟକୁ ଭାଙ୍ଗିବା ପରେ ଅପରାଜିତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଗକୁ ଛଡ଼ାଯାଇପାରେ।

ଏବେ ଆସିବା ଜୁଏଲଙ୍କ ବିବୃତି ଆଡ଼କୁ। ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ସେ ଯେଉଁ କଥାଟିକୁ ବଜାରକୁ ଛାଡ଼ିଛନ୍ତି, ତାହାକୁ କେହି ଗୁରୁତ୍ୱର ସହ ଗ୍ରହଣ କରିବେ ସେଥିରେ ସନ୍ଦେହ ରହିଛି। ଏପରିକି ନିଜେ ଧର୍ମେନ୍ଦ୍ର ଏଥିରେ ବିଶ୍ୱାସ କରନ୍ତି ଏହା କହିବା କଷ୍ଟ କାରଣ ଧର୍ମେନ୍ଦ୍ର ଭଲ ଭାବରେ ଜାଣନ୍ତି କେଉଁ ପାଣି କୁଆଡ଼େ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଥାଟି ମୋଦି କି ଶାହ କହିଲେ ହୁଏତ ଲୋକେ ବିଶ୍ୱାସ କରିଥାନ୍ତେ। ନିଜେ ଅମିତ ଶାହ ତ ଅନେକ ଥର ଏଭଳି ପ୍ରଶ୍ନକୁ ଏଡ଼େଇ ଦେବାର ଦୃଷ୍ଟାନ୍ତ ରହିଛି ଓ ଧର୍ମେନ୍ଦ୍ର ତଥା ତାଙ୍କ ସମର୍ଥକଙ୍କୁ ପ୍ରାୟତଃ ଅନ୍ଧାର ଭିତରେ ରଖିଆସିଛନ୍ତି।

ଅମିତ ଶାହଙ୍କ ବାସ ଭବନରେ ଦଳରେ ଯୋଗ ଦେବା ପରେ ପରେ ଅପରାଜିତା କହିଲେ ଯେ, ମୁଁ ‘ବିରାଟ ଆକାରରେ’ ଲୋକଙ୍କର ସେବା କରିବା ପାଇଁ ଚାହୁଁଛି ଓ ଏହିଭଳି ମଞ୍ଚ ତାଙ୍କୁ ସେହି ସୁଯୋଗଟି ଦେଇଛି। ସେ ଯେଉଁ ‘ବିରାଟ ଆକାର’ କଥାଟି କହିଲେ ନିଶ୍ଚିତ ଭାବରେ ତାହା ଭୁବନେଶ୍ୱର ଲୋକସଭା ଆସନ ନୁହେଁ ଯାହା ଗଣମାଧ୍ୟମରେ ଆଲୋଚନା ହେଉଛି।

Comment