ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେବାଶ୍ରମରେ ଯୌନଶୋଷଣ ଅଭିଯୋଗ। ଏଭଳି ଘଟଣା ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ଆଶ୍ରୟ ଗୃହରେ ଘଟିଛି। ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡିମସ୍ ସେଣ୍ଟର’ରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବାର ସାଂଘାତିକ ଅଭିଯୋଗ ଆସିଛି।

ଘଟଣା ଜଣାପଡ଼ିବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଅଧିକାରୀ ଅଚାନକ ଚଢ଼ାଉ କରି ତଦନ୍ତ ଜାରି ରଖିଛି। ଆଶ୍ରୟ ଗୃହରେ ନିର୍ଯାତନା ଓ  ଅସଦାଚରଣର ଶିକାର ହୋଇଥିବା କହିଛନ୍ତି ଅନ୍ତେବାସୀ।

ଖାଲି ସେତିକି ନୁହେଁ, ସେଲଟର ହୋମର ସ୍ୱତ୍ତ୍ୱାଧିକାରୀ ଏବଂ କେୟାରଟେକର ନିର୍ଯାତନା ଦେଉଥିବା କହିଛନ୍ତି ଛାତ୍ରଛାତ୍ରୀ। ‘ଗୁଡ ନ୍ୟୁଜ ଇଣ୍ଡିଆ’ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି।

ଛାତ୍ରୀଙ୍କ କହିବା ଅନୁସାରେ ଆଣ୍ଟିମାନେ ସବୁ ବଡ଼ ବଡ଼ ପିଲାଙ୍କୁ ଡାକନ୍ତି। ନଶୁଣିଲେ ଗାଳି ଦିଅନ୍ତି। ଆମକୁ ରୁମରୁ ବାହାର କରି ଦେଇଛନ୍ତି। ଅନ୍ୟଜଣେ ଅନ୍ତେବାସୀଙ୍କ ଅଭିଯୋଗ ଅନୁସାରେ ଡାଡି ଅନ୍ତେବାସୀଙ୍କ ଶରୀରରେ ହାତ ମାରନ୍ତି। ସେମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ। ଏଭଳି ଚାଞ୍ଚଲ୍ୟକର ଖବର ଘଟଣା ପଦାକୁ ଆସିବା ପରେ ଅଭିଯୋଗ କରିଥିବା ଦୁଇ ପିଲାଙ୍କୁ ଜୋରଜବରଦସ୍ତ ତାଙ୍କ ଘରକୁ ପଠାଇ ଦିଆଯାଇଛି।

ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଭିଯୋଗ ପାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିଛି। ଏ ସଂପର୍କରେ ଅନୁଷ୍ଠାନ ମୁଖ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ‘ଗୁଡ୍ ନ୍ୟୁଜ ଇଣ୍ଡିଆ’ର ଆଶ୍ରୟ ଗୃହ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଡାଜଳା ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ପ୍ରବଳ ପ୍ରତିବାଦ କରିଛନ୍ତି।

Comment