ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡିସେମ୍ବର ୧ରୁ ୧୬ଦିନ ଧରି ‘ଡଟ ଫେଷ୍ଟ’ରେ ମତୁଆଲା ହେବେ ଦର୍ଶକେ।

ଶନିବାର ସନ୍ଧ୍ୟାରୁ ରାଜଧାନୀରେ ଆରମ୍ଭ ହୋଇଛି ‘ସିଟି ଫେଷ୍ଟ’। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏହି ସଂଗୀତ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା।

ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, “ହକି ବିଶ୍ୱକପ ଲାଗି ସରକାରଙ୍କ ପକ୍ଷରୁ ବେଶ୍ କିଛି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଥିମଧ୍ୟରୁ ‘ଡଟ ଫେଷ୍ଟ’ ଅନ୍ୟତମ। ହକି ବିଶ୍ୱକପ ଦେଖିବାକୁ ଆସିଥିବା ପର୍ଯ୍ୟଟକ ତଥା ଭୁବନେଶ୍ୱର ସହରବାସୀଙ୍କୁ ଏହି କାର୍ଯ୍ୟକ୍ରମ ଏକ ନୂଆ ଅନୁଭବ ଦେବ।”

ମେୟର ଅନନ୍ତ ନାରାୟଣ ଜେନା କହିଥିଲେ ଯେ, ‘ସିଟି ଫେଷ୍ଟ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନର ମାତ୍ର ୧୦ ଭାଗ। ରାଜଧାନୀବାସୀଙ୍କୁ ଏହାର ଆହୁରି ୯୦ ଭାଗ ଦେଖିବାକୁ ବାକି ଅଛି। ବର୍ଷର ବିଭିନ୍ନ ସମୟରେ ରାଜଧାନୀବାସୀଙ୍କ ପାଇଁ କିଛି ନା କିଛି ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଏହି ‘ଡଟ୍ ଫେଷ୍ଟ୍’ କାର୍ଯ୍ୟକ୍ରମରେ କ୍ରିଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରିଡ଼ା ସଚିବ ବିଶାଲ ଦେବ, ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

‘ସିଟି ଫେଷ୍ଟ’ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ‘ବିଶାଲ ଓ ଶେଖର’ ସଂଗୀତ ପରିବେଷଣ କରିଥିଲେ। ବିଶାଲଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରକେ ଶହ ଶହ ଲୋକ ତାଙ୍କ ସଂଗୀତର ତାଳେ ତାଳେ ନାଚିବା ସହିତ ପଡ଼ିଆରେ ଧୁମ୍ ମଚାଇଥିଲେ।

ଡଟ୍ ଫେଷ୍ଟର ଦ୍ୱିତୀୟ ସନ୍ଧ୍ୟାରେ ମଞ୍ଚରେ ରକ୍ ବ୍ୟାଣ୍ଡ୍‌ର ଯାଦୁ ଦେଖିବାକୁ ମିଳିଥିଲା। ଇଂଲିଶ ସିଂଙ୍ଗିଙ୍ଗ୍ ଟ୍ୟାଲେଣ୍ଟ ଶୋ ‘ଦି ଷ୍ଟେଜ-୩’ର ବିଜେତା ସିଦ୍ଧାନ୍ତ ଶର୍ମା ଓ ତାଙ୍କ ବ୍ୟାଣ୍ଡ୍‌ର ଗୋଟିଏ ପରେ ଗୋଟିଏ ଧୁନ୍‌ରେ ଦର୍ଶକ ଝୁମିଥିଲେ। ପ୍ରଥମେ ଶିଭାଙ୍ଗି ବ୍ୟାଣ୍ଡ ଦର୍ଶକଙ୍କୁ ବେଶ୍ ଝୁମେଇଥିଲା। ଶାତ୍ସୀୟ ସଙ୍ଗୀତ ଓ ରକ୍ ବ୍ୟାଣ୍ଡର ଅଦ୍ଭୁତ ମିଳନ ଦେଖିବାକୁ ମିଳିଥିଲା ଏହି ମଞ୍ଚରେ।

‘ଡଟ ଫେଷ୍ଟ’ରେ ଆୟୋଜିତ ଫୁଡ ପାର୍କରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ପ୍ରାୟ ୨୫ଟି ଫୁଡ ଷ୍ଟଲ୍‌ରେ ନାନାଦି ପ୍ରକାର ଖାଦ୍ୟର ମଜା ନେଇଥିଲେ ଦର୍ଶକ ଓ ଶ୍ରୋତା।

କେଉଁଦିନ କଣ କାର୍ଯ୍ୟକ୍ରମ:

  • ୩ରେ ସୋନା ମହାପାତ୍ରଙ୍କ ଲାଇଭ୍ କନ୍‌ର୍ସଟ
  • ୪ରେ ପାରମ୍ପରିକ ଲୋକନୃତ୍ୟ
  • ୫ରେ ଅରୁଣା ମହାନ୍ତିଙ୍କ କ୍ଲାସିକାଲ ଫେଷ୍ଟ
  • ୭ରେ ଜାତୀୟ ସ୍ତରରେ ପ୍ରସିଦ୍ଧ ଲାଭ କରିଥିବା ବିଶ୍ୱକଲ୍ୟାଣ ରଥଙ୍କ ଷ୍ଟାଣ୍ଡପ୍ କମେଡି
  • ୮ରେ ବଲିଉଡର ପ୍ରଚ୍ଛଦ ଗାୟିକା ଶ୍ରୀୟା ଘୋଷାଲଙ୍କ ସଂଗୀତରେ ଝୁମିବେ
  • ୯ରେ ଗାୟକ ସାନ୍‌ଙ୍କ ସଂଗୀତର ଯାଦୁ ଦେଖିବେ ଦର୍ଶକ
  • ୧୦ରେ ଓଡିଆ ରକ୍‌ଷ୍ଟାର ଋତୁରାଜ ଏବଂ ନୁରାନି ସିଷ୍ଟରଙ୍କ ସୁଫିୟାନ ସଂଗୀତ ପରିବେଷଣ
  • ୧୧ରେ ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ବ୍ୟାଣ୍ଡ
  • ୧୨ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଓ କ୍ରିଷ୍ଣା ବେଉରାଙ୍କ ଚକ୍ ଦେ ଓଡିଶା କାର୍ଯ୍ୟକ୍ରମ
  • ୧୩ରେ ଫ୍ୟୁଜନ ଫେଷ୍ଟ
  • ୧୪ରେ ଫରହାନ ଅକ୍ତରଙ୍କ ଫରହାନ ନାଇଟ୍
  • ୧୫ରେ ଡିଜେ ସ୍ପିଲି ଏବଂ ତେଜୁଙ୍କ ଡିଜେ ନାଇଟ୍
  • ୧୬ରେ ଉଦ୍‌ଯାପନି ଉତ୍ସବରେ ଶଙ୍କର ଏହସାନ ଓ ଲୟଙ୍କ ମଧୁର ସଂଗୀତରେ ଦର୍ଶକ ବିଭୋର ହେବେ

Comment