ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ନେଇ ଆଶାୟୀଙ୍କ ମଧ୍ୟରେ ଭାଳେଣି।

ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରିବା ପରେ ୨୦୧୯ ନିର୍ବାଚନ ପାଇଁ ଆଗୁଆ ପାଗ ଭିଡ଼ିଥିଲା ଦଳ। ୪୨ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ନିର୍ବାଚନ ବିଗୁଲ ଫୁଙ୍କିଥିଲା। କିନ୍ତୁ ଏବେ ଏହି ତାଲିକା କୁଆଡ଼େ ଗଲା ବୋଲି ରାଜନୀତି କରିଡ଼ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ଅକ୍ଟୋବର ମାସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯାଇଛି। ଏହାକୁ ଦୁଇ ମାସ ବିତିଥିଲେ ମଧ୍ୟ ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ପାରୁ ନାହାନ୍ତି ହାଇକମାଣ୍ଡ। ଫଳରେ କେବେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ତାକୁ ନେଇ ଆଶାୟୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ପ୍ରସାଦ ହରିଚନ୍ଦନ ପିସିସି ସଭାପତି ପଦରୁ ହଟିବା ପରେ ନିରଞ୍ଜନ ହୋଇଥିଲେ ନୂଆ ସଭାପତି। ସଭାପତି ହେବା ପରେ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ଲଢ଼େଇ କରିବ ବୋଲି କହିଥିଲେ। ଏହାସହ ନିର୍ବାଚନର ୬ ମାସ ପୂର୍ବରୁ ୫୦ ପ୍ରତିଶତ ସ୍ଥାନରେ ପ୍ରାର୍ଥୀ ତାଲିକା ଆଗୁଆ ଘୋଷଣା କରାଯିବ ବୋଲି ନିରଞ୍ଜନ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂ ଘୋଷଣା କରିଥିଲେ। ପ୍ରଥମେ ଅଗଷ୍ଟ ମାସ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କଂଗ୍ରେସ କହିଥିଲା। କିନ୍ତୁ ଅଗଷ୍ଟ ମାସ ସୁଦ୍ଧା ତାହା ଚୂଡ଼ାନ୍ତ ହୋଇପାରି ନଥିଲା।

ଶେଷରେ ବହୁ ବାଦ ବିବାଦ ଏବଂ ତର୍ଜମା ପରେ ଅକ୍ଟୋବର ୧ରେ ୪୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ସ୍ଥିର କରିଥିଲା ନିରଞ୍ଜନଙ୍କ ଟିମ୍। ହେଲେ ଏପର୍ଯ୍ୟନ୍ତ ତାହା ସ୍ଥିର ହୋଇପାରି ନଥିବାରୁ ଆଶାୟୀଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି।

“ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି। ନିର୍ବାଚନ ପ୍ରଚାରରେ କଂଗ୍ରେସର କେନ୍ଦ୍ର ନେତାମାନେ ବ୍ୟସ୍ତ ରହିଥିବାରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରିନି। ନିର୍ବାଚନ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Comment