ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଭିଡିଓ ଜାରି କରି ବିଜେପି ବିରୋଧରେ ସାଙ୍ଘାତିକ କଥା କହିଛନ୍ତି ବିଜୟ ମହାପାତ୍ର।

ବିଜେପି ସହ ସବୁ ସମ୍ପର୍କ ତୁଟାଇବାର ପାଞ୍ଚ ଦିନ ପରେ ବିଜୟ ମହାପାତ୍ର ସାଙ୍ଘାତିକ ତଥ୍ୟ ଦେଇଛନ୍ତି। ଫେସ୍‌ବୁକ୍‌ରେ ଭିଡିଓ ଜାରି କରି ବିଜୟ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି। ଗତ ଅଢ଼େଇ ବର୍ଷ ହେଲା ବିଜେପି ତାଙ୍କ ସହ କିଭଳି ବ୍ୟବହାର କରିଥିଲା ତାକୁ ସେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି।

“ଆତ୍ମ ସମ୍ମାନ ଏବଂ ଆତ୍ମସ୍ୱାଭିମାନର ସହ ମୁଁ ରାଜନୀତି କରେ। କିନ୍ତୁ ବିଜେପିକୁ ଆସିବା ପରେ ମତେ ବାରମ୍ବାର ଅପମାନିତ ହେବାକୁ ପଡ଼ିଛି। ବିଭିନ୍ନ ପ୍ରସଙ୍ଗରେ ମତେ ଅପମାନିତ କରାଯାଇଛି। ସବୁ ଘଟଣା ମୁଁ ଲୋକଲୋଚନକୁ ଆଣିବାକୁ ଚାହୁଁନି। ତେବେ ଆଗାମୀ ଦିନରେ ଯାହା ନିଷ୍ପତ୍ତି ନେବି ତାହା ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ”, କହିଛନ୍ତି ବିଜୟ ମହାପାତ୍ର।

ଫେସ୍‌ବୁକ୍ ଭିଡିଓ ଜରିଆରେ ବିଜୟ କହିଛନ୍ତି ଯେ ରାଜନୀତି ସହ ଜଡ଼ିତ ବ୍ୟକ୍ତିମାନେ ଆମର ଆଗାମୀ ରଣନୀତି ସମ୍ପର୍କରେ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି। ଦିଲ୍ଲୀପ ରାୟ ବିଦେଶ ଗସ୍ତରୁ ଫେରିବା ପରେ ଓଡ଼ିଶାବାସୀଙ୍କ ଆଗରେ ଆଗାମୀ ନିଷ୍ପତ୍ତି ସମ୍ପର୍କରେ ଜଣାଇବୁ।

ବିଜୟ କହିଛନ୍ତି, “ଭୁବନେଶ୍ଵରରେ ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ବୈଠକର ଦିନକ ପୂର୍ବରୁ ମୋ’ ପାଖକୁ ଚିଠି ଆସିଥିଲା। ଏ ସମ୍ପର୍କରେ ମୁଁ କେନ୍ଦ୍ର ନେତାମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲି। ସମସ୍ତେ ଦୁଃଖ ପ୍ରକାଶ କରିଥିଲେ।”

“କନ୍ଧମାଳ ଉପ-ନିର୍ବାଚନଠାରୁ ଆରମ୍ଭ କରି ଡିଜି ଅଫିସ ଘେରାଉ ଏବଂ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭମାନ ମୋ’ ନେତୃତ୍ୱରେ କରାଯାଇଥିଲା। ଏଥିରେ ଲୋକମାନଙ୍କର ସହଯୋଗ ମିଳିଥିଲା। କିନ୍ତୁ ହଠାତ୍ ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କେନ୍ଦ୍ରାପଡ଼ାରେ ଯେଉଁ କାର୍ଯ୍ୟକ୍ରମ କରାଗଲା ମତେ ବିରୋଧ କରାଗଲା। ଏହା ମୋ’ ପ୍ରତି ଅପମାନ ନୁହେଁ ତ ଆଉ କ’ଣ?”

ଦଳକୁ ଉପରକୁ ନେବା ପାଇଁ ନେତା ଓ କର୍ମୀ ଉଦ୍ୟମ କରିବା ବଦଳରେ ବିଜୟ ବିରୋଧୀ ଅଭିଯାନ କେନ୍ଦ୍ରାପଡ଼ାରେ ଚାଲିଲା ବୋଲି ସେ କହିଛନ୍ତି।

ଏହି ଭିଡିଓରେ ବିଜୟ ଏକ ସାଙ୍ଘାତିକ କଥା କହିଛନ୍ତି। କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା ପଛରେ ଜଣେ ବିଜେପି ବିଧାୟକଙ୍କ ହାତ ରହିଥିବା ସେ କହିଛନ୍ତି। ବିଜେପିର ଜଣେ ବିଧାୟକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବା ପରେ ଏହି ଘଟଣା ଘଟିଥିଲା ବୋଲି ବିଜୟ କହିଛନ୍ତି।

“ଏହି ଘଟଣା ସମ୍ପର୍କରେ ଯଦି ମୁହଁ ଖୋଲିବି ତାହାଲେ ସ୍ଥିତି ସାଙ୍ଘାତିକ ହୋଇଯିବ। ପ୍ରଧାନମନ୍ତ୍ରୀଙ୍କ  ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ। ଏହାକୁ ନେଇ ଅଯଥାରେ ଝାମେଲା ବଢ଼ାଇବାକୁ ଚାହୁଁନାହିଁ”, ଏହି ବୟାନ ଦେଇଛନ୍ତି ବିଜୟ।

ଏହି ବରିଷ୍ଠ ନେତା ଜଣକ ଆହୁରି କହିଛନ୍ତି ଯେ କୌଣସି ସର୍ତ୍ତ କିମ୍ବା ପଦ ପଦବୀ ମୋହରେ ଆମେ ବିଜେପିରେ ଯୋଗ ଦେଇ ନଥିଲୁ। କିନ୍ତୁ ବାରମ୍ବାର ଅପମାନିତ ହେବା ପରେ ଦଳ ଛାଡ଼ିବାକୁ ବାଧ୍ୟ ହେଲୁ ବୋଲି ବିଜୟ ମନ୍ତବ୍ୟ ଦେଇଛନ୍ତି।

ବିଜୟ କହିଛନ୍ତି, “୨୦୧୯ରେ ଯେଉଁ ନିର୍ବାଚନ ହେବ ତାହା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ଏହି ଲଢ଼େଇ ହେବ। ଆମର ଆଗାମୀ ରଣନୀତିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ସେଥିରେ କୌଣସି ସତ୍ୟତା ନାହିଁ। ଆମର କାହା ସହିତ କୌଣସି ଡିଲ୍ ହୋଇନାହିଁ।”

Comment