ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ଦେବାକୁ ବିଜେଡିର ପ୍ରୟାସ।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଡିସେମ୍ବର ୯ରେ ଏକ ସଂସଦୀୟ ଦଳୀୟ ବୈଠକ ଡକାଯାଇଛି। ଏହି ବୈଠକ ସଂସଦର ଶୀତ ଅଧିବେଶନର ଦୁଇ ଦିନ ପୂର୍ବରୁ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ବୈଠକରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଷୟରେ ଆଲୋଚନା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ।

ପୂର୍ବରୁ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏନେଇ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ।

ଏବେ ଏହି ବିଲକୁ ସଂସଦରେ ପାସ୍ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ଲୋଡ଼ିଛି। ବିଜେଡି ପକ୍ଷରୁ ନବୀନ ନିବାସରେ ଗତ ବୁଧବାର ବସିଥିବା ବୈଠକରେ ୭ ଜାତୀୟ ଏବଂ ୧୫ ଆଞ୍ଚଳିକ ଦଳକୁ ଭେଟିବାକୁ ନିଷ୍ପତ୍ତି ହୋଇଥିଲା। ବିଜେଡିର କେଉଁ ପ୍ରତିନିଧି କେଉଁ ଦଳକୁ ଭେଟିବେ ସେନେଇ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଏକ ତାଲିକା ପ୍ରକାଶ କରିଥିଲେ।

ତାଲିକା ଅନୁଯାୟୀ, ବିଜେପିକୁ ଭେଟିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ବେଦ ପ୍ରକାଶ ଅଗ୍ରୱାଲ, ଭର୍ତ୍ତୃହରି ମହତାବ, ସରୋଜିନୀ ହେମ୍ବ୍ରମ ଯିବେ।

କଂଗ୍ରେସକୁ ତଥାଗତ ଶତପଥୀ,  ବେଦ ପ୍ରକାଶ ଅଗ୍ରୱାଲ, ପିନାକୀ ମିଶ୍ର ଏବଂ ପ୍ରସନ୍ନ ପାଟ୍ଟଶାଣୀ ଭେଟିବେ।

ସେହପରି ସୌମ୍ୟରଞ୍ଜନ ପଟ୍ଟନାୟକ, ଅନନ୍ତ ଦାସ ଏବଂ ଅରବିନ୍ଦ ଢାଲି ତୃଣମୂଳ କଂଗ୍ରେସକୁ ଭେଟିବେ।

ଅନଙ୍ଗ ଉଦୟ ସିଂଦେଓ ଏବଂ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ  ବହୁଜନ ସମାଜପାର୍ଟିକୁ ଭେଟିବେ। ସିପିଆଇ ଓ ସିପିଏମକୁ କଳିକେଶ ନାରାୟଣ ସିଂଦେଓ, କୁଳମଣି ସାମଲ, ରୀତା ତରାଇ ଭେଟିବେ।

ବଦ୍ରି ନାରାୟଣ ପାତ୍ର, ଅରୁପ ପଟ୍ଟନାୟକ, ସଙ୍କୁନ୍ତଳା ଲାଗୁରୀ ଏନସିପି(ନ୍ୟାସନାଲ କଂଗ୍ରେସ ପାର୍ଟି)କୁ ଭେଟିବେ।

Comment