ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ନିର୍ବାଚନ ଅନୁସାରେ ଏଥର ନିର୍ବାଚନରେ ବିଜେପିକୁ କ୍ଷତି ସହିବାକୁ ପଡ଼ିଛି। ସିଟ ହିସାବକୁ ନେଲେ ୨୦୧୩ ନିର୍ବାଚନ ସମୟରେ ଏହି ୫ଟି ରାଜ୍ୟରେ ବିଜେପିକୁ ୩୮୨ ସିଟ ମିଳିଥିବା ବେଳେ ଚଳିତ ନିର୍ବାଚନରେ ୧୯୯ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନାରେ ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ଲାଗି ଏକ ବଡ କ୍ଷତି। ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପିକୁ ସତ୍ତା ହରାଇବାକୁ ପଡ଼ିଛି। ସେପଟେ ମିଜୋରାମ ଓ ତେଲେଙ୍ଗାନାରେ ଅନେକ ପ୍ରଚାର ପରେ ବି ମାତ୍ର ଗୋଟିଏ ଲେଖାଏଁ ସିଟ ମିଳିଛି ଭାରତୀୟ ଜନତା ପାର୍ଟିକୁ। ସମସ୍ତ ୫ଟି ରାଜ୍ୟକଥା ଯଦି ଆମେ ଆଲୋଚନା କରିବା ତେବେ ୬୭୮ସିଟରୁ ମାତ୍ର ବିଜେପି ଖାତକୁ ୧୯୯ଟି ସିଟ୍ ଯାଇଛି ଆଉ ଏପଟେ କଂଗ୍ରେସ ୩୦୫ସିଟରେ ଜିତି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନାରେ ଲମ୍ବା ସମୟ ପରେ ସତ୍ତାକୁ ଫେରିଛି। ମିଜୋରାମରେ କଂଗ୍ରେସକୁ ସତ୍ତା ହରାଇବାକୁ ପଡ଼ିଛି।

ଗତ ନିର୍ବାଚନ ହିସାବରେ ଏଥର କଂଗ୍ରେସକୁ ଅନେକ ଫାଇଦା ହୋଇଛି। ଯାହାର କ୍ରେଡିଟି ଦଳର ସଭାପତି ରାହୁଲ ଗାନ୍ଧିଙ୍କୁ ଦିଆଯାଉଛି। ସିଟ ହିସାବରେ ୨୦୧୩ ନିର୍ବାଚନରେ ଏହି ୫ଟି ରାଜ୍ୟରେ ବିଜେପିକୁ ୩୮୨ ସିଟ (ମଧ୍ୟପ୍ରଦେଶରେ ୧୬୫+ଛତିଶଗଡରେ ୪୯+ରାଜସ୍ଥାନରେ ୧୬୩+ତେଲେଙ୍ଗାନା ୫=୩୮୨)ମିଳିଥିଲା ଆଉ ଏଥର ନିର୍ବାଚନରେ ବିଜେପି ୫ଟି ରାଜ୍ୟରୁ ମୋଟ ୧୯୯ଟି ସିଟ ମିଳିଛି ଅର୍ଥାତ ୧୮୩ସିଟ୍ ବିଜେପି ହାତରୁ ଯାଇଛି। କଂଗ୍ରେସର ସିଟ ସଂଖ୍ୟା ଉପରେ ଯଦି ନଜର ପକାଇବା ତେବେ ୨୦୧୩ ନିର୍ବାଚନରେ ୧୮୯ସିଟ୍ ମିଳିଥିଲା ଆଉ ଏଥର ନିର୍ବାଚନରେ ମୋଟ ୩୦୫ସିଟ୍ ମିଳିଛି, ଅର୍ଥାତ କଂଗ୍ରେସକୁ ୧୧୬ଟି ସିଟରେ ଫାଇଦା ହୋଇଛି।

ମଧ୍ୟପ୍ରଦେଶ (୨୩୦ ସିଟ)

୨୦୧୩ ଅନୁସାରେ କଂଗ୍ରେସ ଏଥର ଅଧିକ ୫୬ଟି ସିଟରେ ବାଜିମାତ୍ କରିଛି। ଗତଥର ପାର୍ଟିକୁ ମାତ୍ର ୫୮ଟି ସିଟ୍ ମିଳିଥିଲା ଏଥର ୧୧୪ଟି ଆସନ ମିଳିଛି। ଆଉ ସେପଟେ ବିଜେପିକୁ ୫୬ଟି ସିଟରେ କ୍ଷତି ସହିବାକୁ ପଡ଼ିଛି। ଗତଥର ପାର୍ଟି ୧୬୫ ସିଟରେ ଜିତିଥିବା ବେଳେ ଏଥର ୧୦୯ଟି ସିଟରେ ଜିତିଛି।

ଛତିଶଗଡ(୯୦ସିଟ)

କଂଗ୍ରେସକୁ ୨୯ଟି ସିଟରେ ଫାଇଦା ହୋଇଛି। ୨୦୧୩ରେ କଂଗ୍ରେସ ୩୯ଟି ସିଟରେ ଜିତିଥିଲା, ମାତ୍ର ଏଥର ଦଳ ୬୮ସିଟ ଜିତି ସରକାର ବନାଇବାକୁ ଯାଉଛି, ବିଜେପିକୁ ୩୪ଟି ସିଟରେ କ୍ଷତି ସହିବାକୁ ପଡ଼ିଛି କାରଣ ୨୦୧୩ରେ ଦଳ ୪୯ସିଟ୍ ଜିତିଥିଲା ଏଥର ମାତ୍ର ୧୫ଟି ସିଟରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମୋଟାମୋଟି ଏଥର ନିର୍ବାଚନରେ କଂଗ୍ରେସକୁ ୪୩ ଓ ବିଜେପିକୁ ୩୩ ପ୍ରତିଶତ ଭୋଟ ମିଳିଛି।

ରାଜସ୍ଥାନ(୧୯୯ ସିଟ)

ରାଜସ୍ଥାନରେ କଂଗ୍ରେସକୁ ଜବରଦସ୍ତ ଫାଇଦା ମିଳିଛି। ୭୯ଟି ସିଟରେ ଫାଇଦାରେ ଅଛି କଂଗ୍ରେସ। ସେପଟେ ବିଜେପିକୁ ରାଜସ୍ଥାନରେ ଶକ୍ତ ଝଟକା ଲାଗିଛି। ଏଥର ନିର୍ବାଚନରେ ବିଜେପିକୁ ୩୮.୮ କଂଗ୍ରେସକୁ ୩୯.୩ ପ୍ରତିଶତ ଭୋଟ ମିଳିଛି।

ତେଲେଙ୍ଗାନା (୧୧୯ ସିଟ)

ତେଲେଙ୍ଗାନାରେ ଉଭୟ ବିଜେପି ଓ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିଛି। ମାତ୍ର ଟିଆରଏସକୁ ଜବରଦସ୍ତ ଫାଇଦା ହୋଇଛି। ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଏଥର ୨୫ସିଟ ଅଧିକ ମିଳିଛି। ଗତଥର ପାର୍ଟିକୁ ୬୩ଟି ସିଟ୍ ମିଳିଥିବା ବେଳେ ଏଥର ୮୮ଟି ସିଟ୍ ହାସଲ କରିଛି ଦଳ।

ମିଜୋରାମ (୪୦ସିଟ)

ମିଜୋରାମରେ କଂଗ୍ରେସକୁ ଝଟକା ଲାଗିଛି। ୨୦୧୩ରେ କଂଗ୍ରେସକୁ ୩୪ସିଟ ମିଳିଥିବା ବେଳେ ଏଥର ଦଳକୁ ୫ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି। ଆଞ୍ଚଳିକ ଦଳ ଏମଏନଏଫକୁ ୨୧ଟି ସିଟ ଅଧିକ ମିଳିଛି। ସେପଟେ ମିଜୋରାମରେ କେବଳ ଗୋଟିଏ ସିଟ ବିଜେପି ପାଖକୁ ଯାଇଛି।

ନିର୍ବାଚନ ଫଳାଫଳ ଆସିଯାଇଛି । ଯେଉଁଥିରେ ମୋଟାମୋଟି କଂଗ୍ରେସକୁ ଅନେକାଂଶରେ ଫାଇଦା ହୋଇଥିବା ବେଳେ ବିଜେପି ଲାଗି ଆତ୍ମସମୀକ୍ଷାର ସମୟ।

Comment