ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ୪୬୨ଟି ଏକଲବ୍ୟ ମଡେଲ୍‌ ଆବାସିକ ସ୍କୁଲ୍‌ ପ୍ରତିଷ୍ଠା ହେବ। ସେଥିମଧ୍ୟରୁ ୯୨ଟି ସ୍କୁଲ ଓଡ଼ିଶାରେ ପ୍ରତିଷ୍ଠା ହେବ। ଏନେଇ ସୁନ୍ଦରଗଡ଼ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ୍‌ ଓରାମ ସୂଚନା ଦେଇଛନ୍ତି।

ପୂର୍ବରୁ ସାରା ଦେଶରେ ୧୦୨ଟି ଏକଲବ୍ୟ ମଡେଲ୍ ସ୍କୁଲ୍ ଥିବା ବେଳେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ସମସ୍ତ ଆଦିବାସୀ ବହୁଳ ବ୍ଲକ୍‌ରେ ଏହି ସ୍କୁଲ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି।

ସାରା ଦେଶରେ ଆଦିବାସୀ ବହୁଳ ୪୬୨ଟି ବ୍ଲକ୍‌ରେ ଏହି ସ୍କୁଲ୍ ଖୋଲାଯିବ। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ୍‌ ପ୍ରତିଷ୍ଠା ହେବ। ଏଥିପାଇଁ ମଡେଲ ସ୍କୁଲ୍ ନିର୍ମାଣ ପିଛା ୩୨ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିବ। ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ଏଗୁଡ଼ିକରେ ପାଠପଢ଼ା ହେବ। ଉଭୟ ପୁଅ ଓ ଝିଅଙ୍କ ପାଇଁ ହଷ୍ଟେଲ୍‌ ତିଆରି ହେବ।

ଏଥିସହ ପ୍ରତି ପିଲାଙ୍କ ପିଛା ୬୧ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇ ୧ ଲକ୍ଷ ୯ ହଜାର ଟଙ୍କା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଏଥିସହ ବିଦ୍ୟାଳୟ ପରିଚାଳନା ଲାଗି ନବୋଦୟ ବିଦ୍ୟାଳୟ ସମିତି ଢାଞ୍ଚାରେ କମିଶନରେଟ୍‌ ପ୍ରତିଷ୍ଠା କରାଯିବ ବୋଲି ଜୁଏଲ କହିଛନ୍ତି।

Comment