ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି କରିଡ଼ରରେ ଝଡ଼।

କେତେବେଳେ ଚାଷୀ ତ ପୁଣି କେତେବେଳେ ମହିଳା ପ୍ରସଙ୍ଗ। ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏବେ ପୁଣି ଏକ ବିବାଦରେ ଛନ୍ଦି ହୋଇଛନ୍ତି। ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତମାନେ ନିର୍ଦୋଷରେ ଖଲାସ ହେବା ପରେ ମହାରଥୀ ଦେଇଥିବା ବୟାନକୁ ନେଇ ଗୁରୁବାର ଦିନ ସାରା ଝଡ଼ ବହିଛି।

ବିରୋଧୀ କଂଗ୍ରେସ ଏବଂ ବିଜେପି ମହାରଥୀଙ୍କୁ ଟାର୍ଗେଟ କରିଥିବା ବେଳେ ମହାରଥୀଙ୍କ ପାଇଁ ଓକିଲାତି କରିଛନ୍ତି ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ଆଜି ଦିନ ସାରା ବୋବାଲ ଚାଲିଥିଲା।

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଘଟଣାର ରାୟ ଗତ ୨୪ ତାରିଖରେ ଆସିଥିଲା। ପ୍ରମାଣ ଅଭାବରୁ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରାଯାଇଥିଲା। ଏହି ରାୟ ପରେ ମହାରଥୀ କହିଥିଲେ ଯେ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା। ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ମହାରଥୀଙ୍କୁ ଘେରିଛନ୍ତି।

ଟମାଟୋ, ଅଣ୍ଡା ମାଡ଼ କଲା କଂଗ୍ରେସ

ଗୁରୁବାର ଦିନ ମହିଳା କଂଗ୍ରେସ ପକ୍ଷରୁ ପ୍ରଥମେ ମହାରଥୀଙ୍କୁ ଟାର୍ଗେଟ କରାଯାଇଥିଲା। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସଭବନରୁ ବାହାରି ଲୋୟର ପିଏମ୍‌ଜିସ୍ଥିତ ମହାରଥୀଙ୍କ ବାସଭବନକୁ ଘେରାଉ କରିଥିଲେ।

ମହାରଥୀଙ୍କ ବାସଭବନକୁ ମହିଳା କଂଗ୍ରେସ କର୍ମୀ ଅଣ୍ଡା ଏବଂ ଟମାଟୋ ମାଡ଼ କରିବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ବିଜେପି ମାଗିଲା ଇସ୍ତଫା

ମହିଳା କଂଗ୍ରେସ କର୍ମୀଙ୍କ ବୋବାଲ ପରେ ବିଜେପି ପାର୍ଟି ଅଫିସରେ କରିଥିଲା ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତି ପରିଡ଼ା, ଅପରାଜିତା ଷଡ଼ଙ୍ଗୀ, ପୀତାମ୍ବର ଆଚାର୍ଯ୍ୟ ସିଧା ମହାରଥୀଙ୍କ ଇସ୍ତଫା ଦାବି କରିଥିଲେ। ମହାରଥୀ ଯଦି ଇସ୍ତଫା ନଦିଅନ୍ତି ଏବଂ ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ବହିଷ୍କାର ନକରନ୍ତି ତାହାଲେ ବିଜେପି ଦୁଇ ଦିନ ଧରି ସାରା ରାଜ୍ୟରେ ଆନ୍ଦୋଳନ କରିବ।

“ବିଜେପି ମହିଳା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, “ପୀଡ଼ିତା ନ୍ୟାୟ ପାଇଛି କହି ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି ମହାରଥୀ। ରାଜ୍ୟ ସରକାର ମହିଳାମାନଙ୍କୁ କେତେ ସମ୍ମାନ ଦେଉଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି। ଏଭଳି ସମ୍ବେଦନହୀନ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ”, କହିଛନ୍ତି ମହିଳା ବିଜେପି ସଭାନେତ୍ରୀ ପ୍ରଭାତି ପରିଡ଼ା।

ବିଜେପି ଏବଂ କଂଗ୍ରେସ ମହାରଥୀଙ୍କୁ ଘେରିବା ପରେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି।

“ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେଥିଲାଗି ସେମାନେ ମାଙ୍କଡ଼ ଡିଆଁ ମାରୁଛନ୍ତି। କିଛି କରିପାରୁନାହାନ୍ତି ସେଥିଲାଗି ଏମିତି ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି। ଲୋକଙ୍କ ପାଖରୁ ବିରୋଧୀ ଦୂରେଇ ଯାଇଛନ୍ତି। ବିରୋଧୀ ଅସହାୟ ହୋଇ ପଡ଼ିଥିବାରୁ ଏଭଳି କରୁଛନ୍ତି। ବିରୋଧୀଙ୍କ ପାଖରେ କୌଣସି କାମ ନାହିଁ”, କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

କ’ଣ ଥିଲା ଘଟଣା?

୨୦୧୧ ଡିସେମ୍ବର ମାସରେ ପିପିଲିର ଜନୈକା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପିପିଲି ଥାନାରେ ପୀଡ଼ିତାଙ୍କ ପରିବାର ବର୍ଗ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରି ନଥିଲା। ଖାଲି ସେତିକି ନୁହେଁ, ଗୁରୁତର ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଭଲ ଚିକିତ୍ସା ମିଳି ନଥିବା ଅଭିଯୋଗ ହୋଇଥିଲା। ପରେ ଚାପ ବଢ଼ିବାରୁ ପୀଡ଼ିତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଫାଇଲ ଫଟୋ

ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ପାଖାପାଖି ଦୁଇ ମାସ ଧରି ଚିକିତ୍ସିତ ହେବା ପରେ ୨୦୧୨ ଜୁନ୍ ୨୧ରେ ପୀଡ଼ିତା ଆଖି ବୁଜିଥିଲେ। ସୋତବେଳେ ଏହି ପିପିଲି ପୀଡ଼ିତାଙ୍କୁ ନେଇ ରାଜନୀତି ଜୋର୍ ଧରିବା ପରେ ମହାରଥୀଙ୍କ ମନ୍ତ୍ରୀ ପଦ ଚାଲି ଯାଇଥିଲା।

ଶେଷରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ୭ ବର୍ଷ ଧରି ତଦନ୍ତ ଚାଲିବା ପରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଏବଂ ତାଙ୍କ ଭାଇ ସୁକାନ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି।

ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

ପିପିଲି ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ ଠିକ୍ ଭାବେ କ୍ରାଇମବ୍ରାଞ୍ଚ କରି ନଥିବା ଅଭିଯୋଗ ହେବା ପରେ ଏଡିଜି ସନ୍ତୋଷ ଉପାଧ୍ୟାୟ ପ୍ରତିକ୍ରିୟା ରଖିଛନ୍ତି। କ୍ରାଇମବ୍ରାଞ୍ଚ ତଳ କୋର୍ଟର ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିବ ବୋଲି ସେ କହିଛନ୍ତି।

Comment