ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ରାଜନେତାମାନେ ଦୀର୍ଘ ଭାଷଣ ଦେଇଥାନ୍ତି। ପାଖାପାଖି ଏକ ଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭାଷଣ ଦେଇଥାନ୍ତି। ଅଧିକାଂଶ ସମୟ ନେତାଙ୍କ ଭାଷଣ ଶୁଣି ଲୋକମାନେ ବିରକ୍ତ ହୋଇଥାନ୍ତି। କିନ୍ତୁ ଏବେ ଲମ୍ବା ଭାଷଣ ଦେଇ ଭାରତର ଜଣେ ଯୁବକ ଯତୀଶ ଚନ୍ଦ୍ର ଶୁକ୍ଳା ବିଶ୍ୱ ରେକର୍ଡ କରିଛନ୍ତି।

୧୦୦ ଘଣ୍ଟାରୁ ଅଧିକ ସମୟ ଭାଷଣ ଦେବା ସହ ନେପାଳର ଅନନ୍ତାଙ୍କ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି ଯତୀଶ। ପୂର୍ବରୁ ନେପାଳର ଅନନ୍ତା ୯୦ ଘଣ୍ଟା ୨ ମିନିଟର ଭାଷଣ ଦେଇ ବିଶ୍ୱରେକର୍ଡ ନିଜ ନାଁରେ କରିଥିଲେ।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳର ଯତୀଶ ଚନ୍ଦ୍ର ଶୁକ୍ଳା ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଭାଷଣ ଦେବା ପରେ ମଧ୍ୟ ଅଟକି ନାହାନ୍ତି। ଯତୀଶ କହିଛନ୍ତି, “ମୁଁ ଏତେ ଘଣ୍ଟା ଧରି ଭାଷଣ ଦେବାକୁ ଚାହୁଁଛି ଯାହାଫଳରେ ଏହି ରେକର୍ଡକୁ ଅନ୍ୟ କେହି ଏତେ ସହଜରେ ଭାଙ୍ଗି ପାରିବେ ନାହିଁ।”

ଏହାପୂର୍ବରୁ ଲଗାତାର ପଢ଼ିବା ଓ ପଢ଼ାଇବା କ୍ଷେତ୍ରରେ ବିଶ୍ୱରେକର୍ଡ କରିଥିବା ଯତୀଶଙ୍କ ନାଁରେ ଲମ୍ବା ସମୟ ଧରି ଭାଷଣ ଦେବାର ରେକର୍ଡ ମଧ୍ୟ ଯୋଡ଼ି ହୋଇଯାଇଛି। ଏହି ଦୀର୍ଘ ଭାଷଣ ଦେଇ ବିଶ୍ୱରେକର୍ଡ କରିଥିବା ଯତୀଶ ଏହା ମଧ୍ୟରେ ୬ ଘଣ୍ଟା ୯ ମିନିଟର ୩୨ଟି ବ୍ରେକ ନେଇଥିଲେ।

Comment