ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ।

ଲୋକସଭା ନିର୍ବାଚନ ଯେତିକି ନିକଟତର ହେଉଛି ଜାତୀୟ ରାଜନୀତି ପାଣିପାଗ ସେତିକି ଉଷ୍ମ ହେଉଛି। ବିଜେପିର ବିଜୟ ରଥରେ ବ୍ରେକ୍ ଲଗାଇବା ପାଇଁ ବିରୋଧୀମାନେ ଏକାଠି ହେଉଛନ୍ତି। ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି ମମତା ବାନାର୍ଜୀ।

ଉତ୍ତରପ୍ରଦେଶରେ ମୋଦିଙ୍କ ବିରୋଧରେ ଅଖିଳେଶ ଯାଦବ ଏବଂ ମାୟାବତୀ ହାତ ମିଳାଇଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଶୁକ୍ରବାର ଦିନ ରଣହୁଙ୍କାର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି।

୨୦ଟି ବିରୋଧୀ ରାଜନୈତିକ ଦଳଙ୍କୁ ଏକାଠି କରି ମମତା କୋଲକାତାରେ ଶୁକ୍ରବାର ଶକ୍ତି ପ୍ରଦର୍ଶନ କରିବେ। ମୋଦିଙ୍କ କୁଶାସନକୁ ବିରୋଧରେ ଏହି ସମାବେଶ ବୋଲି ଜଣାପଡ଼ିଛି।

ମମତାଙ୍କ ଏହି ସମାବେଶକୁ ଚିଠି ଲେଖି ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତେବେ ରାହୁଲ ଏହି କୁଶାସନ ବିରୋଧୀ ରାଲିରେ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାଇଛନ୍ତି।

ରାହୁଲ ଗାନ୍ଧିଙ୍କ ବଦଳରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ମାୟାବତୀଙ୍କ ବଦଳରେ ସତୀଶ ମିଶ୍ର ଯୋଗ ଦେବେ।

କୋଲକାତାରେ ହେବାକୁ ଥିବା ସମାବେଶରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ, ଏନ୍‌ସିପି ନେତା ଫାରୁକ ଅବଦୁଲ୍ଲା, ଏନସିପି ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ସାମିଲ ହେବେ।

Comment