ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ମହିଳା ହଟହଟା ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ଯୋଗୁଁ ପ୍ରବଳ ଥଣ୍ଡା ସତ୍ତ୍ୱେ ୩ ବର୍ଷ ଶିଶୁର ଜ୍ୟାକେଟ ଖୋଲିବାକୁ ପଡ଼ିଛି। ବିଶ୍ୱନାଥ ଜିଲ୍ଲାରେ ଆୟୋଜିତ ସଭାରେ ଯୋଗଦେବାକୁ ଆସିଥିବା ମହିଳା ଏବଂ ତାଙ୍କ ଶିଶୁର ଏହି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

ଶିଶୁଟି କାନ୍ଦୁଥିବା ଅବସ୍ଥାରେ ମା’ ତାର କଳା ଜ୍ୟାକେଟକୁ ଖୋଲୁଛି।  ଆସାମର ସ୍ଥାନୀୟ ଟିଭି ଚ୍ୟାନେଲ ଗୁଡ଼ିକ ଏହି ଖବରକୁ ପ୍ରସାରଣ କରିଛନ୍ତି। ଘଟଣାକୁ ନେଇ ବିବାଦ ଉପୁଜିବାରୁ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱନାଥ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସଭା କାର୍ଯ୍ୟ ରହିଥିଲା। ପୂର୍ବରୁ ମନ୍ତ୍ରୀ ଏବଂ ବିଧାୟକଙ୍କୁ କଳାପତାକା ଦେଖାଇ ବିକ୍ଷୋଭ କରାଯାଉଥିବାରୁ ସମାବେଶରେ ଯେଭଳି ଅଘଟଣ ନଘଟିବ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପୁଲିସକୁ କଳା ରଙ୍ଗ ଭୟ ଥିବାରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇ ସଭାସ୍ଥଳକୁ ଛଡ଼ାଯାଉଥିଲା। ଲୋକେ ଆଣିଥିବା କଳା କପଡ଼ା, ରୁମାଲ, ମଫଲର, ସାଲ, ସ୍ୱେଟର ସବୁ କାଢ଼ି ଗୋଟିଏ ସ୍ଥାନରେ ଜମା କରାଯାଇଥିଲା।

ଯାଞ୍ଚ ସମୟରେ ଶିଶୁଟି କଳା ଜ୍ୟାକେଟ ପିନ୍ଧିଥିବାରୁ ଜ୍ୟାକେଟ ଓହ୍ଲାଇବାକୁ ମା’କୁ ନିର୍ଦ୍ଦେଶ ଦେଇଥିଲା ପୋଲିସ। ଶିଶୁଟି ପ୍ରବଳ ଥଣ୍ଡାରେ କେବଳ ସାର୍ଟ ପିନ୍ଧିଥିବାର ନଜର ଆସିଛି। ବିବାଦ ପରେ ପୋଲିସ ଅଧିକାରୀ ମଧ୍ୟ ସଫେଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କଳା ଜ୍ୟାକେଟ ପ୍ରଦର୍ଶନ ଆଶଙ୍କାରେ ଶିଶୁଟିର ଜ୍ୟାକେଟ ଓହ୍ଲାଯାଇଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ।

Comment