ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ପଶ୍ଚିମବଙ୍ଗ ଝଡ଼, ସିବିଆଇ ମାମଲାରେ ମମତା ଓ କେନ୍ଦ୍ର ମୁହାଁମୁହିଁ। କୋଲକାତାରେ ସିବିଆଇ-ପୋଲିସ ମାମଲାରେ ରାଜ୍ୟପାଳଙ୍କୁ ରିପୋର୍ଟ ତଲବ।

  • କୋତକାତାରେ ହାଇଡ୍ରାମା ଜାରି
  • ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି – ବିଜେଡି
  • ସିବିଆଇକୁ ତଦନ୍ତରେ ସହଯୋଗ କରୁନାହାନ୍ତି କୋଲକାତାର ପୋଲିସ – ରାଜନାଥ
  • ଅଭିଯୁକ୍ତଙ୍କୁ ରାଜନୈତିକ ସୁରକ୍ଷା ଦିଆଯାଉଛି – ରାଜନାଥ
  • ରାଜ୍ୟପାଳଙ୍କୁ ରିପୋର୍ଟ ତଲବ
  • ମମତା କରିଛନ୍ତି ସମ୍ବିଧାନ ଉଲ୍ଲଘଂନ – ବିଜେପି
  • ‘ପ୍ରତିଶୋଧ ନେଉଛନ୍ତି କେନ୍ଦ୍ର ସରକାର’

ରବିବାର ସଂଧ୍ୟାରୁ କୋଲକାତା ମେଟ୍ରୋ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣା ଜାରି ରହିଛି। ମମତାଙ୍କ ସହିତ ଟିଏମସିର କିଛି ବରିଷ୍ଠ ନେତା କର୍ମୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ସୋମବାର ପଶ୍ଚିମବଙ୍ଗର ସିବିଆଇ-ପୋଲିସ ବିବାଦ ମାମଲାକୁ ନେଇ ସଂସଦରେ ବିଭିନ୍ନ ଦଳ ପକ୍ଷରୁ ମତ ରଖାଯାଇଛି। ପ୍ରାୟତଃ ସମସ୍ତ ବିରୋଧୀ ମମତାଙ୍କ ସପକ୍ଷରେ ବାହାରିଛନ୍ତି। ବିଜେଡି ପକ୍ଷରୁ ମତ ରଖି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି,” ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି।”

ବିଭିନ୍ନ ଦଳର ପକ୍ଷ ଓ ହଙ୍ଗାମା ଭିତରେ ଗୃହମନ୍ତ୍ରୀ  ରାଜନାଥ ସିଂ ମଧ୍ୟ ବିବୃତି ରଖିଛନ୍ତି। ରାଜନାଥ ନିଜ ବିବୃତିରେ କହିଛନ୍ତି, ”ଚିଟଫଣ୍ଡ ତଦନ୍ତ କରୁଥିବା ସିବିଆଇ ଅଧିକାରୀଙ୍କୁ ରୋକାଯାଇଛି। ସିବିଆଇକୁ ତଦନ୍ତରେ ସହଯୋଗ କରୁନାହାନ୍ତି କୋଲକାତାର ପୋଲିସ କମିଶନର। ସେଠାରେ ଅଭିଯୁକ୍ତଙ୍କୁ ରାଜନୈତିକ ସୁରକ୍ଷା ଦିଆଯାଉଛି। ଯାହା ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ଅଟେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଚିଟଫଣ୍ଡରେ ସମ୍ପୃକ୍ତ ଅଛନ୍ତି। ଏ ନେଇ ରାଜ୍ୟପାଳଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ମଗାଯାଇଛି। ସିବିଆଇ ତଦନ୍ତ, କେନ୍ଦ୍ର ସରକାର ନିଜ ଇଛାରେ କରିନଥାନ୍ତି। ସିବିଆଇ ତ କାମ କରୁଛି।

ଅନ୍ୟପଟେ ଏହି ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ହେବାରୁ ବାଚସ୍ପତି ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Comment