ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନୋଟି ପ୍ରମୁଖ ଦାବିକୁ ନେଇ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ମହାସଂଘ ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଇ-ଷ୍ଟାମ୍ପ ପେପର ବିକ୍ରୟ ଉପରେ ରୋକ ଲଗାଇବା, କୋର୍ଟ ଫି ଷ୍ଟାମ୍ପ ଉପରେ ମିଳୁଥିବା କମିଶନକୁ ୧୦ ପ୍ରତିଶତକୁ ବୃଦ୍ଧି କରିବା, ପ୍ରତ୍ୟେକ ଷ୍ଟାମ୍ପ ଭେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ ନିମନ୍ତେ କ୍ଷମତା ପ୍ରଦାନ କରିବାକୁ ମହାସଂଘ ଦାବି କରିଛି।

ମହାସଂଘ ପକ୍ଷରୁ କୁହାଯାଇଛି ଯେ ନନ୍ ଜୁଡିସିଆଲ ଷ୍ଟାମ୍ପ କ୍ରୟ ଓ ବିକ୍ରୟ ଉପରେ ରାଜସ୍ୱ ବିଭାଗ ଓଡ଼ିଶା ଷ୍ଟାମ୍ପଭେଣ୍ଡରମାନଙ୍କୁ ଏକ କାଳୀନ ଭାବେ ଗୋଟିଏ ଦଲିଲ ଉପରେ ୫ ଲକ୍ଷ ଟଙ୍କାର ବିକ୍ରୟ ପାଇଁ  କ୍ଷମତା ପ୍ରଦାନ କରାଯାଇଛି।  ମାତ୍ର ବର୍ତ୍ତମାନ ରାଜ୍ୟ ସରକାର ଷ୍ଟକ୍ ହୋଲ୍ଡିଂ କର୍ପୋରେସନଙ୍କୁ ୫ ବର୍ଷ ପାଇଁ ଏହି ଦଲିଲ୍ ବିକ୍ରୟ କରିବାର କ୍ଷମତା ପ୍ରଦାନ କରିଛନ୍ତି। ଫଳରେ ଓଡ଼ିଶା ଷ୍ଟାମ୍ପ ଭେଣ୍ଡରମାନଙ୍କୁ କ୍ଷତି ସହିବାକୁ ପଡୁଛି। ତେଣୁ ଷ୍ଟକ୍ ହୋଲ୍ଡିଙ୍ଗି କର୍ପୋରେସନ ଦ୍ୱାରା ପରିଚାଳିତ ହୋଇଥିବା ଇ-ଷ୍ଟାମ୍ପକୁ ମହାସଂଘ ବିରୋଧ କରିଛି।

ସେହିପରି ଆଇନ୍ ବିଭାଗ ଦ୍ୱାରା ପରିଚାଳିତ କୋର୍ଟ ଫି ଷ୍ଟାମ୍ପ ବା ଜୁଡିସିଆଲ ଷ୍ଟାମ୍ପ ଉପରେ କମିଶନ ବାବଦରେ ୧ଟଙ୍କା ୫୦ ପଇସା ମିଳୁଛି। ଏହାକୁ ବୃଦ୍ଧି କରି ୧୦ ପ୍ରତିଶତ କରିବାକୁ ମହାସଂଘ ଦାବି କରିଛି।

ଏହି ଦାବି ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କିଛି ପ୍ରତିକାର କରାଯାଇ ନାହିଁ।

ଦାବି ପୂରଣ ପାଇଁ ମହାସଂଘ ଫେବ୍ରୁଆରି ୧୭ ତାରିଖ ଯାଏଁ ରାଜ୍ୟ ସରକାରଙ୍କୁ ଡେଡ୍‌ଲାଇନ୍ ଦେଇଛି।  ଯଦି ଦାବି ପୂରଣ ନହୁଏ ମହାସଂଘ ପକ୍ଷରୁ ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଷ୍ଟାମ୍ପଭେଣ୍ଡର ମହାସଂଘର ସଭପତି ଅନନ୍ତ ପ୍ରସାଦ ଜେନା, ସମ୍ପାଦକ ରାମକୃଷ୍ଣ ପରିଡ଼ା, ୟୁଗ୍ମ ସମ୍ପାଦକ ବେଣୁଧର ମିଶ୍ର, ଉପଦେଷ୍ଟା ନିରଞ୍ଜନ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ।

Comment