ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବାରବାଟୀ-କଟକରେ ଏଥର ହେବ ତ୍ରିମୁଖି ଲଢ଼େଇ। ତିନି ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି।

କଟକ ଜିଲ୍ଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ବାରବାଟୀ-କଟକ। ଏହି ଆସନକୁ କିଏ ହାତେଇବ ତାକୁ ନେଇ ସବୁବେଳେ ଛକାପଞ୍ଝା ଲାଗି ରହିଥାଏ। ୨୦୦୯ରୁ ବାରବାଟୀ-କଟକ ନୂଆ ନିର୍ବାଚନମଣ୍ଡଳୀ ହେବା ପରେ ବିଜେଡି ଏହି ଆସନକୁ କବ୍‌ଜାରେ ରଖି ଆସିଛି। କିନ୍ତୁ କଂଗ୍ରେସ ଏହି ଆସନକୁ ବିଜେଡି ହାତରୁ ଛଡ଼ାଇ ନେବାକୁ ଚାହୁଁଥିଲେ ମଧ୍ୟ ଏଥିରେ ସଫଳ ହେଉନି।

୨୦୧୯ରେ ପୁଣି ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ହେବ। ବିଜେପି ଏବେ ସଙ୍ଗଠନ ସଜାଡ଼ି ଉଭୟ ଦଳକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି।

କଂଗ୍ରେସର ମୋକିମ୍ ବନାମ ବିଜେଡିରୁ କିଏ?

୨୦୦୯ରେ ନୂଆ ନିର୍ବାଚନମଣ୍ଡଳୀ ହେବା ପରେ ବାରବାଟୀ-କଟକରୁ ବିଜେଡି ଟିକେଟରେ ଲଢ଼ିଥିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ହୋଇଥିଲେ ମଧ୍ୟ କଟକରୁ ତାଙ୍କୁ ପ୍ରାର୍ଥୀ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ବିଜେଡିର ହାୱା ବଳରେ ଦେବାଶିଷ ନିର୍ବାଚନ ଜିତିଥିଲେ। ସୁରେଶ ମହାପାତ୍ରଙ୍କୁ କଂଗ୍ରେସ ଏବଂ ସମୀର ଦେଙ୍କୁ ବିଜେପି ୨୦୦୯ରେ ପ୍ରାର୍ଥୀ କରିଥିଲା। ହେଲେ ଦେବାଶିଷ ବାଜି ମାରି ନେଇଥିଲେ।

୨୦୧୪ରେ ମଧ୍ୟ ଦେବାଶିଷଙ୍କୁ ବିଜେଡି ପ୍ରୋଜେକ୍ଟ କରିଥିଲା। ଦେବାଶିଷଙ୍କ ଲୋକସମ୍ପର୍କ ଭଲ ନଥିବାରୁ ତାଙ୍କୁ ଟିକେଟ ମିଳି ନପାରେ ବୋଲି ଚର୍ଚ୍ଚା ହେଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଦେବାଶିଷ ହିଁ ବିଜେଡି ଟିକେଟ ନେଇଥିଲେ।

ଦେବାଶିଷଙ୍କ ବିରୋଧରେ କଂଗ୍ରେସ ପୁଣି ମୋକିମ୍‌ଙ୍କୁ ପ୍ରୋଜେକ୍ଟ କରିଥିଲା। ବିଜେପି ଗତ ନିର୍ବାଚନରେ ସମୀର ଦେଙ୍କ ଜାଗାରେ ପ୍ରଦୀପ ସ୍ୱାଇଁଙ୍କୁ ଟିକେଟ ଦେଇଥିଲା। ହେଲେ ପୁଣି ଜିତାପଟ କରିଥିଲେ ଦେବାଶିଷ।

୨୦୧୯ ନିର୍ବାଚନରେ ବାରବାଟୀ-କଟକର ରାଜନୀତିକ ପାଣିପାଗ ବଦଳିବ ବୋଲି କୁହାଯାଉଛି। ଦେବାଶିଷ ବାରବାଟୀ-କଟକ ଛାଡ଼ି ପାରାଦୀପ ନିର୍ବାଚନମଣ୍ଡଳୀରୁ ଲଢ଼ିବାକୁ ଗୋଟି ଚାଳନା କରୁଛନ୍ତି। ଏଣୁ ବିଜେଡି ଏଠାରେ ନୂଆ ମୁହଁ ଖୋଜୁଛି।

କଂଗ୍ରେସ ପୁଣିଥରେ ମୋକିମ୍‌ଙ୍କ ଉପରେ ଭରସା କରିଥିବା ବେଳେ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ପଡ଼ିଛି। ଚର୍ଚ୍ଚା ହେଉଛି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ବିଶ୍ୱଜିତ ମହାନ୍ତିଙ୍କୁ ଏହି ଆସନରୁ ବିଜେପି ଟିକେଟ ଦେବ।

ଦେବାଶିଷଙ୍କ ଜାଗାରେ ବିଜେଡି ସୁବାସ ସିଂଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ବାମ ଦଳ ଛାଡ଼ି ସୁବାସ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଥିଲେ। କିନ୍ତୁ ଏଥିରେ ସେ ସଫଳ ହୋଇ ନଥିଲେ। ଦେବାଶିଷ କଟକ ଛାଡ଼ି ପାରାଦୀପ ଯିବା ପାଇଁ ସଜବାଜ ହେଉଥିବାରୁ ସୁବାସ ଏହି ଆସନ ଉପରେ ନଜର ପକାଇଛନ୍ତି।

ସୁବାସ ହିଁ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କୁ ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି। ସୁବାସ କଟକରେ ଜଣେ ଜଣାଶୁଣା ଚେହେରା ଏବଂ ତାଙ୍କ ହାତରେ ବସ୍ତି ଭୋଟ ରହିଥିବାରୁ ତାଙ୍କୁ ବିଜେଡି ଅଧିକ ଗୁରୁତ୍ୱ ଦେଉଛି। ଯଦି ଦେବାଶିଷ ପାରାଦୀପ ନ ଯାଆନ୍ତି ତାହାଲେ ସେ କଟକରୁ ଲଢ଼ିବେ ଏହା ନିଶ୍ଚିତ।

କ’ଣ କହୁଛି ଗଣିତ?

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ରୂପ ନେବା ପୂର୍ବରୁ ଏହା କଟକ ନିର୍ବାଚନମଣ୍ଡଳୀରେ ପରିଗଣିତ ହେଉଥିଲା। ୨୦୦୦ରୁ ୨୦୦୯ ଯାଏଁ ବିଜେପି-ବିଜେଡି ମେଣ୍ଟରୁ ସମୀର ଦେ ପ୍ରାର୍ଥୀ ହେଉଥିଲେ। କାରଣ ବିଜେପି ଭାଗରେ କଟକ ଆସନଟି ପଡ଼ିଥିଲା। ସମୀର ଏଠାରୁ ଦୁଇ ଦୁଇ ଥର ବିଧାୟକ ଭାବେ ଜିତି ମନ୍ତ୍ରୀ ହୋଇଥିଲେ।

୨୦୦୯ରେ ବିଜେପି, ବିଜେଡି ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ଆଉ ସେତେବେଳେ ହିଁ କଟକକୁ ତିନୋଟି ନିର୍ବାଚନମଣ୍ଡଳୀରେ ଭାଗ ଭାଗ କରାଯାଇଥିଲା। ବାରବାଟୀ-କଟକ, ଚୌଦ୍ୱାର-କଟକ ଏବଂ କଟକ-ସଦର ନିର୍ବାଚନମଣ୍ଡଳୀ ହୋଇଥିଲା।

ବାରବାଟୀ-କଟକରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟ ୫୨ ହଜାର ୯୭ ଭୋଟ ପାଇଥିବା ବେଳେ କଂଗ୍ରେସର ସୁରେଶ ମହାପାତ୍ର ୨୭ ହଜାର ୬୧୨ ଭୋଟ ପାଇଥିଲେ। ସମୀର ଦେ ପାଇଥିଲେ ୧୫ ହଜାର ୧୩୧ ଭୋଟ।

କଟକ ହେଉଛି ପୁରୁଣା ସହର। ଏଠି ମୁଖ୍ୟତଃ ଲୋକସମ୍ପର୍କ କାମ କରିଥାଏ। ଯେଉଁ ନେତାଙ୍କର ଯେତେ ସମ୍ପର୍କ ସେହି ନେତା ସେତେ ଭୋଟ ଟାଣିଥାନ୍ତି। ଏହାସହ ବାରବାଟୀ-କଟକରେ ବସ୍ତି ସଂଖ୍ୟା ଅଧିକ ଥିବାରୁ ବସ୍ତିବାସିନ୍ଦାଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେଇଥାଏ। ଏଣୁ ସବୁ ଦଳ ବସ୍ତିବାସିନ୍ଦାଙ୍କ ଭୋଟ ଉପରେ ନଜର ରଖିଥାନ୍ତି।

ଯେଉଁ ଦଳ ବସ୍ତିବାସିନ୍ଦା ଭୋଟ ହାତେଇ ପାରିଲା ସେହି ଦଳର ବିଜୟ ଏକପ୍ରକାର ନିଶ୍ଚିତ।

Comment