ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିରେ ଟିକେଟ ଲବି ଜୋର୍। ଆଶାୟୀଙ୍କ ଭିଡ଼ ଯୋଗୁଁ ଦଳରେ ହୋଇପାରୁ ନାହିଁ ଟିକେଟ ନିଷ୍ପତ୍ତି।

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ-ବିଜେପି ପକ୍ଷରୁ ବିଧିବଦ୍ଧ ଭାବରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଶାସକ ବିଜେଡିରେ କିନ୍ତୁ ପ୍ରାର୍ଥୀ ଚୟନ ନେଇ କୌଣସି ସୋର ଶବ୍ଦ ନାହିଁ। ଏହାର କାରଣ ହେଉଛି ଟିକେଟ ପାଇବା ପାଇଁ ଅନେକେ ଆଶା ବାନ୍ଧି ବସିଛନ୍ତି। ସଂଖ୍ୟାଧିକ ଅଶାୟୀଙ୍କ ଯୋଗୁଁ କାହାକୁ ଟିକେଟ ଦିଆଯିବ କାହାକୁ ନାହିଁ ତାହା ଏକ ସମସ୍ୟା ହୋଇଛି।

ବିଜେଡିର ନିର୍ବାଚନ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାର ଠୋସ ପ୍ରମାଣ ହେଉଛି ଏ ସମ୍ପର୍କରେ ଦଳ ଭିତରେ କେହି କିଛି ଖୋଲା ଖୋଲି ଆଲୋଚନା ବି କରୁନାହାନ୍ତି। ତେବେ ବିଜେଡି ମହଲରେ ଯାହା ଚର୍ଚ୍ଚା ହେଉଛି ବର୍ତ୍ତମାନ ସାଂସଦ ଥିବା ଅନେକଙ୍କୁ ଟିକେଟ ମିଳିବ ନାହିଁ। ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସକାଶେ ଆଗ୍ରହୀ, ଅନେକ ସଂସଦୀୟ କ୍ଷେତ୍ର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ।

ଆମଦାନୀଙ୍କୁ ଟିକେଟ

ଏଥର ନିର୍ବାଚନରେ ଶାସକ  ବିଜେଡି ନିର୍ବାଚନରେ ମହିଳାଙ୍କୁ ତ ଗୁରୁତ୍ୱ ଦେବ। ତାଛଡ଼ା ଯେଉଁମାନେ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଛନ୍ତି ସେମାନଙ୍କ କଥା ବି ପ୍ରଥମେ ବିଚାରକୁ ନିଆଯିବ।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏଥର ପ୍ରାର୍ଥୀ ଚୟନ ତିନୋଟି କଥାକୁ ନେଇ ମୁଖ୍ୟତଃ କରାଯିବ। ପ୍ରଥମେ ମହିଳା, ଦ୍ଵିତୀୟରେ ନୂଆ ମୁହଁ ଓ ତୃତୀୟରେ ଜିତିବାର ସମ୍ଭାବନା। ଯେଉଁ ସବୁ ପାର୍ଲାମେଣ୍ଟ ଓ ବିଧାନସଭା ଆସନରେ ଏବର ସାଂସଦ ଓ ବିଧାୟକ ବିଗତ ୫ ବର୍ଷ ମଧ୍ୟରେ  ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ହିଁ ପୁଣି ଟିକେଟ ଦିଆଯିବ, ଅନ୍ୟଥା ନାହିଁ। ତାଛଡ଼ା ଆଉ ଏକ ଖବର ଆସୁଛି ଯେ ବେଶ୍ କିଛି ସାଂସଦ ଏଥର ବିଧାୟକ ହେବା ପାଇଁ ଚାହୁଁଛନ୍ତି।

ସେହିକ୍ରମରେ କୋରାପୁଟ ସାଂସଦ ଝିନ ହିକ୍‌କାଙ୍କୁ ବଦଳାଯିବ। କାରଣ ସେ ବିଧାୟକ ପଦ ପାଇଁ ଇଛୁକ। ସେହିଭଳି ନବରଙ୍ଗପୁର ଲୋକସଭା ଆସନରେ ବି ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ କାରଣ ବର୍ତ୍ତମାନର ଏମ୍‌ପି ବଳଭଦ୍ର ମାଝି ଆଉ ଦିଲ୍ଲୀ ଯିବା ପାଇଁ ଇଚ୍ଛା କରୁନାହାନ୍ତି। ଆହୁରି ମଧ୍ୟ ଜଣାପଡ଼ିଛି ଯେ କଳାହାଣ୍ଡି ଓ ବରଗଡ଼ ସାଂସଦ  ଏଥର ପରିବର୍ତ୍ତନ ହେବେ।

ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ବରଗଡ଼ରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଯେହେତୁ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ନବ ଦାସ ଝାରସୁଗୁଡ଼ାରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବେ। ତେଣୁ କିଶୋର ମହାନ୍ତି ଲୋକସଭା ପାଇଁ ବରଗଡ଼ରୁ ଟିକେଟ ପାଇବା ପ୍ରାୟ ନିଶ୍ଚିତ।

ଦିଲ୍ଲୀପ ତିର୍କୀ ଯିବେ!

କଳାହାଣ୍ଡି, ବରଗଡ଼, କୋରାପୁଟ, ନବରଙ୍ଗପୁର ସଂସଦୀୟ ଆସନ ବ୍ୟତୀତ ସମ୍ବଲପୁର, ସୁନ୍ଦରଗଡ ଓ ମୟୂରଭଞ୍ଜ ଲୋକସଭା ଆସନରେ ମଧ୍ୟ ପ୍ରାର୍ଥୀ ବଦଳିବେ। ଏହି ତିନୋଟି ଆସନ ପାଇଁ ଯେଉଁମାନେ ପ୍ରାର୍ଥୀ ଭାବେ ଠିଆ ହେବେ ସେମାନଙ୍କର ଜିତିବାର ସମ୍ଭାବନା କେତେ ତାହା ଦେଖାଯିବ। ପୂର୍ବତନ ହକି ଷ୍ଟାର ଦିଲ୍ଲୀପ ତିର୍କୀଙ୍କୁ ଆଉ ସୁନ୍ଦରଗଡ଼ରୁ ଟିକେଟ ମିଳିବ ନାହିଁ।  କାରଣ ଏହି ଆସନରୁ କଂଗ୍ରେସ ଛାଡ଼ି ଆସିଥିବା ଯୋଗେଶ ସିଂହଙ୍କୁ ଟିକେଟ ଦିଆଯିବ।

ଲୋକପ୍ରିୟତା ହ୍ରାସ 

ବିଜେଡି ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ଏଥର ନିର୍ବାଚନରେ କିଛି ମାତ୍ରାରେ କ୍ଷମତା ବିରୋଧୀ ମନୋଭାବ ବା ଆଣ୍ଟି ଇନକମ୍ବେନ୍‌ସି କାମ କରିବା ନିଶ୍ଚିତ। ଏଣୁ ଦଳର ନେତୃତ୍ୱ ବୁଝିଛନ୍ତି ଯେ ବର୍ତ୍ତମାନ ସମୟର ଆହ୍ୱାନ ହେଉଛି ପ୍ରାର୍ଥୀଙ୍କୁ ବଦଳାଇବା। ଅବଶ୍ୟ ବିଜେଡି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କୌଣସି ହାୱା ନାହିଁ। କିନ୍ତୁ ଅଧିକାଂଶ ସାଂସଦ ଓ ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀରେ  ଲୋକପ୍ରିୟତା ହରାଇଛନ୍ତି। କାରଣ ବିଗତ ୫ ବର୍ଷ ଭିତରେ ସେମାନେ ବିଶେଷ କିଛି କାମ କରି ଦେଖାଇ ପାରି ନାହାନ୍ତି।

Comment