ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷିଋଣ ଛାଡ଼ କରିଥିଲେ ହାତଗଣତି ଚାଷୀ ଉପକୃତ ହୋଇଥାନ୍ତେ – ମୋଦି।

ଉତ୍ତରପ୍ରଦେଶର ଗୋରଖପୁରରେ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି କୃଷିଋଣ ଛାଡ଼ ସମ୍ପର୍କରେ ମତ ଦେଇଛନ୍ତି। କଂଗ୍ରେସ ଭଳି କାହିଁକି ତାଙ୍କ ସରକାର କୃଷିଋଣ ଛାଡ଼ କଲେନି ତାର କାରଣ କହିଛନ୍ତି ମୋଦି।

“ଆମ ସରକାର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଯୋଜନାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗତ ୩୦ରୁ ୪୦ ବର୍ଷ ହେଲା ସିଞ୍ଚାଇ ଯୋଜନା ସାରା ଦେଶରେ ଝୁଲିକି ରହିଥିଲା। ଏହାର ଲାଭ କୃଷକମାନେ ପାଉ ନଥିଲେ। କୃଷକମାନେ ଏହାର କେମିତି ଲାଭ ପାଇବେ ସେଥିପାଇଁ କେନ୍ଦ୍ର ସରକାର ଏହି ଯୋଜନାରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ଆମେ କୃଷିଋଣ ଛାଡ଼ କରିଥାନ୍ତୁ ତାହାଲେ ଅଳ୍ପ କିଛି କୃଷକଙ୍କୁ ଏହାର ଫାଇଦା ମିଳିଥାନ୍ତା”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“କୃଷିଋଣ ଛାଡ଼ କରିଥିଲେ କିଛି ଉପରସ୍ତରର କୃଷକ ଉପକୃତ ହୋଇଥାନ୍ତେ। ଯେଉଁ କୃଷକମାନେ ବ୍ୟାଙ୍କରୁ ଋଣ ନେଇଛନ୍ତି ସେମାନଙ୍କୁ ହିଁ ଏହାର ଲାଭ ମିଳିଥାନ୍ତି। ହେଲେ ଅନ୍ୟ କୃଷକମାନଙ୍କୁ କ’ଣ ମିଳିଥାନ୍ତା? ଆମ ସରକାର ଦେଶର କୋଟି କୋଟି ଚାଷୀ ଭାଇଙ୍କ କଥା ବୁଝୁଛନ୍ତି”, କହିଛନ୍ତି ପ୍ରଧାନମନ୍ତ୍ରୀ।

ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଆସିବା ପରେ ଏଠାରେ କୃଷିଋଣ ଛାଡ଼ କରାଯାଇଛି। ମୋଦି ସରକାର କୃଷିଋଣ ଛାଡ଼ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ଯୋଜନା ଲାଗୁ କରିଛନ୍ତି।

Comment