ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ଷଷ୍ଠ ସ୍ଥାନରେ ପହଞ୍ଚିଲେ। ଲୋକେଶ ରାହୁଲ ହେଉଛନ୍ତି ଟିମ୍ ଇଣ୍ଡିଆର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଆଇସିସି ଟି-୨୦ ରାଙ୍କିଙ୍ଗ୍‌ର ଟପ୍-୧୦ରେ ଅଛନ୍ତି। ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ନୂଆ ଲିଷ୍ଟରେ ରାହୁଲ ୬ନଂ ସ୍ଥାନରେ ଅଛନ୍ତି।

ସେହିପରି ଆଇସିସି ଟି-୨୦ର ନମ୍ବର ୱାନ କୁହାଯାଉଥିବା ଭାରତର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଲିଷ୍ଟ୍‌ର ୧୭ତମ ସ୍ଥାନରେ ରହିଛନ୍ତି। ଏହି ଧାରାରେ ମହେନ୍ଦ୍ର ସିଂହ ଧୋନି ୫୬ତମ ସ୍ଥାନରେ ଅଛନ୍ତି।

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଟିମ୍‌ ଇଣ୍ଡିଆ ହାରିଥିଲା। ରାହୁଲ ଏହି ସିରିଜର ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ୪୭ ଓ ୫୦ ରନ ସଂଗ୍ରହ କରିଥିଲେ। ଏହି ସ୍କୋର ତାଙ୍କ ଟି-୨୦ କ୍ୟାରିୟର ପାଇଁ ଭଲ ସାବ୍ୟସ୍ତ ହୋଇଛି।

ସେହିପରି ବୋଲିଂରେ ଭାରତୀୟ କ୍ରିକେଟ ଟିମ୍‌ର କୁଲଦୀପ ଯାଦବ ଦୁଇଟି ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ  ଅଛନ୍ତି। ଜସପ୍ରୀତ ବୁମ୍ରା ୧୫ତମ ସ୍ଥାନରେ ଥିବା ବେଳେ କୃନାଳ ପାଣ୍ଡ୍ୟା ଲିଷ୍ଟ୍‌ର ୪୩ତମ ସ୍ଥାନରେ ପହଞ୍ଚିଛନ୍ତି।

ଟେଲିଭିଜନ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’ରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଲୋକେଶ ରାହୁଲଙ୍କୁ ତୀବ୍ର ଅସନ୍ତୋଷର ଶୀକାର ହେବାକୁ ପଡ଼ିଥିଲା। ବର୍ତ୍ତମାନ ରାହୁଲ ପ୍ରମାଣ କରିଛନ୍ତି ଯେ, ତାଙ୍କ ବ୍ୟକ୍ତିଗତ ଜୀବନ ନିଜର କ୍ରିକେଟ କ୍ୟାରିଅର ଉପରେ ପ୍ରଭାବ ପକାଇବ ନାହିଁ।

Comment