ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ବିଜୟ। ନ୍ୟୁଜିଲାଣ୍ଡକୁ ୭ ରନ୍‌ରେ ହରାଇ ୫-୦ରେ କ୍ଲିନସୁଇପ କଲା ଭାରତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହାସହ ଭାରତ ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡରେ ସିରିଜ ଜିତିବା ସହ କ୍ଲିନସୁଇପ କରିଛି।

ଏହି ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ଓ ସଞ୍ଜୁ ସାମସନ୍‌ ପାଳି ଆରମ୍ଭ କରିଥିଲେ। ସଞ୍ଜୁ ସାମସନ୍‌ ୨ ରନ୍‌ରେ ଆଉଟ ହୋଇଯାଇଥିବା ବେଳେ ଲୋକେଶ ରାହୁଲ ଓ ରୋହିତ ଶର୍ମା ପାଳି ସମ୍ଭାଳିଥିଲେ।

ଭାରତ ପକ୍ଷରୁ ଲୋକେଶ ରାହୁଲ ୪୫ ରନ୍‌ ଓ ରୋହିତ ଶର୍ମା ୬୦ ରନ୍‌ କରିଥିଲା ବେଳେ ଶ୍ରେୟାସ ଆୟର ୩୩ ରନ୍‌ କରିଥିଲେ। ଫଳରେ ଦଳ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୧୬୩ ରନ୍‌ କରିଥିଲା।

ପରେ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳର ଦୁଇ ଓପନର ବେଶୀ ସମୟ ତିଷ୍ଠି ପାରିନଥିଲେ। ଗପ୍ଟିଲ ୨ ରନ୍‌ ଓ ମୁନ୍‌ରୋ ୧୫ ରନ୍‌ କରି ଆଉଟ ହୋଇଯାଇଥିଲେ। ପରେ ଟିମ୍‌ ସାଇଫେଟ୍‌ ଓ ରସ୍‌ ଟେଲର ପାଳି ସମ୍ଭାଳିଥିଲେ।

ଦଳ ପକ୍ଷରୁ ଟିମ୍‌ ସାଇଫଟ୍‌ ୫୦ ରନ୍‌ ଓ ରସ୍‌ ଟେଲର ୫୩ ରନ୍‌ କରିଥିଲେ। ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ। ଦଳ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୭ ରନ୍‌ରେ ଜିତି ନେଇଥିଲା।

Comment