ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କୋରେଇ ବିଧାନସଭା ଆସନରେ ଏଥର ନୂଆ ପ୍ରାର୍ଥୀ ଛିଡ଼ା କରିବ ବିଜେଡି? ଏମିତି ଏକ ଆଲୋଚନା ଜୋର ଧରିଛି। ଏହା ଜଣା ପଡ଼ିବା ପରେ ଟିକେଟ ପାଇବା ପାଇଁ ଅନେକ ଆଶାୟୀ ଧାଡ଼ି ଲଗାଇଛନ୍ତି।

ବିଜେଡି ମହଲରେ ଶୁଣାଯାଉଛି ଯେ ବର୍ତ୍ତମାନ କୋରେଇ ବିଧାୟକ ଥିବା ଫିଲ୍ମଷ୍ଟାର ଆକାଶ ଦାସ ନାୟକଙ୍କୁ ବଦଳାଇବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନସ୍ଥ କରିଛନ୍ତି। ଆକାଶଙ୍କ ସପକ୍ଷରେ ଲୋକ ନାହାନ୍ତି ବୋଲି ଆକଳନ କରାଯାଇଛି ଓ ସେହି ଦୃଷ୍ଟିରୁ ଜଣେ ନୂଆ ପ୍ରାର୍ଥୀ ଖୋଜା ଯାଉଛି। ସ୍ଥାନୀୟ ବିଜେଡି ନେତାମାନେ ମଧ୍ୟ ଆକାଶ ପୁଣି ପ୍ରାର୍ଥୀ ହେବା ଚାହୁଁ ନାହାନ୍ତି।

ଟିକେଟ ପାଇବା ଆଶାରେ ପ୍ରାର୍ଥୀମାନେ ଯେଉଁଭଳି ନିର୍ବାଚନ ମଣ୍ଡଳୀରେ ଲୋକ ସମ୍ପର୍କ ବଢ଼ାଇ ଦେଇଛନ୍ତି ସେଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଆକାଶ ଏଥର ଟିକେଟ ପାଇବା କଷ୍ଟ।

କୋରେଇ ଆସନ ପାଇଁ ପୂର୍ବତନ ମନ୍ତ୍ରୀ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଛିଡ଼ା କରାଯାଇପାରେ ବୋଲି ମଧ୍ୟ ଶୁଣାଯାଉଛି। ଏହି ଆସନଟି ତାଙ୍କ ବାପା ଅଶୋକ ଦାସଙ୍କ କବ୍‌ଜାରେ ଢେର ବର୍ଷ ଧରି ଥିଲା। ବବି ଦାସଙ୍କୁ ଛାଡ଼ିଦେଲେ ଆହୁରି ଅନେକ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି। ଏଥିରେ ଅଛନ୍ତି ଜିଲ୍ଲା ବିଜେଡି ସଭାପତି ନରେଶ ଚନ୍ଦ୍ର ମହାନ୍ତି ଓ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ପ୍ରତାପ ମହାନ୍ତି।

ମଜା କଥା ହେଲା ବର୍ତ୍ତମାନ ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ପୀୟୂଷ କାନ୍ତ ପାଣି ବି ଚର୍ଚ୍ଚାରେ ରହିଛନ୍ତି। ଆଇଆଇଟି ରୁର୍କୀରୁ ଏମ୍‌ଟେକ କରିଥିବା ପାଣି ଓଡ଼ିଶା ଅର୍ଥ ସେବା ସଂଘର ସାଧାରଣ ସମ୍ପାଦକ ମଧ୍ୟ ରହିଛନ୍ତି। ଖାଲି ସେତିକି ନୁହେଁ କୋରେଇ ଅଂଚଳରେ ସେ ବେଶ୍ ଲୋକପ୍ରିୟ ତଥା ବିଭିନ୍ନ ଉନ୍ନତି ମୂଳକ ଓ ସାମାଜିକ କାର୍ଯ୍ୟରେ ସେ ନିଜକୁ ଜଡ଼ିତ କରି ଆସିଛନ୍ତି।

ବିଜେପି ପକ୍ଷରୁ ବିଶ୍ୱଜିତ ନାୟକଙ୍କୁ ପ୍ରାର୍ଥୀ କରିବା ନିଶ୍ଚିତ ହୋଇଥିଲା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ସ୍ଥିର କରି ପାରି ନାହିଁ କାହାକୁ ପ୍ରର୍ଥୀ କରିବ। ୨୦୧୪ରେ କୋରେଇରୁ ଯିଏ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ସେ ଇତି ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ବିଶ୍ୱଜିତ ନାୟକଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଭାବେ ଚାରି ଜଣଙ୍କ ନାମ ଶୁଣାଯାଉଛି। ସେମାନେ ହେଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ହରି ସାହୁ, ରସାନନ୍ଦ ମହାନ୍ତି ଓ ବନ୍ଦିତା ପରିଡ଼ା।

Comment