ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଗୁରୁବାର ସକାଳେ ସମ୍ବିତ ଆସିଥିଲେ ନବୀନ ନିବାସ। ସନ୍ଧ୍ୟାରେ ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ।

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଆଜି ଦିନ ତମାମ୍ ରାଜ୍ୟ ରାଜନୀତି ଗରମ ରହିଥିଲା। ଦିନ ବେଳେ ନବୀନ ନିବାସରେ ସମ୍ବିତଙ୍କୁ ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ଦାମଙ୍କୁ ଦେଖିବାକୁ ମିଳିଥିଲା ବିଜେପି କ୍ୟାମ୍ପରେ। ବାପା-ପୁଅଙ୍କୁ ନେଇ ରାଜନୀତି ବଜାର ପୂରା ସରଗରମ ରହିଥିଲା।

ଗତ ଦୁଇ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା ଯେ ଦାମ ବିଜେପି ଯିବେ। ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟି ଦାମ ଏ ପ୍ରସଙ୍ଗରେ ଆଲୋଚନା କରିଥିବା ଖବର ଆସିଥିଲା। ହେଲେ ବିଜେପିରେ ମିଶିବା ନେଇ ଦାମ କୌଣସି ସ୍ପଷ୍ଟ ସଙ୍କେତ ଦେଇ ନଥିଲେ।

କିନ୍ତୁ ବିଜେଡି ଶିବିର ଦାମଙ୍କ ଗତିବିଧି ଉପରେ ପୂରା ନଜର ରଖିଥିଲା। ଦାମ ଯଦି ବିଜେପିରେ ଯୋଗ ଦିଅନ୍ତି ତାଙ୍କୁ କେମିତି ଚେକ୍ ଦିଆଯିବ ତାକୁ ନେଇ ରଣନୀତି ପ୍ରସ୍ତୁତି ଚାଲିଥିଲା।

ଦାମଙ୍କ ବିଜେପି ଶିବିରକୁ ଯିବା ବାଟ ବନ୍ଦ କରିବା ପାଇଁ ବିଜେଡି ମ୍ୟାନେଜର ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଅସ୍ତ୍ର କରିଥିଲେ। ସମ୍ବିତଙ୍କୁ ପାରାଦୀପ ଟିକେଟ ଅଫର ଆସିଥିବା ଚର୍ଚ୍ଚା ହେଲା। ସମ୍ବିତଙ୍କୁ ନବୀନ ନିବାସରେ ଆଜି ଦେଖିବା ପରେ ଟିକେଟ ଅଫର ଚର୍ଚ୍ଚା ରୋଚକ ହୋଇଥିଲା।

ସମ୍ବିତ କହିଥିଲେ, “ବାପା ସ୍ୱାଭିମାନୀ ଲୋକ। ସେ କେବେ ପଛକୁ ଫେରନ୍ତିନି କି ସାଲିସ୍ କରନ୍ତିନି।”

ଏହି ମନ୍ତବ୍ୟ ଦେବାର କିଛି ଘଣ୍ଟା ପରେ ଖବର ଆସିଲା ଯେ ଦାମ ଦିଲ୍ଲୀରେ। ବିଜେପି ପାର୍ଟି ଅଫିସରେ ପଦ୍ମ ଧରିବାକୁ ଯାଇଛନ୍ତି। ସନ୍ଧ୍ୟା ସାମେ ୭ଟା ପରେ ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀରେ ଦାମ ପଦ୍ମ ଧରିଥିଲେ।

ସକାଳେ ନବୀନ ନିବାସରେ ପୁଅ ସମ୍ବିତ ଏବଂ ସନ୍ଧ୍ୟାରେ ବିଜେପି ଶିବିରରେ ଦାମଙ୍କୁ ଦେଖିବା ପରେ ପ୍ରଶ୍ନ ଉଠୁଛି ବାପା-ପୁଅଙ୍କ ଭିତରେ ଲଢ଼େଇ ହେବ କି?

“ମୋ’ ପୁଅକୁ ଟିକେଟ ଲୋଭ ଦେଖାଇ ଘର ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ମୁଁ ମୋ ପୁଅ-ଝିଅଙ୍କ ସହ କଥା ହୋଇ ବିଜେପିରେ ଯୋଗ ଦେଇଛି। ମୋ’ ପରି ଆଉ ତିନି ବିଧାୟକଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରାଯାଉଛି”, ବିଜେପିରେ ସାମିଲ ହେବା ପରେ ଏହା କହିଛନ୍ତି ଦାମ।

ଦାମ ବିଜେପି ଶିବିରକୁ ଆସିବା ପରେ ଏବେ ସମସ୍ତଙ୍କ ନଜର ସମ୍ବିତଙ୍କ ଉପରେ। କାରଣ ସମ୍ବିତଙ୍କୁ ନେଇ ବିଗତ ଦିନରେ ଅନେକ ଚର୍ଚ୍ଚା ହୋଇଛି। ସମ୍ବିତ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି। ଦାମ ବହିଷ୍କୃତ ହେବା ପରେ ସମ୍ବିତଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ପାରାଦୀପରୁ ସମ୍ବିତ ବିଜେଡି ଟିକେଟ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ହେଲେ ଏହି ଚର୍ଚ୍ଚା ଗତ କିଛିଦିନ ଧରି ଥମି ଯାଇଥିଲା। ଯେବେଠୁ ପାରାଦୀପରେ ଦେବାଶିଷ ସାମନ୍ତରାୟଙ୍କ ହୋଡିଂ ଲାଗିଲାଣି ସେବେଠୁ ସମ୍ବିତଙ୍କ ଟିକେଟ ଆଶା ମଉଳି ଯାଇଥିଲା। ହେଲେ ଦାମ ବିଜେପି ଆସିବା ଖବର ପ୍ରଚାର ହେବା ପରେ ସମ୍ବିତଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

Comment