ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସମ୍ବଲପୁରେ ଟିକେଟ କାହାକୁ ମିଳିବ ସେ ନେଇ ଚିନ୍ତାରେ ତିନି ପ୍ରମୁଖ ନେତା ଓ କର୍ମୀ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) – ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉମାତ୍ର କିଛି ଦିନ ବାକି। ହେଲେ ତିନି ପ୍ରମୁଖ ରାଜନୈତିକ ଦଳ ଏ ପର୍ଯ୍ୟନ୍ତ ଟିକେଟ୍‌ ଘୋଷଣା କରିନାହାଁନ୍ତି। ଏହାକୁ ନେଇ ଚିନ୍ତାରେ ନେତା,କର୍ମୀ ସମର୍ଥକ। କାହାକୁ ଟିକେଟ୍‌ ମିଳିବ ସେ ନେଇ କିଛି ସ୍ପଷ୍ଟ ହୋଇନି। କାରଣ ପ୍ରତିଦିନ କିଛି ନୂଆମୁହଁ କିଛି ଦଳରେ ଯୋଗଦେଉଛନ୍ତି ଆଉକିଛି ଦଳ ଛାଡ଼ି ଅନ୍ୟଦଳରେ ମିଶୁଛନ୍ତି। ସେପଟେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ସେହି ଏକ ଅବସ୍ଥା। ଟିକେଟ୍‌ କାହାକୁ ମିଳିବ ଏବେ ଅଙ୍କ କଷା, ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ। ନେତା ଭୁବନେଶ୍ୱରରେ ଡେରା ପକାଇଥିବା ବେଳେ ଏପଟେ କର୍ମୀ ପତକା,ପୋଷ୍ଟର,ବ୍ୟାନର ରଖି ଅପେକ୍ଷା କରିଛନ୍ତି ନେତାଙ୍କୁ। ନେତା ଟିକେଟ୍‌ ଧରି ଫେରିଲେ,ଚାଲିବ ନିର୍ବାଚନ ପ୍ରଚାର ଓ ସମର୍ଥକ ଯୋଗାଡ।

ଚାରିଆଡେ ଏବେ ନିର୍ବାଚନ ମାହୋଲ୍‌। ସବୁଠି ଗୋଟିଏ ଆଲୋଚନା, କାହାକୁ ଟିକେଟ୍‌ ମିଳିବ,ପ୍ରଚାର କେଉଁ ମୁଦ୍ଦାକୁ ନେଇ କରାଯିବ,କିଏ ଜିତିବ, କେତେ ଭୋଟରେ ଜିତିବ ଇତ୍ୟାଦି। ହେଲେ ସମ୍ବଲପୁରରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଢେର୍‌ ବଡିଥିବା ବେଳେ, ଚିନ୍ତାରେ ନେତା ଆଉ ତାଙ୍କ କର୍ମୀ।

କାରଣ ଟିକେଟ୍‌ ବଣ୍ଟନ ପ୍ରକ୍ରିୟା ଯେତିକି ବିଳମ୍ବ ହେଉଛି, ନେତାଙ୍କ ଛାତି ସେତିକି ଧଡ଼ଧଡ଼ ହେଉଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପର୍ଯ୍ୟନ୍ତ ଉଭୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବ। ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ଭୋଟଦାନ ଥିବାରୁ, ଏବେ ତିନି ପ୍ରମୁଖ ଦଳର ନେତାମାନେ ଭୁବନେଶ୍ୱର ନବୀନ ନିବାସରେ ଟିକେଟ୍‌ ପାଇଁ ଡେରା ପକାଇଛନ୍ତି। ଆଉ ଏପଟେ ଜିଲ୍ଲା କାର୍ଯ୍ୟାଳୟ ଖାଁ ଖାଁ ଲାଗୁଛି।

ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନାହାନ୍ତି କେହି

ସମ୍ବଲପୁର ବିଧାୟିକାଙ୍କ ବାସଭବନ ନିକଟରେ ଥିବା ଏହି କାର୍ଯ୍ୟାଳୟରେ, କର୍ମୀ,ଦଳୀୟ ପତାକା,ପୋଷ୍ଟର ବ୍ୟାନର ସବୁ ପ୍ରସ୍ତୁତ। ହେଲେ ନେତା ନାହାଁନ୍ତି,ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ବିଧାନସଭା ପାଇଁ ଟିକେଟ୍‌ ମିଳୁଛି ନା, ଲୋକସଭା ପାଇଁ ,ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନି। ସେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ତେଣୁ ଆଶା ଆଶଙ୍କାରେ କର୍ମୀ ଓ ଛାମୁଁଆ ନେତାମାନେ। ସମ୍ବଲୁପୁର ବିଧାୟିକାଙ୍କ ବ୍ୟକ୍ତିଗତ ସଚିବ କହିଛନ୍ତି, ନିର୍ବାଚନର ପ୍ରାକ ପ୍ରସ୍ତୁତି ସରିଛି, ହେଲେ କର୍ମୀ,ସଂଗଠକ ସମସ୍ତେ ଅପେକ୍ଷା କରିଛନ୍ତି ତାଙ୍କ ନେତା ମନପସନ୍ଦର ଆସନ ପାଇଁ ଟିକେଟ୍‌ ଧରି ଫେରିଲେ ପ୍ରଚାର ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ।

ବିଜେପି କାର୍ଯ୍ୟାଳୟରେ ବି ସମାନ ସ୍ଥିତି

ଠିକ୍‌ ସେହି ଏକ ଅବସ୍ଥା ସମ୍ବଲପୁରଜିଲ୍ଲା ବିଜେପି କାର୍ଯ୍ୟାଳୟପେ । ଯେଉଁଠାରେ ବର୍ଷସାରା କର୍ମୀ,ନେତା,ଛାମୁଆଁ ସଂଗଠକ ମାନଙ୍କ ଭିଡ଼ ଲାଗିରହିଥାଏ। ଆଉ ଜୟନାରାୟଣଙ୍କ ବିଚାରବିମର୍ଷ ରୁମ୍‌ରେ ସବୁବେଳେ ୩୦ରୁ ୫୦ ନେତା,କର୍ମୀ ବସି ନିର୍ବାଚନ ଚର୍ଚ୍ଚା ହୁଏ ସେଠି ମଧ୍ୟ ଖାଁ ଖାଁ ମାହୋଲ୍‌। ନିର୍ବାଚନ ତାରିଖ ଘୋଷଣା ହେବାପରେ, ଏବେ ଏହି କାର୍ଯ୍ୟାଳୟ ଏବେ ଶୂନ୍‌ସାନ୍‌।

ସମ୍ବଲପୁରରୁ ତିନିଥର ବିଧାୟକ ଓ ମିଳିତ ସରକାରରେ ଥରେ ମନ୍ତ୍ରୀ ହୋଇଥିବା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଏବେ ଭୁବନେଶ୍ୱରରେ। ଜୟନାରାୟଣଙ୍କ ପାଇଁ ସେହି ଏକା ଚିନ୍ତା, ଏଥରକ ସମ୍ବଲପୁର ବିଧାନସଭା ନା, ସମ୍ବଲପୁର ଲୋକସଭା ପାଇଁ ତାଙ୍କୁ ବିଜେପି ଟିକେଟ୍‌ ଦେଉଛି, ତାକୁ ନେଇ କର୍ମୀଙ୍କ ମଧ୍ୟରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏଠି ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ସବୁ ସାମଗ୍ରୀ ପ୍ରସ୍ତୁତ ହୋଇ ରହିଛି, ହେଲେ ନେତା ନାହାଁନ୍ତି। ଆଉ ଯଦି ଟିକେଟ୍‌ରେ କିଛି ଏପଟ ସେପଟ ହେଲା ତ, କଣ କରାଯିବ ତାକୁ ନେଇ କର୍ମୀ,ସଂଗଠକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି।

କଂଗ୍ରେସରେ କାହାକୁ ମିଳିବ ଟିକେଟ?

ଏବେ ଦେଖିବା, ସମ୍ବଲପୁରଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଣ ଚାଲିଛି। ପୁର୍ବରୁ ଚଳଚଞ୍ଚଳ ଥିବା ଏହି କାର୍ଯ୍ୟାଳୟ ଟି, ଝାରସୁଗୁଡାର ପୁର୍ବତନ  ବିଧାୟକ ନବ ଦାସ, ବିଜେଡିରେ ମିଶିବା ପରେ, ସମ୍ବଲପୁର ଜିଲ୍ଲା କଂଗ୍ରେସ ଉପରେ ଏହାର ସିଧା ପ୍ରଭାବ ପଡିଛି। କାରଣ ନବ ଦାସଙ୍କ ଭାଇଙ୍କ ସମେତ ଡଜନେରୁ ଅଧିକ କଂଗ୍ରେସ ନେତା ଏବେ ବିଜେଡିରେ ମିଶିଛନ୍ତି। ତେଣୁ ସେମାନେ ଆଉ ଦଳୀୟ କାର୍ଯ୍ୟାଳୟକୁ ଆସୁନାହାଁନ୍ତି। ସେପଟେ ପୁର୍ବତନ ବିଧାୟକ ଅଶ୍ୱିନୀ ଗୁରୁ ଜିଲ୍ଲାସଭାପତି ଭାବରେ ଦାୟୀତ୍ୱ ନେବାପରେ, ଆଶା କରିଥିଲେ ଏଥର ଦଳୀୟ ଟିକେଟ୍‌ଟି ତାଙ୍କୁ ନିଶ୍ଚିତ ମିଳିବ। ହେଲେ ଭୀମ୍‌ସାରର ପୁର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ମିଶି ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢିବେ ବୋଲି ଲବି କରିବା ପରେ, ଅଶ୍ୱିନୀଙ୍କ ସେହି ଆଶା ମଧ୍ୟ ମଉଳି ଯାଇଛି। ଏମିତି ବି, ସମ୍ବଲପୁରରେ କଂଗ୍ରେସର ସ୍ଥିତି କିଛିଟା ଠିକ୍‌ ନାହିଁ, ତେଣୁ ଅତ୍ୟନ୍ତଃ ପକ୍ଷେ ଟିକେଟ୍‌ ମିଳିଲେ, ପ୍ରଚାର ନାଁରେ କର୍ମୀ ଆସିବେ ଆଉ ପ୍ରଚାର ଚାଲିବ ବୋଲି ସମସ୍ତେ ଅପେକ୍ଷା କରିଛନ୍ତି।

୧୭ତାରିଖରୁ ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ସେହିପରି ୧୮ କିମ୍ବା ୧୯ରେ ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ।

Comment