ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ନବୀନ ଦଳ ଭିତରେ ବୋମା ଫୁଟାଇଛନ୍ତି!

୨୦୧୯ ନିର୍ବାଚନ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ରୋଚକ କଥା ହେଉଛି ଯେ ୮ଟି ଲୋକସଭା ଆସନରେ ନବୀନ ଏଥର ପ୍ରାର୍ଥୀ ବଦଳାଇଛନ୍ତି। ତାଛଡ଼ା ଏଥର ତାଲିକାରେ କିଛି ହେଭିୱେଟ ନୂଆ ମୁହଁ ମଧ୍ୟ ରହିଛନ୍ତି।

ଫୋକସ୍‌ରେ ବ୍ରହ୍ମପୁର

ବ୍ରହ୍ମପୁର ଲୋକସଭା ଆସନରେ ଗତ ଦୁଇ ଥର ନିର୍ବାଚତ ଜିତି ଆସିଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଥର ଟିକେଟ ମିଳିଲା ନାହିଁ। ଏ ସମ୍ପର୍କରେ ଗତ କିଛିଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ତେବେ ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେବା ବେଳେ ଏହାର ସତ୍ୟତାକୁ ଅସ୍ବୀକାର କରିଥିଲେ ସିଦ୍ଧାନ୍ତ।

କିନ୍ତୁ ଶେଷରେ ନବୀନ ତାଙ୍କ ସିଦ୍ଧାନ୍ତ ବଦଳାଇଛନ୍ତି। କିଛି ମାସ ତଳେ କଂଗ୍ରେସ ଛାଡ଼ି ଶଙ୍ଖ ଧରିଥିବା ସ୍ଥାନୀୟ ପୁରୁଣା ନେତା ଚନ୍ଦ୍ର ଶେଖର ସାହୁଙ୍କୁ ଭରସା କରିଛି ବିଜେଡି।

ଚନ୍ଦ୍ର ଶେଖରଙ୍କ ଶିବିରର ନେତା ବିକ୍ରମ ପଣ୍ଡାଙ୍କୁ ଟିକେଟ ମିଳିଛି। ସମ୍ମାନଜନକ ବ୍ରହ୍ମପୁର ବିଧାନସଭା ଆସନରୁ ବିକ୍ରମ ଲଢ଼ିବେ।

ସେହିପରି ପାଞ୍ଚ ପାଞ୍ଚ ଥର ବ୍ରହ୍ମପୁର ଆସନରୁ ପ୍ରତିନିଧି୍ତ୍ୱ କରି ଆସୁଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି।

ବ୍ରହ୍ମପୁର ଲୋକସଭା ଆସନରୁ ବାଦ୍ ପଡ଼ିଥିବା ସିଦ୍ଧାନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର। ସିଦ୍ଧାନ୍ତ ନବୀନଙ୍କ ନିଷ୍ପତ୍ତିକୁ ମାନି ପ୍ରଚାର କରିବେ ନା ଆଉ କ’ଣ ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା।

କନ୍ଧମାଳରେ ଆଦିବାସୀ କାର୍ଡ

କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ନେଇଛି ଏକ ନବୀନ ନିଷ୍ପତ୍ତି। ସେଠାରୁ ଲଢ଼ିବେ କିସ୍‌ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରିଥିବା ତଥା କିଛି ମାସ ତଳେ ରାଜ୍ୟସଭା ସାଂସଦ ହୋଇଥିବା ଡକ୍ଟର ଅଚ୍ୟୁତ ସାମନ୍ତ।

କନ୍ଧମାଳରୁ ବର୍ତ୍ତମାନ ପ୍ରତିନିଧିତ୍ବ କରୁଥିବା ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଏଥର ତାଲିକାରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ୱାମୀ ହେମେନ୍ଦ୍ର ନାରାୟଣ ସିଂଙ୍କ ଦେହାନ୍ତ ପରେ ଉପ-ନିର୍ବାଚନରେ ପ୍ରତ୍ୟୁଷା କନ୍ଧମାଳ ଆସନରେ ଜିତିଥିଲେ। ଏଥର ଟିକେଟ ଦୌଡ଼ରେ ତାଙ୍କ ନାଁ ମଧ୍ୟ ଆଲୋଚନା ହେଉଥିଲା।

୨୦୧୯ ନିର୍ବାଚନ ବେଶ୍ ରୋଚକ ଏବଂ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ ହେବା ଭଳି ମନେହେଉଛି। ଏହାକୁ ନଜରରେ ରଖି ଫୁଲବାଣୀରେ ଆଦିବାସୀ କାର୍ଡ ଖେଳିଛନ୍ତି ନବୀନ। ଗତ ପ୍ରାୟ ଦୁଇ ଦଶନ୍ଧି ଧରି ଆଦିବାସୀ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଆଦିବାସୀ ଅଞ୍ଚଳରେ ନିଜର ପ୍ରଭାବକୁ ବିସ୍ତା କରି ଆସିଛନ୍ତି ଡକ୍ଟର ସାମନ୍ତ। ତେଣୁ ତାଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଛି।

ଏବେ ପ୍ରଶ୍ନ ଉଠୁଛି ପ୍ରତ୍ୟୁଷାଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ? କନ୍ଧମାଳ ହାତରୁ ଯିବା ପରେ ତାଙ୍କ ସ୍ୱାମୀଙ୍କ ପ୍ରମୁଖ ରାଜନୀତିକ କ୍ଷେତ୍ର ନୟାଗଡ଼ରୁ ପ୍ରାର୍ଥୀ ହେବା ପାଇଁ ପ୍ରତ୍ୟୁଷା ଦୌଡ଼ରେ ରହିବେ କି ବୋଲି ଏବେ ନୂଆ ଚର୍ଚ୍ଚା ଚାଲିଛି।

ସୁନ୍ଦରଗଡ଼ରେ ନୂଆ ମୁହଁ

ଏଥର ସୁନ୍ଦରଗଡ଼ ଆସନରେ ନୂଆ ଗଣିତ ଦେଖିବାକୁ ମିଳିଛି। ନବୀନ ଏହି ଆସନରେ ନୂଆ ମୁହଁ ସୁନିତା ବିଶ୍ୱାଳଙ୍କୁ ଟିକେଟ ଦେଇଛନ୍ତି। ସୁନିତା ମାତ୍ର ସପ୍ତାହକ ତଳେ ବିଜେଡିରେ ଯୋଗ ଦେଇଥିଲେ।

ସୁନ୍ଦରଗଡ଼ ଆସନରେ ଗତ ଥର ଲଢ଼ି ହାରି ଯାଇଥିଲେ ହକି ଷ୍ଟାର ଦିଲ୍ଲୀପ ତିର୍କୀ। ୨୦୧୪ ଲୋକସଭା ଭୋଟରେ ବିଜେପି ରାଜ୍ୟରେ ଯେଉଁ ଗୋଟିଏ ଆସନ ଦଖଲ କରିଥିଲା ତାହା ହେଉଛି ସୁନ୍ଦରଗଡ଼। ସେଠାରେ ବିଜେପିର ମାନ ରକ୍ଷା କରିଥିଲେ ଜୁଏଲ ଓରାମ। ଏଥର ଦିଲ୍ଲୀପଙ୍କୁ ନିରାଶ ହେବାକୁ ପଡ଼ିଛି।

ସେହିପରି ଦଳ ଛାଡ଼ିବାର ୧୭ ବର୍ଷ ପରେ ହଠାତ୍ ନବୀନ ନିବାସ ଦୁଆର ମାଡ଼ି ଚର୍ଚ୍ଚାରେ ଥିଲେ ଦିଲ୍ଲୀପ ରାୟ। ସେ ବିଜେଡିରେ ଯୋଗ ଦେବା ବାବଦରେ ଏବେ ବି ଚର୍ଚ୍ଚା ଚାଲିଛି। ତେବେ ସୁନ୍ଦରଗଡ଼ ଲୋକସଭା ଆସନ ସୁନିତାଙ୍କୁ ଏବଂ ରାଉରକେଲା ବିଧାନସଭା ଆସନ ସାରଦାଙ୍କୁ ଯିବା ପରେ ଦିଲ୍ଲୀପଙ୍କ ପାଇଁ ଆଉ କ’ଣ ରହିଲା ବୋଲି ଚର୍ଚ୍ଚା ହେଉଛି।

ସ୍ୱାମୀ ଗଲେ, ସ୍ତ୍ରୀ ଆସିଲେ

କୋରାପୁଟ ଲୋକସଭା ଆସନରେ ମହିଳା। ଝିନ୍ନ ହିକ୍‌କା ଗଲେ, ଏଥର ପ୍ରାର୍ଥୀ ହେଲେ ତାଙ୍କ ସ୍ତ୍ରୀ କୌଶଲ୍ୟା ହିକ୍‌କା। ଏଥର ନିର୍ବାଚନ ବେଳେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା ପାଇଁ ନବୀନ ଯେଉଁ ଘୋଷଣା କରିଥିଲେ ସେହିକ୍ରମରେ କୌଶଲ୍ୟାଙ୍କୁ ସୁଯୋଗ ମିଳିଛି ବୋଲି କୁହାଯାଇପାରେ।

ନବରଙ୍ଗପୁରରେ ରମେଶ ମାଝି

ନବରଙ୍ଗପୁର ଲୋକସଭା ପାଇଁ ଲଢ଼ିବେ ରମେଶ ମାଝି। ଗତ ଦୁଇ ଥର ବିଧାନସଭା ନିର୍ବାଚନରେ ଝରିଗାଁରୁ ପ୍ରତିନିଧିତ୍ବ କରିଥିଲେ ସେ। ବିଜେଡି ସାଂସଦ ଥିବା ବଳଭଦ୍ର ମାଝି ନିକଟରେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ବଳଭଦ୍ରଙ୍କୁ ଟିକେଟ ନମିଳିବା ବାବଦରେ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା। କଂଗ୍ରେସର ପ୍ରଦୀପ ମାଝିଙ୍କୁ ଚେକ୍‌ ଦେବା ପାଇଁ ରମେଶ ମାଝିଙ୍କୁ ନବୀନ ଟିକେଟ ଦେଇଥିବା ଚର୍ଚ୍ଚା ହେଉଛି।

Comment