ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଖାଳ ସହ ଓଡ଼ିଆ, ଓଡ଼ିଆଙ୍କ ସମ୍ପର୍କ ଏବଂ ସଂସ୍କୃତି ଯୋଡ଼ି ହୋଇ ରହିଛି। ବର୍ତ୍ତମାନ ପିଢ଼ିରେ ବି ପରମ୍ପରାଠୁ ଦୂରେଇ ଯାଇନି ପଖାଳ। ପଖାଳ ଯେତିକି ସ୍ୱାଦିଷ୍ଟ ଦେହପାଇଁ ସେତିକି ହିତ।

ଖରାଦିନେ ତାତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବର୍ଗର ଲୋକ ଆପଣେଇଥାନ୍ତି ଥଣ୍ଡାର ଉପଚାର। ଦେହରୁ ତାତି କମାଇବା ପାଇଁ ଏବଂ ପେଟକୁ ଥଣ୍ଡା ରଖିବା ଓ ଦେହରେ କମୁଥିବା ଜଳୀୟ ଅଂଶକୁ ଭରଣା କରିଥାଏ ପଖାଳ।

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଵିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦେଇଥାନ୍ତି। ସେଥିରେ ପଖାଳ ହେଉଛି ପ୍ରମୁଖ। ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଅଂଶୁଘାତକୁ ପ୍ରତିରୋଧ କରିହେଉଛି।
ଗ୍ରାମାଞ୍ଚଳରେ ପରିଶ୍ରମୀ ଲୋକମାନେ ଦିନକୁ ଦୁଇଓଳି ପଖାଳ ଖାଇଥାନ୍ତି। ତେଣୁ ସେମାନଙ୍କୁ ଅଂଶୁଘାତ ଜନିତ କଷ୍ଟ ଭୋଗିବାକୁ ପଡ଼େନାହିଁ।

ପ୍ରତିଦିନ ସକାଳୁ ସଜ୍ଜ ପଖାଳ ବା ଚାଇଁ ପଖାଳ ଖାଇବେ, ଏହା ପେଟ ଥଣ୍ଡା ରଖିବା ସହ ଶରୀରରେ ଜଳୀୟଅଂଶ ନିୟନ୍ତ୍ରଣ ରଖିଥାଏ।

ନିଦ୍ରାହୀନତା ଦୂର କରେ ପଖାଳ। ବାସି ପଖାଳ ଖାଇଲେ ନଦ୍ରାହୀନତା ଭଳି ସମସ୍ୟା ଦୂର ହୋଇଥାଏ। ରାତିରେ ନିଦ ହେଉ ନଥିଲେ ବାସି ପଖାଳର ତୋରାଣି ପିଅନ୍ତୁ। ଏହା ଶରୀରକୁ ଆରାମ ଦେବା ସହ ନିଦ ବି କରାଇବ।

ପଖାଳ ପିତ୍ତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଚାଇଁ ପଖାଳ ଖାଇ ତା’ ତୋରାଣି ପିଇଲେ କୋଷ୍ଠକାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଵ୍ୟଥା ଆଦି ଉପଶମ ହୋଇଥାଏ।

ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ। ପିତ୍ତ ରୋଗ, ଅତିସାର ବା ଡାଇରିୟା ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ଉପକାରୀ ଅଟେ।

ରକ୍ତଚାପ କମାଇଥାଏ ଓ ଶରୀରର ତାପମାତ୍ରା ନିୟନ୍ତ୍ରଣ ମଧ୍ୟ କରିଥାଏ। ପେଟକୁ ଥଣ୍ଡା ରଖିବା ସହ ଦେହକୁ ଆବଶ୍ୟକ ଜଳୀୟଅଂଶ ଯୋଗାଇଥାଏ।

ପରିସ୍ରାପୋଡ଼ାରୁ ଉପଶମ ଦେଇଥାଏ ପଖାଳ। ବାସି ପଖାଳରେ ଦହି ବା ଲେମ୍ବୁ ରସ ଚିପୁଡ଼ି ସେହି ଭାତ ଏବଂ ତୋରାଣିକୁ ପିଇଲେ ପରିସ୍ରାପୋଡ଼ାରୁ ଉପଶମ ମିଳିବ।

ମାନସିକ ଚାପ ଗ୍ରସ୍ତ ବ୍ୟକ୍ତି ପ୍ରତିଦିନ ପଖାଳ ଖାଇବା ଦରକାର। ପଖାଳ ଖାଇବା ଯୋଗୁଁ ପେଟ ଥଣ୍ଡା ରହିଥାଏ। ଏହାଦ୍ୱାରା ମନ ଶାନ୍ତ ରହିଥାଏ।

ପଖାଳ ତୋରାଣିରେ ଥିବା ଫାଇବର୍‌ ହଜମ ପ୍ରକ୍ରିୟାକୁ ଠିକ୍‌ ରଖିଥାଏ।

ପଖାଳ ତୋରାଣି ଶରୀରକୁ ଶକ୍ତି ପ୍ରଦାନ କରିଥାଏ।

Comment