ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) :  ସମ୍ବଲପୁର ଲୋକସଭା ଆସନରେ ଏଥର ହେବାକୁ ଯାଉଛି କଡ଼ା ଟକ୍କର। ଏହି ଆସନରେ ତିନି ଦଳ ନୂଆ ମୁହଁକୁ ପ୍ରାର୍ଥୀ କରିଛନ୍ତି। ବିଜେପି, ବିଜେଡି ଓ କଂଗ୍ରେସ ଏଥର ବାହାରୁ ନେତା ଆମଦାନି କରି ସମ୍ବଲପୁରରେ ପ୍ରାର୍ଥୀ ଦେଇଛନ୍ତି।

ତିନି ଦଳ ନୂଆ ମୁହଁ ଦେଇଥିବାରୁ ଏମାନଙ୍କୁ ଭୋଟର ସହଜରେ ଗ୍ରହଣ କରିବା ମୁଡରେ ନାହାନ୍ତି।

ସମ୍ବଲପୁର ଭୋଟର ଏବଂ କର୍ମୀଙ୍କ ସହ ଏହି ପ୍ରାର୍ଥୀମାନଙ୍କର ପୂର୍ବରୁ କୌଣସି ସମ୍ପର୍କ ନଥିବାରୁ କିଏ ବାଜି ମାରିବ ତାହା କହିବା କାଠିକର ପାଠ।

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୭ଟି ବିଧାନସଭା କ୍ଷେତ୍ର ରହିଛି। ସେଥିରୁ ୪ଟି ସମ୍ବଲପୁର ଜିଲ୍ଲାରେ ରହିଥିବା ବେଳେ ୨ଟି ଦେବଗଡ ଓ ଗୋଟିଏ ଅନୁଗୁଳ ଜିଲ୍ଲାରେ ରହିଛି।

ଗତ ୨୦୧୪ ନିର୍ବାଚନରେ ସମ୍ବଲପୁରରେ ବିଜେଡି ବାଜିମାତ୍ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେପି ଓ ତୃତୀୟ ସ୍ଥାନରେ କଂଗ୍ରେସ ରହିଥିଲା।

୨୦୧୪ ରେ କ’ଣ ଥିଲା ଫଳାଫଳ?

ବିଜେଡିର ନଗେନ୍ଦ୍ର ପ୍ରଧାନ  ୩ ଲକ୍ଷ ୫୮ ହଜାର ୬୧୮ ଭୋଟ ପାଇଥିବା ବେଳେ ବିଜେପିର ସୁରେଶ ପୂଜାରୀ  ୩ ଲକ୍ଷ ୧୮ ହଜାର ୪୨ ଭୋଟ ପାଇଥିଲେ। କଂଗ୍ରେସର ଅମରନାଥ ପ୍ରଧାନ  ୨ ଲକ୍ଷ ୪୨ ହଜାର ୧୩୧ ଭୋଟ ପାଇଥିଲେ।

ବିଜେଡିର ନଗେନ୍ଦ୍ର ପ୍ରଧାନ  ବିଜେପିର ସୁରେଶ ପୂଜାରୀଙ୍କୁ ପ୍ରାୟ ୪୦ହଜାରରୁ ଅଧିକ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ହେଲେ ଏଥର ଏହି ତିନି ନେତାଙ୍କ ମଧ୍ୟରୁ କାହାରିକୁ ମଧ୍ୟ ସମ୍ବଲପୁର ଲୋକସଭା ଟିକେଟ୍‌ ମିଳିନି।

ଏଥର ସମ୍ବଲପୁରରେ ସମ୍ପୂର୍ଣ୍ଣ ନୂଆ ମୁହଁକୁ ଟିକେଟ ଦେଇଛି ବିଜେପି। ପୂର୍ବରୁ ଦେବଗଡ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ନୀତିଶ ଗଙ୍ଗଦେବଙ୍କ ଉପରେ ଏଥର ଦଳ ଭରସା କରି ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଛି।

ସମ୍ବଲପୁର ନିର୍ବାଚନୀ କ୍ଷେତ୍ର ସହ ପୂର୍ବରୁ  ଜଡ଼ିତ ନଥିବା ନୀତିଶଙ୍କ ପାଇଁ ଦଳର ଚିହ୍ନ ଏବଂ ବିଧାନସଭା ଆସନର ପ୍ରାର୍ଥୀ ଭରସା ପାଲଟିଛନ୍ତି।

ନୀତିଶ ଗଙ୍ଗଦେବ କହିଛନ୍ତି, ‘‘ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କର୍ମୀମାନଙ୍କ ସହ ବସି ରଣନୀତି ପ୍ରସ୍ତୁତ କରାଯିବ। ସ୍ଥାନୀୟ ସମସ୍ୟାକୁ ସମାଧାନ କରାଯିବ। ଲୋକେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭଲ ପାଉଥିବାରୁ ମୁଁ ଭଲ ଭୋଟ ପାଇବି।’’

କଂଗ୍ରେସ ମଧ୍ୟ ଆମଦାନୀ ନେତାଙ୍କ ଉପରେ ଭରସା କରିଛି। ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ୫ଥର ନିର୍ବାଚନ ହାରିଥିବା ଓ ଥରେ ଜିତିଥିବା ଶରତ ପଟ୍ଟନାୟକଙ୍କୁ, ଦଳ କଂଗ୍ରେସରୁ ପ୍ରାର୍ଥୀ କରିଛି।

ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଏହାର ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ମୋଟ ୨୭ଜଣ ପଦାଧିକାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏଣୁ ଶରତଙ୍କୁ ସମ୍ବଲପୁର ଭୋଟର କେମିତି ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

ପଶ୍ଚିମ ଓଡିଶାର ବଲାଙ୍ଗିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ଦାବି କରି ଆସୁଥିଲେ ଶରତ ପଟ୍ଟନାୟକ। ଏଣୁ ଶରତଙ୍କୁ ସମ୍ବଲପୁର ଜିଲ୍ଲା ଓକିଲସଂଘ ସମେତ ୨ ଶହରୁ ଅଧିକ ସାମାଜିକ ସଂଗଠନ ବିରୋଧ କରି ଆସୁଛନ୍ତି। ତେଣୁ କଂଗ୍ରେସ ସମ୍ବଲପୁର ଲୋକସଭା  ନିର୍ବାଚନ ମଣ୍ଡଳୀରେ ଏଥରେ କିଭଳି ପ୍ରଦର୍ଶନ କରିବ, ତାହା ଏବେଠାରୁ ଜଳଜଳ ଦେଖାଗଲାଣି।

ଶରତ ପଟ୍ଟନାୟକ କହିଛନ୍ତି, ‘‘ଲୋକମାନେ ଦଳୀୟ ଚିହ୍ନ ଦେଖନ୍ତି, ନେତାଙ୍କ ମୁହଁ ନୁହେଁ। ତେଣୁ କଂଗ୍ରେସର ପୁରୁଣା ଭୋଟ ନିଶ୍ଚିତ ମିଳିବ। ଦଳୀୟ କନ୍ଦଳ ଏକାଠି ବସି ଆଲୋଚନା ମାଧ୍ୟମରେ ସମାଧାନ କରାଯିବା’’

ପୂର୍ବରୁ ପୂର୍ତ୍ତ ସଚିବ ଥିବା ନଳିନୀ ପ୍ରଧାନଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି। ସରକାରୀ ଚାକିରିରେ ଥିବା ବେଳେ ତାଙ୍କର ବିଭିନ୍ନ ବର୍ଗର ଲୋକଙ୍କ ସହ ଭଲ ସମ୍ପର୍କ ରହିଥିଲା। ଏଣୁ ସମ୍ବଲପୁର ଲୋକସଭା ଆସନରୁ କିଏ ବାଜି ମାରିବ ତାହା ଅପେକ୍ଷା କରି ଦେଖିବାର କଥା।

Comment