ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ବାଂଲାଦେଶୀ ଅଭିନେତାଙ୍କୁ ମହଙ୍ଗା ପଡ଼ିଛି। ଗୃହ ମନ୍ତ୍ରାଳୟ ତାଙ୍କୁ କଳା ତାଲିକାଭୁକ୍ତ କରିବା ସହ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି।

ବାଂଲାଦେଶୀ ଅଭିନେତା ଫିରଦୋସ ଅହମ୍ମଦଙ୍କ ଭିସା ମଧ୍ୟ ରଦ୍ଦ କରିଦିଆଯାଇଛି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।

ଗତ ସୋମବାର ବାଂଲାଦେଶୀ ଅଭିନେତା ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ। ରାୟଗଞ୍ଜରେ କହ୍ନେୟାଲାଲଙ୍କ ପାଇଁ ଫିରଦୋସ ପ୍ରଚାର କରୁଥିବାର ଜଣାପଡ଼ିବା ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମଗାଯାଇଥିଲା।

ଫିରଦୋସ ଅହମ୍ମଦ ଲୋକସଭା ନିର୍ବାଚନରେ ପ୍ରଚାର କରି ଭିସା ନିୟମରେ ଉଲ୍ଲଂଘନ କରିଛନ୍ତି। ଏହାପୂର୍ବରୁ ଅଭିନେତା ଜଣଙ୍କ ବିଜନେସ ଭିସାରେ ବହୁଥର ଭାରତ ଆସି ସାରିଛନ୍ତି।

ଭାରତ-ବାଂଲାଦେଶ ସୀମା ନିକଟବର୍ତ୍ତୀ ହେମତାବାଦ ଏବଂ କରାଦିନ୍ଧିରେ ଅହମ୍ମଦଙ୍କୁ ନିର୍ବାଚନ ରାଲିରେ ଅଗ୍ରୱାଲଙ୍କ ସମର୍ଥନ ପାଇଁ ଭୋଟ୍ ମାଗୁଥିବାର ଦେଖାଯାଇଥିଲା।  ଫିରଦୋସଙ୍କ ସହିତ ବଙ୍ଗାଳି ଅଭିନେତା ଅଙ୍କୁଶ ଏବଂ ପାୟଲ ପ୍ରଚାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comment