ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ୫ ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ସୁରେନ୍ଦ୍ର କୁମାର କହିଛନ୍ତି, ‘‘ବରଗଡ଼ର ୬୮ ନମ୍ବର ବୁଥ୍ ଏବଂ ଅତାବିରାର ୨୩୫ ନମ୍ବର ବୁଥରେ ଇଭିଏମ ଏବଂ ଭିଭିପାଟ ମେସିନରେ ବିଭ୍ରାଟ ଦେଖାଦେଇଥିଲା। ଏହି ବୁଥରେ ଉତ୍ତେଜନା ଦେଖାଦେବାରୁ ପୋଲିଂ ବନ୍ଦ ହୋଇଥିଲା। ଏହି ଦୁଇଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ନିବେଦନ କରାଯିବ।’’

ସକାଳେ ସୁନ୍ଦରଗଡ଼ ଲୋକସଭା ଆସନର ୧୨୯ ଏବଂ ୨୧୩ ନମ୍ବର ବୁଥ ଏବଂ କନ୍ଧମାଳ ଲୋକସଭା ଆସନର ୨୧୦ ଓ ୨୨୨ ନମ୍ବର ବୁଥରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏବେ ବରଗଡ଼ ଏବଂ ଅତାବିରାର ଦୁଇଟି ବୁଥରେ ଇଭିଏମ ତ୍ରୁଟି ଦେଖିବାକୁ ମିଳିଛି। ମୋଟ ୬ଟି ବୁଥରେ ସାନି ମତଦାନ ପାଇଁ ନିବେଦନ କରାଯିବ।

‘‘ଏବେ ବି ବିଭିନ୍ନ ବୁଥରେ ଭୋଟିଂ ଚାଲିଛି। ଯେଉଁ ମତଦାନ କେନ୍ଦ୍ରରେ ଭୋଟର ଥିବେ ଏବଂ ସେମାନଙ୍କ ହାତରେ ଚିରକୁଟ ଥିବ ସେମାନେ ଭୋଟ ଦେଇ ପାରିବେ। ଯେତେ ବିଳମ୍ବ ହେଲେ ବି ମତଦାନ ଚାଲିବ’’, କହିଛନ୍ତି ସୁରେନ୍ଦ୍ର କୁମାର।

Comment