ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମତଦାନ ପୂର୍ବରୁ ଜେଲରେ ମହାରଥୀ। ନିର୍ବାଚନ ପରିଚାଳନା ପ୍ରଶାସନ ପାଇଁ ଚାଲେଞ୍ଜ।

ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏହାକୁ ନେଇ ପିପିଲି ରାଜନୀତି ଉଠୁଛି ପଡୁଛି। ପିପିଲିରେ ଏକ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିବା କହିଲେ କିଛି ଭୁଲ୍ ହେବ ନାହିଁ। ମତଦାନର ଦିନକ ପୂର୍ବରୁ ମହାରଥୀ ଗିରଫ ହୋଇଥିବାରୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ପିପିଲିରେ ନିର୍ବାଚନ ପରିଚାଳନା ଏବେ ପ୍ରଶାସନ ପାଇଁ ବିରାଟ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି।

ଉପକୂଳ ଓଡ଼ିଶାରେ ପିପିଲି ହେଉଛି ଏକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ। ନିର୍ବାଚନ ଆସିଲେ ଏଠି ରାଜନୀତି ସରଗରମ ରହିଥାଏ। କର୍ମୀ କର୍ମୀଙ୍କ ଭିତରେ ଗଣ୍ଡଗୋଳଠୁ ଆରମ୍ଭ କରି ବୋମା ମାଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅପ୍ରୀତିକର ପରିସ୍ଥିତି ଏଠାରେ ହିଁ ଦେଖାଦେଇଥାଏ। ହେଲେ ଏଥର କିନ୍ତୁ ଚିତ୍ର ଅଲଗା।

ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ ଘଟଣା ପିପିଲିର ରାଜନୀତି ମାହୋଲକୁ ପୂରା ଗରମ କରିଦେଇଛି।

ପୁରୀ ଏସପି ଉମା ଶଙ୍କର ଦାସ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପିପିଲିରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ବୋଲି ମତ ଦେଇଛନ୍ତି। ହେଲେ ପିପିଲିର ଯାହା ପୂର୍ବ ରେକର୍ଡ ତାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

‘‘ମହାରଥୀଙ୍କ ଗିରଫଦାରୀ ପିପିଲିରେ କୌଣସି ପ୍ରଭାବ ପକାଇବ ନାହିଁ। ନିର୍ବାଚନ ଏଠାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ। ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଆମେ ପାଳନ କରି ଆସୁଛୁ’’, କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି, ‘‘ପିପିଲିରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆମେ ଚେଷ୍ଟା କରିବୁ। ଓଡ଼ିଶା ପୋଲିସ ଏବଂ ସଶସ୍ତ ପୋଲିସ ବଳ ଆମ ପାଖରେ ଅଛନ୍ତି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ।’’

ଏଥର ମଇଦାନରେ ନାହାନ୍ତି ଯୁଧିଷ୍ଠିର, ତଥାପି ପିପିଲି ଅଶାନ୍ତ

ନିର୍ବାଚନ ଲଢ଼େଇରୁ ଏଥର ଓହରି ଯାଇଛନ୍ତି ମହାରଥୀଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠିର ସାମନ୍ତରାୟ। ତାଙ୍କୁ କଂଗ୍ରେସ ଟିକେଟ ଦେଇଥିଲା। କିନ୍ତୁ ଟିକେଟ ଗ୍ରହଣ କରି ନଥିଲେ ଯୁଧିଷ୍ଠିର। ଏଣୁ ପିପିଲିରେ ଏଥର ଶୃଙ୍ଖଳାର ସହ ନିର୍ବାଚନ ହେବ ବୋଲି ଆଶା କରିଥିଲେ ଭୋଟର।

ମହାରଥୀ ୧୯୮୫ରୁ ପିପିଲିରୁ ନିର୍ବାଚନ ଜିତି ଆସୁଛନ୍ତି। ତାଙ୍କୁ ପ୍ରତି ନିର୍ବାଚନରେ କଡ଼ା ଟକ୍କର ଦେଉଥିଲେ ଯୁଧିଷ୍ଠିର। ଏହି ନିର୍ବାଚନୀ ଟକ୍କର ଭିତରେ ମହାରଥୀ ଏବଂ ଯୁଧିଷ୍ଠିରଙ୍କ ସମର୍ଥକମାନେ ସବୁବେଳେ ମୁହାଁମୁହିଁ ହେଉଥିବାର ନଜିର ରହିଛି। କିନ୍ତୁ ଏଥର ଯୁଧିଷ୍ଠିର ନିର୍ବାଚନୀ ମଇଦାନରେ ନଥିଲେ ମଧ୍ୟ ପିପିଲି ଅଶାନ୍ତ ହୋଇଯାଇଛି।

ମହାରଥୀଙ୍କୁ ଏଥର ମଇଦାନରେ ଟକ୍କର ଦେବା ପାଇଁ କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେପି ନୂଆ ମୁହଁ ଭାବେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ହେଲେ ଅଜିତଙ୍କୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ଟିକେଟ ଦେଇଥିବାରୁ ତାଙ୍କର ସାଙ୍ଗଠନିକ ସ୍ଥିତି ଭଲ ନଥିବା କୁହାଯାଉଛି।

ପିପିଲିରେ ମୁଖ୍ୟତଃ ଏଥର ଲଢ଼େଇ ବିଜେଡି ଏବଂ ବିଜେପି ମଧ୍ୟରେ ହେଉଛି। ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବା ପୂର୍ବରୁ ପିପିଲିରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଣୁ ଆସନ୍ତାକାଲି ହେବାକୁ ଥିବା ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ପିପିଲି ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ପ୍ରଶାସନ କିପରି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରୁଛି ତା’ ଉପରେ ରହିଛି ସମସ୍ତଙ୍କ ନଜର।

Comment