ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମୋଦି-ନବୀନଙ୍କ ଆରୋପ ପ୍ରତ୍ୟାରୋପକୁ ନେଇ କମ୍ପୁଛି ନିର୍ବାଚନ ମଇଦାନ।

‘‘ନୂଆ ସରକାର ହେବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି କହିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ବହୁମତ ପାଇସାରିଲାଣି। ଲୋକଙ୍କ ଆଶୀର୍ବାଦରେ ବିଜେଡିକୁ ବହୁମତ ମିଳି ସାରଲାଣି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀଙ୍କୁ ଆସିବାକୁ ନମ୍ରତାର ସହ ଅନୁରୋଧ କରୁଛି”, ଏମିତି ମଧୁର ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ।

କେନ୍ଦ୍ରାପଡ଼ା ସଭାରେ ‘ନବୀନ ସମ୍ମାନର ସହ ରାଜନୀତିରୁ ବିଦାୟ ନେଇ ଯାଆନ୍ତୁ’ ବୋଲି ମୋଦି କହିଥିଲେ। ଏହାର ଦିନକ ପରେ ନବୀନ ବାଲେଶ୍ୱରରେ ଏହାର ଜବାବ ନମ୍ରତାର ସହ ଦେଇଥିବାରୁ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି।

୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ନରେନ୍ଦ୍ର ମୋଦି ଘନ ଘନ ଓଡ଼ିଶା ଆସୁଛନ୍ତି। ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ହେଲେ ଗତ ୨୩ ତାରିଖରେ କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ମୋଦି ଯେଉଁଭଳି ଭାବେ ନବୀନଙ୍କୁ କଡ଼ା ସମାଲୋଚନା କଲେ ତାହା ପୂର୍ବର କୌଣସି ନିର୍ବାଚନୀ ସଭାରେ ଦେଖିବାକୁ ମିଳି ନଥିଲା।

ମୋଦି କହିଥିଲେ, ‘‘ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୁଁ ନବୀନ ବାବୁଙ୍କ ସମାଲୋଚନ କରିନଥିଲିା ମୁଁ ମୋ ମର୍ଯ୍ୟାଦା ପାଳନ କରିଥିଲିା ଏତେ ବର୍ଷ ଓଡ଼ିଶାରେ କାମ କଲେଣି, ଭଲରେ ଭଲରେ ରାଜନୀତିରୁ ବିଦାୟ ନିଅନ୍ତୁ ବୋଲି ଭାବିଥିଲି। ହେଲେ ଗତ ୧୦/୧୨ ଦିନ ଭିତରେ ଯେମିତି ହିଂସା ଚାଲିଛି, ଆଉ ନୁହେଁ। ଓଡ଼ିଶାରେ ସରକାର ବଦଳିବା ଦରକାରା’’

ଏହାସହ ମୋଦି ଆହୁରି କହିଥିଲେ ଯେ ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ଶେଷ ଦିନ। ଏହାପରେ ନୂଆ ସରକାର ଆସିଲେ ପୁଣି ଆସିବି। ଗତ ନିର୍ବାଚନରେ ଏ ଭଲପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି।

ମୋଦିଙ୍କର ଏହି ଚାରି ଧାଡ଼ିଆ ମନ୍ତବ୍ୟ ବିଜେଡି ଶିବିରକୁ ହଲଚଲ କରି ଦେଇଥିଲା। ଏଣୁ ନବୀନ ଆଜି ମୋଦିଙ୍କୁ ପୂରା ଭଲଭାବେ ବୁଝାଇ ଦେଇଛନ୍ତି ଯେ ‘ଓଡ଼ିଶାରେ ବିଜେଡି ପୁଣି ଥରେ ସରକାର ଗଢ଼ୁଛି’।

ଓଡ଼ିଶାରେ ହେଉଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ଯୁଦ୍ଧରେ ନବୀନ ଏବଂ ମୋଦି ସାଜିଛନ୍ତି ସେନାପତି। ନବୀନ ବିଜୁ ଜନତା ଦଳର ପ୍ରଚାର ମଙ୍ଗ ଧରିଥିବା ବେଳେ ମୋଦି ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି। ଦକ୍ଷିଣରୁ ଉତ୍ତର ଏବଂ ପଶ୍ଚିମରୁ ଉପକୂଳ ବୁଲି ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଏହି ଦୁଇ ନେତା।

ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେଡି ଭୋଟରଙ୍କ ପାଖକୁ ଯାଉଥିବା ବେଳେ ମୋଦିଙ୍କ ଲୋକପ୍ରିୟତାକୁ ବିଜେପି ଅସ୍ତ୍ର କରିଛି। ଫଳରେ ୨୦୧୪ ଅପେକ୍ଷା ଏଥର ନିର୍ବାଚନୀ ମାହୋଲ ମୋଦି ଏବଂ ନବୀନଙ୍କୁ ନେଇ ଜମିଛି।

ମୋଦି ଓଡ଼ିଶାର ଯେଉଁଠି ନିର୍ବାଚନୀ ସଭା କରିଥିଲେ ସେଠି ଡବଲ ଇଞ୍ଜିନ ଏବଂ ବିକାଶ କଥା କହି ଭାଷଣ ଦେଉଥିଲେ। ଓଡ଼ିଶାର ବିକାଶ କରିବାକୁ ହେଲେ ଡବଲ ଇଞ୍ଜିନର ସରକାର ଦରକାର ବୋଲି କହିଥିଲେ। ଏହାସହ ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ।

ନବୀନ ମଧ୍ୟ ମୋଦିଙ୍କ ଡବଲ ଇଞ୍ଜିନ ସରକାରକୁ କାଉଣ୍ଟର କରିଥିଲେ। ‘ମହିଳାମାନଙ୍କ ବିକାଶ ହିଁ ପ୍ରକୃତ ଡବଲ ଇଞ୍ଜିନ’ ବୋଲି ନବୀନ କହିଥିଲେ।

ହେଲେ କେନ୍ଦ୍ରାପଡ଼ା ସଭାରେ ମୋଦିଙ୍କ ଗଣିତ ବଦଳି ଯାଇଥିଲା। ଶେଷ ନିର୍ବାଚନୀ ପ୍ରଚାରରେ ମୋଦି ସିଧା ନବୀନ ଓ ବିଜେଡିକୁ ଆକ୍ଷେପ କରିବାକୁ ପଛାଇ ନଥିଲେ।

କାହିଁକି କେନ୍ଦ୍ରାପଡ଼ାରେ ଟାର୍ଗେଟ?

ମୋଦି ବିଗତ ଦିନରେ କୋରାପୁଟ, ଭବାନିପାଟଣା, ସୁନ୍ଦରଗଡ଼, ଭୁବନେଶ୍ୱରରେ ନିର୍ବାଚନୀ ସଭା କରିବା ବେଳେ ନବୀନଙ୍କ ସିଧା ଟାର୍ଗେଟ କରି ନଥିଲେ। ତେବେ କେନ୍ଦ୍ରାପଡ଼ାରେ ଜୋରଦାର ଆକ୍ଷେପ କରିବାକୁ ନେଇ ରାଜନୀତି କରିଡରରେ ଉଷ୍ମତା ଭରିଛି। କେନ୍ଦ୍ରାପଡ଼ା ସଭାରେ ମୋଦି ନବୀନଙ୍କୁ କାହିଁକି ଟାର୍ଗେଟ କଲେ ତା’ର କାରଣ ଖୋଜା ଚାଲିଛି।

କୁହାଯାଉଛି ଯେ କେନ୍ଦ୍ରାପଡ଼ାରେ ବିଜେପି ଏଥର ବିଜେଡି ଛାଡ଼ି ଆସିଥିବା ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ବୈଜୟନ୍ତ ଓ ବିଜେଡି ଭିତରେ କେମିତି ବିବାଦ ଚାଲିଛି ତାହା କାହାକୁ ଅଛପା ନାହିଁ। ଏଣୁ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରୁ ଜିତାଇବା ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ବୈଜୟନ୍ତଙ୍କ ଉପସ୍ଥିତିରେ କେନ୍ଦ୍ରାପଡ଼ା ମାଟିରୁ ମୋଦି ନବୀନଙ୍କୁ ତୀର ମାରିଥିବା ଚର୍ଚ୍ଚା ହେଉଛି।

ନିକଟରେ ନବୀନଙ୍କ ଫିଟନେସ୍ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଟିଭି ଚ୍ୟାନେଲ ନବୀନଙ୍କର ସାକ୍ଷାତକାର ନେଇଥିଲେ। ଏହି ସାକ୍ଷାତକାରରେ ନବୀନ ବୈଜୟନ୍ତ ହିଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ସମ୍ପର୍କରେ ଅପପ୍ରଚାର କରିଥିବା କହିଥିଲେ। ଏହାକୁ ସେତେବେଳେ ବୈଜୟନ୍ତ ଖଣ୍ଡନ କରିବା ସହ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବୈଜୟନ୍ତ ଓ ବିଜେଡି ଶିବିର ଭିତରେ ସମ୍ପର୍କ କେମିତି?

କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରୁ ମୋଦି ନବୀନଙ୍କୁ ‘ରାଜନୀତିରୁ ବିଦାୟ ନେଇ ଯାଆନ୍ତୁ’ କହି ବିଜେପି କର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି।

ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ମଇଦାନ ସରଗରମ ରହିଛି। ପ୍ରାର୍ଥୀଙ୍କ ରୋଡ ସୋ’ ଏବଂ ବିଜେଡି-ବିଜେପି ହେବିଓ୍ୱେଟ ନେତାଙ୍କ ପ୍ରଚାରରେ ମଇଦାନ କମ୍ପୁଛି। ତେବେ ଏହାରି ଭିତରେ ମୋଦି-ନବୀନଙ୍କ ଆରୋପ ପ୍ରତ୍ୟାରୋପ ମଇଦାନକୁ ଅଧିକ ଗରମ କରି ଦେଇଛି।

ମୋଦିଙ୍କ କଥା ଅନୁସାରେ ନବୀନ ରାଜନୀତିରୁ ସମ୍ମାନର ସହ ବିଦାୟ ନେଉଛନ୍ତି ନା ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦି ଆସୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment