ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ରାପଡ଼ାର ଦୁଇ ‘ବି’ – ବୈଜୟନ୍ତ ଏବଂ ବିଜୟ ଏବେ ବିଜେଡି ଟାର୍ଗେଟରେ।

ବିଜେଡି ଟାର୍ଗେଟରେ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର। ଏହା ଆମେ କହୁନୁ କେନ୍ଦ୍ରାପଡ଼ା ନିର୍ବାଚନ ମଇଦାନରେ ବିଜେଡିର ସମରସଜା ହିଁ ଏହା ସ୍ପଷ୍ଟ କରୁଛି। ଆସନ୍ତା ୨୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେଡିର ହେବିଓ୍ୱେଟ ନେତାମାନେ କେନ୍ଦ୍ରାପଡ଼ାରେ ଡେରା ପକାଇଛନ୍ତି।

କେନ୍ଦ୍ରପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ପାଟକୁରା ବିଧାନସଭା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ବିଜେଡିର ଏହି ରଣନୀତି ବୋଲି କୁହାଯାଉଛି।

ଆସନ୍ତା ୨୯ରେ କେନ୍ଦ୍ରାପଡ଼ା ସମେତ ଅନ୍ୟ ୫ଟି ଲୋକସଭା ଆସନରେ ହେବ ଭୋଟ। ହେଲେ ଅନ୍ୟ ୫ଟି ଲୋକସଭା ଆସନ ଅପେକ୍ଷା କେନ୍ଦ୍ରାପଡ଼ା ସିଟ୍ ବିଜେଡି ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ସେହିପରି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନ ମେ’୧୯ରେ ହେବ। ଏଣୁ ଏହି ଆସନକୁ ବି ବିଜେଡି ଚାଲେଞ୍ଜ ଭାବେ ଗ୍ରହଣ କରିଛି।

ଗୋଟିଏ ପଟେ ବୈଜୟନ୍ତ ଓ ବିଜୟଙ୍କୁ ହରାଇବା ପାଇଁ ବିଜେଡି ଗୋଟି ଚାଳନା କରୁଥିବା ବେଳେ ବିଜେପି ଏହି ଦୁଇ ପ୍ରାର୍ଥୀଙ୍କୁ ଜିତାଇ ସମ୍ମାନ ରକ୍ଷା କରିବାକୁ ଚାହୁଁଛି। ଫଳରେ କେନ୍ଦ୍ରାପଡ଼ା ଲୋକସଭା ଏବଂ ପାଟକୁରା ବିଧାନସଭା ଆସନ ଚର୍ଚ୍ଚାରେ ରହିଛି।

କାହିଁକି ବୈଜୟନ୍ତ ଓ ବିଜୟ ଟାର୍ଗେଟ

ବୈଜୟନ୍ତ ଓ ବିଜୟ ହେଉଛନ୍ତି ବିଜେଡି ଛାଡ଼ି ଆସିଥିବା ନେତା। ବିଜୟ ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ୧୯ ବର୍ଷ ତଳେ ଘଟଣାକ୍ରମରେ ବିଜେଡି ଛାଡ଼ିଥିଲେ। ୨୦୦୯ରୁ ସେ ବିଜେପିରେ ଅଛନ୍ତି। ୨୦୧୮ ଡିସେମ୍ବର ମାସରେ ସେ ବିଜେପିର ବରିଷ୍ଠ ନେତାଙ୍କ ଉପରେ ଅଭିମାନ କରି ଦଳରୁ ଇସ୍ତଫା ଦେଇଥିଲେ। ହେଲେ ନିର୍ବାଚନ ପୂର୍ବରୁ ମାନଭଞ୍ଜନ କରି ପୁଣି ବିଜେପିରୁ ଫେରି ପାଟକୁରା ପାଇଁ ଟିକେଟ ନେଇଛନ୍ତି। ବିଜେଡି ଛାଡ଼ିବା ପରଠୁ ବିଜୟ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ନବୀନଙ୍କୁ ସିଧା ସିଧା ତୀର ମାରି ଆସୁଛନ୍ତି।

ବିଜୟଙ୍କ ଭଳି ବୈଜୟନ୍ତଙ୍କର ମଧ୍ୟ ସମାନ ଅବସ୍ଥା। ବିଜେଡି ଟିକେଟରେ ରାଜ୍ୟସଭା ଏବଂ କେନ୍ଦ୍ରାପଡ଼ା ଆସନରୁ ଦୁଇ ଦୁଇ ଥର ଲୋକସଭାକୁ ଯାଇଥିବା ବୈଜୟନ୍ତ ତୃତୀୟ ମହଲା ଅଫିସରଙ୍କୁ ଆକ୍ଷେପ କରି ଦଳରୁ ବିଦା ହୋଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ବିଜେଡି ଛାଡ଼ିବା ପରଠୁ ବୈଜୟନ୍ତ ମଧ୍ୟ ନବୀନ ଏବଂ ବିଜେଡିକୁ ତୀର ମାରି ଆସୁଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଇଦାନରେ ଏସବୁର ହିସାବ ନିକାଶ ଚାଲିଛି।

ଏପଟେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କୁ ଘେରୁଛି ବିଜେଡି। ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ଏବଂ ତାଙ୍କୁ ଏଥର ଭୋଟର ଭଲଭାବେ ଜବାବ ଦେବେ ବୋଲି କହୁଛନ୍ତି ବିଜେଡି ମୁଖପାତ୍ର। ସୋସିଆଲ ମିଡିଆରେ ବି ବୈଜୟନ୍ତଙ୍କୁ ସମାଲୋଚନା କରି ଆସୁଛି ବିଜେଡି।

ଏହାସତ୍ତ୍ୱେ ବି ବୈଜୟନ୍ତଙ୍କୁ ନିର୍ବାଚନ ମଇଦାନରେ ଛାଡୁ ନାହାନ୍ତି ବିଜେଡି ନେତା। ୧୫ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ଏସବୁ ନିର୍ବାଚନମଣ୍ଡଳୀର ଛାମୁଆ ନେତାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଲଗାଯାଇଛି। ଦୁଇ ଦୁଇଟି ପଞ୍ଚାୟତରେ ଜଣେ ଲେଖାଏଁ ବରିଷ୍ଠ ନେତା ଓ ଛାତ୍ର, ଯୁବ ବିଜେଡିର କର୍ମକର୍ତ୍ତାଙ୍କୁ ଦାୟିତ୍ୱରେ ରଖାଯାଇଛି। ବୈଜୟନ୍ତଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ଅନୁଭବ ମହାନ୍ତି ଜିତାଇବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ହୋଇଛି।

ଗତ ୨୩ ତାରିଖରେ ବିଜେପିର ପୋଷ୍ଟରବୟ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ। ଏହି ନିର୍ବାଚନୀ ସଭାରେ ବୈଜୟନ୍ତଙ୍କ ଉପସ୍ଥିତିରେ ମୋଦି ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଥିଲେ। ‘ନବୀନ ବାବୁ ସମ୍ମାନର ସହ ରାଜନୀତିରୁ ବିଦାୟ ନେଇ ଯାଆନ୍ତୁ’ କହି ବିଜେଡି ଶିବିରକୁ ଆକ୍ଷେପ କରିଥିଲେ ମୋଦି। ଏହାକୁ ନେଇ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ନବୀନ ମୋଦିଙ୍କୁ ଏହାର ଜବାବ ଦେଇଥିଲେ ମଧ୍ୟ ବିଜେଡି ଶିବିର ଏହାକୁ ହାଲୁକା ଭାବେ ଗ୍ରହଣ କରୁ ନଥିବା ମନେହେଉଛି। କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଘମାସାନ ଚାଲିଥିବା ଚର୍ଚ୍ଚା ହେଉଛି।

ସେହିପରି ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ରହିଥିବା ବିଜୟ ମହାପାତ୍ର ବି ବିଜେଡି ଟାର୍ଗେଟରେ ରହିଥିବା କୁହାଯାଉଛି। ଏଥର ବିଜେପି ତାଙ୍କୁ ପାଟକୁରା ଆସନରୁ ପ୍ରାର୍ଥୀ କରିଛି। ୧୯ ବର୍ଷ ପରେ ବିଜୟ ବିଧାନସଭା ଯିବାକୁ ଆଶା କରିଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶଙ୍କ ଦେହାନ୍ତ ହୋଇଯିବାରୁ ଏଠାରେ ୨୯ ତାରିଖ ବଦଳରେ ମେ’ ୧୯ରେ ହେବ ଭୋଟ।

ବିଜେଡି ବେଦପ୍ରକାଶଙ୍କ ଜାଗାରେ ପ୍ରାର୍ଥୀ ଖୋଜୁଛି। ଏହି ସୁଯୋଗରେ ବିଜୟ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ଏପ୍ରିଲ ୨୯ ପରେ ପାଟକୁରାରେ ମଧ୍ୟ ବିଜେଡିର ଅଧିକାଂଶ ନେତା ଡେରା ପକାଇବେ। ବିଜୟଙ୍କ ରଣନୀତିକୁ ଅକାମୀ କରି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେଡି।

ତେବେ ବିଜେଡି କେବଳ କେନ୍ଦ୍ରାପଡ଼ାର ଦୁଇ ‘ବି’ ବୈଜୟନ୍ତ ଓ ବିଜୟଙ୍କୁ ନିର୍ବାଚନ ଯୁଦ୍ଧରେ ପରାଜିତ କରିବା ପାଇଁ ଯେତିକି ତତ୍ପର ହୋଇ ଉଠିଛି ତାହା ଆଗରୁ କେବେ ଦେଖିବାକୁ ମିଳି ନଥିଲା ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

Comment