ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

ପୁରୀଠାରୁ ୫୬୦ କିଲୋମିଟର ଦୂରରେ ‘ଫନି’

ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଘଣ୍ଟାକୁ ୧୩ କିଲୋମିଟର ବେଗରେ ଓଡ଼ିଶା ଅଭିମୁଖେ ମୁହାଁଉଛି। ବର୍ତ୍ତମାନ ପୁରୀଠାରୁ ଏହା ୫୬୦ କିଲୋମିଟର ଦୂରରେ ଫନି ରହିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୁରୀଠାରେ ଲ୍ୟାଣ୍ଡଫଲ୍ କରିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି।

ଫନି ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

ସାମୁଦ୍ରିକ ଝଡ଼ ଫନି ପାଇଁ ଦୁଇ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ୨ ଏବଂ ୩ ତାରିଖରେ ହାଇକୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ବୁଧବାର ଦିନ କଟକ ବାର୍ ଆସୋସିଏସନ ଏବଂ କ୍ରିମିନାଲ ବାର ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଫନି ପାଇଁ ଦୁଇ ଦିନ ହାଇକୋର୍ଟ ବନ୍ଦ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

‘ଫନି’ ପାଇଁ ପରୀକ୍ଷା ବାତିଲ

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ଶୁକ୍ରବାର ସନ୍ଧ୍ୟା ୫.୩୦ରେ ‘ଫନି’ ଓଡ଼ିଶା ଉପକୂଳ ଛୁଇଁବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ପରୀକ୍ଷା ବାତିଲ ହୋଇଛି। ବିପିୟୁଟି ଅଧିନସ୍ଥ ସମସ୍ତ ପରୀକ୍ଷା ବାତିଲ ହୋଇଛି। ସମୁଦାୟ ୧୬୪ଟି କଲେଜ୍‌ରେ ପରୀକ୍ଷା ଘୁଞ୍ଚିଛି। ମେ’ ୨, ୩ ଏବଂ ୪ ତାରିଖରେ ଥିବା ପରୀକ୍ଷା ବାତିଲ ହେବା ପାଇଁ ନିଷ୍ପତ୍ତି ନେଇଛି। ‘ଫାନି’ ପାଇଁ ଉକ୍ତ ପରୀକ୍ଷା ମେ’ ୨୫, ୨୭ ଏବଂ ୨୮ ତାରିଖରେ ହେବ।

ଫନି ପାଇଁ ସିଏମସି ତତ୍ପର – ଜଳ ନିଷ୍କାସନ ପାଇଁ ୨୫୦ରୁ ଅଧିକ ପମ୍ପ୍ ମହଜୁଦ

ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ କଟକରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ମୁକାବିଲା ନେଇ କଟକ ଜିଲ୍ଲା ପ୍ରଶାସନ ଓ ସିଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶେଷକରି ଜଳ ନିଷ୍କାସନ ସିଏମସି ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ମୟୂରଭଞ୍ଜରେ ଫନି ମୁକାବିଲା ପାଇଁ ପ୍ରସ୍ତୁତି

ସାମୁଦ୍ରିକ ଝଡ଼ ଫନିର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି। ଜିଲ୍ଲାପାଳ ନିତିନ ଭରଦ୍ଵାଜଙ୍କ ପୌରହିତ୍ଵରେ ଏନେଇ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ବ୍ଲକ ବଡସାହି, ବେତନଟୀ, କପ୍ତିପଦା, ରାସଗୋବିନ୍ଦପୁର, ମୋରଡା ଏବଂ ବାରିପଦା ବ୍ଲକ ସମେତ ପୌରାଞ୍ଚଳରେ ସମସ୍ତ ଅଧିକାରୀ ସଜାଗ ରହିବା ସହିତ ରିଲିଫ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

‘ଫନି’ ମୁକାବିଲା ପାଇଁ ପ୍ରଶାସନ କେତେ ପ୍ରସ୍ତୁତ, କ’ଣ ହୋଇଛି ବ୍ୟବସ୍ଥା?

‘‘ବାତ୍ୟା ଫନିର ମୁକାବିଲା ଲାଗି ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ଜିରୋ କାଜୁଆଲିଟି ହେଉଛି ଆମର ମିଶନ।’’ ସଚିବାଳୟରେ ବାତ୍ୟା ଫନି ମୁକାବିଲା ପାଇଁ ସମୀକ୍ଷା କରିବା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ। ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ‘ଫନି’ ମୁକାବିଲା ପାଇଁ ପ୍ରଶାସନ ପୂରା ସଜାଗ ହୋଇ ରହିଛି।

କେନ୍ଦ୍ରାପଡ଼ାରେ ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଟିମ୍

ଓଡ଼ିଶାକୁ ମାଡ଼ି ଆସୁଥିବା ବାତ୍ୟା ‘ଫନି’କୁ ନେଇ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।

‘ଫନି’ ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା – “୮ ଲକ୍ଷ ଲୋକଙ୍କୁ ଗୁରୁବାର ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର”

ସମ୍ଭାବ୍ୟ ବାତ୍ୟା ‘ଫନି’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ୧୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “୮ ଲକ୍ଷ ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ। ପ୍ରଭାବିତ ହେଉଥିବା ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ। ପ୍ରଥମେ ମହିଳା, ଶିଶୁ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ।”

ଫନି ପାଇଁ ପୁରୀରେ ୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର

ଭୟଙ୍କର ରୂପ ନେଇ ଓଡ଼ିଶା ମୁହାଁଇଛି ବାତ୍ୟା ‘ଫନି’। ଘଣ୍ଟାକୁ ୬ କିଲୋମିଟର ବେଗରେ ଆସୁଛି ଫନି। ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି। ଏବେ ପୁରୀଠାରୁ ୬୨୦ କିଲେମିଟର ଦୂରରେ ରହିଛି ‘ଫନି’।

ଆସୁଛି ବାତ୍ୟା ‘ଫନି’ – ୯ ଜିଲ୍ଲା ପାଇଁ ନିଯୁକ୍ତି ହେଲେ ୧୨ ଆଇଏଏସ ଅଫିସର

ବାତ୍ୟା ‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋର କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୧୨ଜଣ ଆଇଏଏସଙ୍କୁ ୯ ଜିଲ୍ଲାର ଦାୟିତ୍ୱ ମିଳିଛି। ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ର ରହିଥଲା ବେଳେ ଜଗତସିଂହପୁର ଦାୟିତ୍ୱରେ ଅଛନ୍ତି ପ୍ରଦୀପ୍ତ ମହାପାତ୍ର।

‘ଫନି’ ପାଇଁ ୨ରୁ ୪ ଯାଏଁ ନନ୍ଦନକାନନ ବନ୍ଦ

ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠୁ ୪ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବ।

ଓଡ଼ିଶା ମୁହାଁ ‘ଫନି’ –  ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୩ରୁ ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଦୁଇଟି ସ୍ଥାନରେ ୩୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ସମୁଦ୍ର ଉପକୂଳବର୍ତ୍ତୀ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏଚ୍ଆର୍ ରେହମାନ କହିଛନ୍ତି।

‘ଫନି’ ପାଇଁ ୭୪ଟି ଟ୍ରେନ୍‌ ବାତିଲ

ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ଟ୍ରେନ୍‌ ସେବା ବାତିଲ କରିଛି ପୂର୍ବତଟ ରେଲୱେ। ପୂର୍ବତଟ ରେଲୱେ ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ୍‌ ବାତିଲ କରିବା ପାଇଁ ଘୋଷଣା କରିଛି। ବାତ୍ୟା ପାଇଁ ଟ୍ରେନ୍‌ ସେବା ପ୍ରଭାବିତ ହେବାର ଆଶଙ୍କା ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆସୁଛି ‘ଫନି’ – ୧୧ ଆଇପିଏସ୍‌ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

ବାତ୍ୟା ‘ଫନି’ର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟାରେ ଯେମିତି କିଛି କ୍ଷୟ କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୧୧ ଜଣ ଆଇପିଏସ୍ ଅଫିସରଙ୍କୁ ୧୧ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

‘ଫନି’ ଲାଗି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ମେ’ ୩ ଅପରାହ୍ଣରେ ଲ୍ୟାଣ୍ଡଫଲ କରିବ ‘ଫନି’। ଏବେ ବାତ୍ୟା ଘଣ୍ଟାକୁ ୧୦ କିଲୋମିଟର ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟସରକାର ସଜାଗ ରହିଛନ୍ତି। ରାଜ୍ୟରେ ଯେପରି କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅବହେଳିତ ନ ହୁଅନ୍ତୁ, ସେଥିପାଇଁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

‘ଫନି’ ମୁକାବିଲା ପାଇଁ ଜଗତସିଂହପୁରରେ ଏନଡିଆରଏଫ୍ ଟିମ

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫନି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଫନି ମେ’ ୩ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜଗତସିଂହପୁରରେ ପହଞ୍ଚିଛି  ୩ ଏନଡିଆରଏଫ୍ ଟିମ।

Comment