ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’ ଘର ଉଡ଼ାଇ ନେବା ପରେ ଏବେ ଘର ତିଆରିରେ ଲାଗିପଡ଼ିଛନ୍ତି ଭୁବନେଶ୍ୱରର ଭଗବାନ ଏବଂ ତାଙ୍କ ସ୍ତ୍ରୀ।

(ଭୁବନେଶ୍ୱରରୁ ମାନସୀ ମହାପାତ୍ର ଏବଂ ସୁଶ୍ରୀସ୍ମିତା) : ବାତ୍ୟା ଫନି ନୀରବି ଯାଇଛି ସତ, କିନ୍ତୁ ତାହାର ପ୍ରଭାବ ଯେମିତି ଅନେକଙ୍କ ସ୍ୱପ୍ନ ଓ ପରିବାରକୁ ଛାରଖାର କରିଦେଇଛି। ରାଜଧାନୀ ଭୁବନେଶ୍ୱରକୁ ଚିହ୍ନିବା ଏବେ ମୁସ୍କିଲ ହୋଇଯାଇଛି। ଏହାରି ଭିତରେ ଓଡ଼ିଶାଲାଇଭ ଟିମ୍ ପହଞ୍ଚିଥିଲା ସେହି ଲୋକ ଓ ପରିବାର ପାଖରେ ଯେଉଁମାନେ ବାତ୍ୟାରେ ସବୁକିଛି ହରାଇଛନ୍ତି।

ଯେତେବେଳେ ଆମ ଟିମ୍ ସେମାନଙ୍କ ପାଖକୁ ଯାଇଥିଲା ଏବଂ ସେମାନଙ୍କ ସହ କଥା ହୋଇଥିଲେ ସେତେବେଳେ କ୍ଷତିଗ୍ରସ୍ତ ଲୋକମାନେ ସେମାନଙ୍କର କାହାଣୀ କୋହଭରା କଣ୍ଠରେ କହିଥିଲେ।

ଏମିତି ଜଣେ ହେଉଛନ୍ତି ଭଗବାନ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀ। ଭଗବାନଙ୍କ ବୟସ ୬୦ ଉପରେ। କିନ୍ତୁ ଏହି ବୟସରେ ବି ସେ ବାତ୍ୟାରେ ଭାଙ୍ଗିଯାଇଥିବା ତାଙ୍କ ଘରକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ।

ସେମାନଙ୍କ କହିବା କଥା ହେଉଛି ବାତ୍ୟା ତାଙ୍କର ସବୁକିଛି ଛାରଖାର କରି ଦେଇଛି। ଘରର ଛପର ବି ଉଡ଼ିଗଲା। ଏହାପରେ ସେ ଭାଙ୍ଗି ପଡ଼ି ନଥିଲେ। ନିଜର ତିନି ପିଲାଙ୍କୁ ଧୈର୍ଯ୍ୟ ନହରାଇବା ପାଇଁ ସାହସ ଦେଇଥିଲେ।

ବାତ୍ୟା ଚାଲିଯିବା ପରେ ନିଜ ଭଙ୍ଗା ଘରକୁ ସଜାଡ଼ିବା ପାଇଁ ସାହସ ବାନ୍ଧିଥିଲେ ପୂରା ପରିବାର। ସ୍ତ୍ରୀଙ୍କ ସହ ମିଶି ଏବେ ଭଗବାନ ଘର ତିଆରିରେ ଲାଗିପଡ଼ିଛନ୍ତି।

‘‘ଆମେ ଦୁଇଦିନ ହେଲା କିଛି ଖାଇନୁ। ଆମକୁ ସାହାଯ୍ୟ କରିବା ପାଇଁ କେହି ବି ଆସି ନାହାନ୍ତି। ତଥାପି ଆମେ ଧୈର୍ଯ୍ୟ ହରାଇ ନାହୁଁ। ଭଙ୍ଗା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରଖିଛୁ’’, କହିଛନ୍ତି ଭଗବାନ ଏବଂ ତାଙ୍କ ସ୍ତ୍ରୀ।

Comment