ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ଘୁଞ୍ଚିଲା ବାଣୀବିହାର ପିଜି ପରୀକ୍ଷା। ବାତ୍ୟା ‘ଫନି’ ପାଇଁ ପୂର୍ବରୁ ପିଜି ପରୀକ୍ଷାକୁ ମେ’ ୧୩ ଯାଏଁ ଘୁଞ୍ଚା ଯାଇଥିଲା। ତେବେ କ୍ୟାମ୍ପସ୍‌ରେ ଏପର୍ଯ୍ୟନ୍ତ କରେଣ୍ଟ ଓ ପାଣି ସମସ୍ୟାର ସମାଧାନ ହୋଇନଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ ଅର୍ଥାତ୍‌ ମେ’ ୨୦ ଯାଏଁ ପିଜି ପରୀକ୍ଷାକୁ ସ୍ଥଗିତ ରଖିଛିନ୍ତି।

ତେବେ ଆସନ୍ତା ୨୧ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାତିଲ ହୋଇଥିବା ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ସମସ୍ତ ବିଭାଗ ପକ୍ଷରୁ ପୁଣି ଥରେ ପରୀକ୍ଷା ସୂଚୀପତ୍ର ପ୍ରକାଶ କରାଯିବ। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।

ବାତ୍ୟା ‘ଫନି’ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଖିନ୍‌ଭିନ୍‌ କରିଦେଇଛି। ବାଣୀବିହାରରେ ଅଧାରୁ ଅଧିକ ଗଛ ଭାଙ୍ଗି ପଡ଼ିବା ପରେ ସବୁଜ ବନାନୀ ସୁନ୍ଦର ବାଣୀବିହାର କ୍ୟାମ୍ପସ୍‌ ଯେପରି ଶ୍ରୀହୀନ ହୋଇପଡ଼ିଛି। ଅନେକ ସ୍ଥାନରେ ଲାଇନ୍‌ ଖୁଣ୍ଟି ଭାଙ୍ଗି ପଡ଼ିଛି। ଯାହା ଫଳରେ କ୍ୟାମ୍ପସ୍‌ରେ ବିଜୁଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି।

ସବୁଠୁ ଦୁଃଖର କଥା ବାତ୍ୟାର ୮ ଦିନ ପରେ ମଧ୍ୟ ବାଣୀବିହାର କ୍ୟାମ୍ପସ୍‌କୁ କରେଣ୍ଟ ଆସି ନାହିଁ। ଏନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସଂଘ ଗୁରୁବାର ଆନ୍ଦୋଳନ କରିଥିଲେ। ଶୁକ୍ରବାରଠାରୁ କେତେକ ସ୍ଥାନରେ ଜଳ ଯୋଗାଣ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବାଣୀବିହାର ବର୍ତ୍ତମାନ ଛାତ୍ରଛାତ୍ରୀ ଶୂନ୍ୟ। ତେବେ କିଛି କର୍ମଜୀବୀ ଛାତ୍ର ବହୁ ସମସ୍ୟା ଭିତରେ ହଷ୍ଟେଲରେ ରହୁଥିବା ଜଣାପଡ଼ିଛି।

Comment