ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଆଇପିଏଲ୍‌ର ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ।

ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ। ରୋହିତ ଶର୍ମାଙ୍କ କ୍ୟାପ୍ଟେନସିପ୍‌ରେ ମୁମ୍ବାଇ ଟିମ୍‌ ଧୋନିଙ୍କ ବଳିଷ୍ଠ ଟିମ୍‌ ଚେନ୍ନାଇକୁ ହରାଇ ବିଜୟ ହାସଲ କରିଛି। ଏଥିସହିତ ମୁମ୍ବାଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି।

ରବିବାର ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିୟମ୍‌ରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୭ ରନ୍‌ରେ ଝୁଣ୍ଟିଥିଲା। ଏଥିସହ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ୍ର ୩ ରନ୍‌ରେ ହରାଇ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ବିଜୟ ମୁକୁଟ ପିନ୍ଧିଲା।

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ରୋହିତ ଏବଂ ଡି’ କକ୍‌ଙ୍କ ଓପନରସିପ୍‌ ମୁମ୍ବାଇର ରନ୍‌ ଦ୍ରୁତ ଗତିରେ ବଢ଼ାଇଥିଲା। ତେବେ ଡି’ କକ୍‌(୨୯) ଆଉଟ୍‌ ହେବା ପରେ ରୋହିତ ଶର୍ମା(୧୫) ମଧ୍ୟ ଆଉଟ୍‌ ହୋଇ ପାଭିଲୟନ୍‌କୁ ଫେରିଥିଲେ।

ଏହା ପରେ ଦ୍ରୁତ ଗତିରେ ମୁମ୍ବାଇ ୱିକେଟର ପତନ ଘଟିଥିଲା। ତେବେ କିରନ ପୋଲାର୍ଡ ମୁମ୍ବାଇର ମଙ୍ଗ ଧରିବା ପରେ ଟିମ୍‌ ୧୪୯ ରନ୍‌ର ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା।

୧୪୯ ରନ୍‌କୁ ଟାର୍ଗେଟରେ ରଖି ଚେନ୍ନାଇ ସୁପର କିଙ୍ଗ୍ସର ଡ୍ୟୁପ୍ଲେସିସ୍‌ ଏବଂ ୱାଟସନ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତେବେ ଡ୍ୟୁପ୍ଲେସିସ୍‌(୪ ଚୌକା, ୧ ଛକା) ୧୩ ବଲ୍‌ରେ ୨୬ ରନ୍‌ ସଂଗ୍ରହ କରି କୃଣାଳ ପାଣ୍ଡିଆଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ।

ଗୋଟିଏ ପଟେ ସେନ୍‌ ୱାଟସନ୍‌ ଚେନ୍ନାଇର ମଙ୍ଗ ଧରିଥିବା ବେଳେ ଅନ୍ୟପଟେ ଟିମ୍‌ର ଗୋଟିଏ ପରେ ଗୋଟଏ ୱିକେଟ ଯିବାରେ ଲାଗିଥିଲା। ରାଇନା(୮), ରାୟଡୁ(୧), ଧୋନି(୨) ଆଉଟ୍‌ ହେବା ପରେ ପଡ଼ିଆକୁ ଆସିଥିଲେ ବ୍ରାଭୋ। ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ବ୍ରାଭୋ ୱାଟସନ୍‌ଙ୍କ ସାଥ୍‌ ଦେଇ ଶେଷ ଓଭରରେ ଆଉଟ୍‌ ହୋଇଥିଲେ।

ଚେନ୍ନାଇକୁ ଜିତିବାକୁ ମାତ୍ର ୪ ରନ୍‌ର ଆବଶ୍ୟକ ଥିବା ବେଳେ କୃଣାଳ ପାଣ୍ଡ୍ୟାଙ୍କ ବଲ୍‌ରେ ୱାଟସନ୍‌ ୮୦ ରନ୍‌ କରି ରନ୍‌ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ଏଥିସହିତ ଚେନ୍ନାଇର ଆଇପିଏଲ୍‌ ଟ୍ରଫି ଜିତିବାର ସ୍ୱପ୍ନ ଧୂଳିସାତ୍‌ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ୍ର ୩ ରନ୍‌ରେ ହରାଇ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ବିଜୟ ମୁକୁଟ ପିନ୍ଧିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment