ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ବାତ୍ୟାରେ ଖଣ୍ଡ ଖଣ୍ଡ ହୋଇଯାଇଛି ପୁରୀର ବାଲୁଖଣ୍ଡ ଅଭୟାରଣ୍ୟ। ପ୍ରଚଣ୍ଡ ପବନ ମାଡ଼ରେ ଛାରଖାର ହୋଇଯାଇଛି ଅଭୟାରଣ୍ୟ। ଗଛ ସବୁ ଉପୁଡ଼ି ପଡ଼ିଥିବାରୁ ଧ୍ୱଂସ ସ୍ତୁପରେ ପରିଣତ ହୋଇ ଯାଇଛି ଅଭୟାରଣ୍ୟ।

ଡ୍ରୋନ କ୍ୟାମେରାରେ ଏହି ଚିତ୍ର ସାମ୍ନାକୁ ଆସିଛି। ତେବେ ଏହି ଅଭୟାରଣ୍ୟରେ ରହୁଥିବା ୪ ହଜାରରୁ ଅଧିକ ଚିତ୍ରା ହରିଣଙ୍କ ପତ୍ତା ମିଳୁନି। ହରିଣ କୁଆଡ଼େ ଗଲେ ତାକୁ ନେଇ ବନ ବିଭାଗ ତନାଘନା ଆରମ୍ଭ କରିଛି।

ଡ୍ରୋନ କ୍ୟାମେରା ସାହାଯ୍ୟରେ ଆସନ୍ତାକାଲିଠୁ ହରିଣଙ୍କୁ ଖୋଜିବା ଲାଗି ବନ ବିଭାଗ ଉଦ୍ୟମ ଆରମ୍ଭ କରିବ।

କୁହାଯାଉଛି ବନ୍ୟପ୍ରାଣୀମାନେ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସଙ୍କେତ ପାଇଥାନ୍ତି। ଏଣୁ ବାତ୍ୟା ଆସୁଥିବା ସଙ୍କେତ ପାଇ ହରିଣମାନେ ବାଲୁଖଣ୍ଡ ଅଭୟାରଣ୍ୟ ଛାଡ଼ି ଅନ୍ୟ କେଉଁ ଜଙ୍ଗଲକୁ ଚାଲି ଯାଇଛନ୍ତି। ତେବେ ବାସ୍ତବରେ ହରିଣ କେଉଁଠି ଅଛନ୍ତି ଏବଂ କେମିତି ଅଛନ୍ତି ତାହା କାଲି ଡ୍ରୋନ କ୍ୟାମେରା ବୁଲିବା ପରେ ହିଁ ସ୍ପଷ୍ଟ ହେବ।

ବାଲୁଖଣ୍ଡ ଅଭୟାରଣ୍ୟର ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା କହିଛନ୍ତି, ‘‘ବାଲୁଖଣ୍ଡ ରେଞ୍ଜ ଅଫିସ ନିକଟରେ ଆମେ କ୍ୟାମେରା ଲଗାଇଥିଲୁ। ରାତିରେ ଦଳ ଦଳ ହରିଣ ଏଠାରେ ବୁଲୁଥିବା ଭିଡିଓ ରେକର୍ଡ ହୋଇଛି। ତେବେ ହରିଣଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ନାହିଁ।’’

ଗତ ୩ ତାରିଖରେ ବାତ୍ୟା ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥରୁ ବାଦ୍ ପଡ଼ିନି ବାଲୁଖଣ୍ଡ ଅଭୟାରଣ୍ୟ। ଅଭୟରଣ୍ୟରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଅନେକ ଗଛ ଭାଙ୍ଗିଯାଇ ଥୁଣ୍ଟା ହୋଇଯାଇଥିବା ଦେଖିବାକୁ ମିଳିଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment