ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଇଛାକୃତ ଭାବରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ଏଣିକି ସାବଧାନ ହୋଇ ଯାଆନ୍ତୁ। ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରିବା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଏହିଭଳି ଅନେକ ସ୍ଥାନରେ ନିୟମ ଭଙ୍ଗକାରୀଙ୍କୁ ଚିହ୍ନଟ କରାଯାଇଥିଲା।

ଏହି କସରତରେ ପୋଲିସ ୧୭ ଜଣଙ୍କୁ ଧରିଥିଲା। ପ୍ରଥମ ପର୍ଯ୍ୟାୟରେ, ଏୟାରପୋର୍ଟ ଛକଠାରୁ ବିଧାନସଭା ଛକ ମଧ୍ୟରେ ଏହି କ୍ୟାମେରାକୁ କାମରେ ଲଗାଯାଇଛି। ଉଲ୍ଲଙ୍ଘନକାରୀଙ୍କଠାରୁ ଇ-ଚାଲାଣ ଜରିଆରେ ୧୭୫୦୦ ଟଙ୍କା ଜରିମାନା ବି ଆଦାୟ କରାଯାଇଥିଲା।

ସବୁଠାରୁ ଅଧିକ ଭିଡ଼ ପରିଲକ୍ଷିତ ହୋଇଥାଏ ରାଜଧାନୀର ଏହି ରାସ୍ତା। ଦୀର୍ଘ ସମୟ ଧରି ଗାଡ଼ି ମଟର ଅଟକି ରହୁଥିବା କାରଣରୁ ଡ୍ରୋନ୍‌ କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କମିଶନରେଟ ପୋଲିସ। ଏହି କ୍ୟାମେରା ଯେଉଁମାନେ ଅତି ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି ଓ ଲେନ ବାହାରେ ଗାଡ଼ି ମଟର ଚଳାଉଛନ୍ତି ସେମାନଙ୍କ ଉପରେ ନଜର ରଖିବ।

ଡ୍ରୋନ୍‌ କ୍ୟାମେରାର ବ୍ୟବହାର ଟ୍ରାଫିକ ଉଲ୍ଲଙ୍ଘନକୁ ଢେର ମାତ୍ରାରେ କମାଇବ ଓ ଲୋକେ ନିଜ ନିଜ ଲାଇନରେ ରହିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ। ବିଶେଷ କରି ଯେଉଁମାନେ ଓଭରଟେକ କରୁଛନ୍ତି ସେମାନଙ୍କ ଗତିବିଧିକୁ କ୍ୟାମେରା ସହଜରେ ଧରିପାରିବ।

ଉପରୁ ଫଟୋ ଉଠାଇବା ପାଇଁ ମୁଖ୍ୟତଃ ବ୍ୟବହାର କରାଯାଏ ଡ୍ରୋନ୍ କ୍ୟାମେରା। କିନ୍ତୁ ପ୍ରତିରକ୍ଷା ଓ ଗୁଇନ୍ଦା କାର୍ଯ୍ୟରେ ମଧ୍ୟ ଏଗୁଡ଼ିକୁ ବ୍ୟବହାର କରାଯାଏ। ମଣିଷ ଚଳାଉନଥିବା ଏହି ଡ୍ରୋନ୍‌ କ୍ୟାମେରା ଅଳ୍ପ ଉଚ୍ଚତାରେ ସବୁ କିଛି ରେକର୍ଡ କରିପାରିବ।

ବିଭିନ୍ନ ରକମର ଡ୍ରୋନ୍ କ୍ୟାମେରା ଭିତରୁ ୱାଇ ଫାଇ ,ୱାଇଡ ଏଙ୍ଗଲ ଲେନ୍ସ ଓ ଅନ୍ୟାନ୍ୟ ସୁବିଧା ଥିବା ଏହି ଉପକରଣର ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ। ଆମାଜନ ଓ ଫ୍ଲିପକାର୍ଟରେ ଏହା କିଣିବାକୁ ମିଳିଥାଏ।

Comment